ସେତେବେଳେ ଡାକୁମାନଙ୍କୁ ଖଣ୍ଡିଏ ଶକ୍ତ କାଠରେ ବାନ୍ଧି ତା’ ଚାରିପଟେ ଅନ୍ୟ କାଠକାଠିରେ ନିଆଁ ଲଗାଇ ତାକୁ ମରା ହେଉଥିଲା । ଜୟକୁମାରକୁ ବଧ ଭୂମିକୁ ନେଇଯାଇ ସେହି ବ୍ୟବସ୍ଥା କରାଗଲା । ଯାଦୁକର ଡାକୁକୁ ଦେଖିବା ପାଇଁ ଶହ ଶହ ଲୋକ ଆସିଥାନ୍ତି ।
ଜୟକୁମାର ଏଥର ବୁଝିଲା, ମୃତ୍ୟୁ ତା’ର ଅନିବାର୍ଯ୍ୟ । ରାଜକର୍ମଚାରୀ ପ୍ରଶ୍ନ କଲେ, “ତୋର ଅନ୍ତିମ ଇଚ୍ଛା କିଛି ଅଛି?”
ଜୟକୁମାର କହିଲା, “ମୋର ଗୋଟିଏ ନେଳି ଟୋପି ରୋଷେଇ ଘରେ ପଡିଥିବ । ତାହା ମୋର ଅତି ପ୍ରିୟ । ତାକୁ ମୁଣ୍ଡରେ ଦେଇ ମୁଁ ମରିବାକୁ ଚାହେଁ ।”
ତା’ର ଏପରି କଥା ଶୁଣି ସମସ୍ତେ ହସିଲେ । ଜଣେ ଦୁଇଜଣ କର୍ମଚାରୀ ଦୌଡିଯାଇ ଟୋପିଟି ନେଇ ଆସି ଜୟକୁମାର ମୁଣ୍ଡରେ ଥାପିଲେ ଓ ତା’ପରେ କାଠ ସ୍ତୁପରେ ନିଆଁ ଧରାଇ ଦିଆଗଲା ।
ଜୟକୁମାର କହିଲା, “କୃଷ୍ଣଗିରି!” ସଙ୍ଗେ ସଙ୍ଗେ ଯେଉଁ କାଠରେ ସେ ବନ୍ଧା ହୋଇଥିଲା, ସେ କାଠ ସମେତ ସେ ଅଦୃଶ୍ୟ ହୋଇଗଲା ଓ କୃଷ୍ଣଗିରି ପାହାଡ ଉପରେ ପହଁଚିଲା । ସେ ପାହାଡ ତା ଗାଁ ପାଖରେ ।
ଜଣେ ଗ୍ରାମବାସୀ ତାକୁ ଦେଖି ପକାଇ ପଚାରିଲା, “କିହୋ, ଇଏ କ’ଣ?”
ଜୟକୁମାର କହିଲା, “ଆରେ ଭାଇ, ଏ ନୌକାର ତଳିପଟା ପାଇଁ ଏ ଖଣ୍ଡିକ ଖୋଜି ବାହାର କଲି । କାଳେ କଷ୍ଟ ହେଲେ ପକାଇଦେଇ ଆସିବି, ତେଣୁ କେତେକ ଲୋକଙ୍କୁ କହି ଏହା ମୋ ପିଠିରେ ବାନ୍ଧି ଦେଲି ଓ ନେଇ ଆସିଲି ।”
ସେ ଗ୍ରାମବାସୀଟିର ସାହାଯ୍ୟରେ ଜୟକୁମାର କାଠଟି ଖୋଲି ଘରକୁ ନେଇ ଆସିଲା ଓ ଦେଖିଲା, ତାହା ବାସ୍ତବିକ ବହୁତ ଶକ୍ତ ସୁନ୍ଦର କାଠ ।