“ଧନ୍ୟ ଆମ ମାଆ ମଦର ଟେରେସା ଧନ୍ୟ ତାଙ୍କ ସ୍ୱାର୍ଥତ୍ୟାଗ
ନୋବେଲ ପ୍ରାଇଜ୍ ପାଇଥିଲେ ମଧ୍ୟ ମନେ ନ ଥିଲା ଆବେଗ ।
ସମ୍ମାନ କି ଟଙ୍କା ଲୋଭ ତ ନ ଥିଲା ପାଇଲେ ଯେତିକି ଧନ
ଦୁଃଖୀରଙ୍କୀଙ୍କର ସେବାରେ ଲଗାଇ ଜୀବନକୁ କଲେ ଧନ୍ୟ ।”
ସାଧାରଣତଃ ଜଣେ ପ୍ରଚୁର ଅର୍ଥ କି ସମ୍ମାନ ପାଇଲେ ଖୁସି ହେବା କଥା । ମାତ୍ର ଜଣେ ବିଦେଶିନୀ ମହିଳାଙ୍କ କ୍ଷେତ୍ରରେ ଏହା ବ୍ୟତିକ୍ରମ ଥିଲା । ସେ ଥିଲେ ମଦର ଟେରେସା, ଯିଏ କି ଦୁଃସ୍ଥ ଦରିଦ୍ରଙ୍କ ସେବାକରି ତାଙ୍କର ତ୍ୟାଗପୂତ କର୍ମପାଇଁ ବିଶ୍ୱର ଶ୍ରେଷ୍ଠ ନୋବେଲ ପୁରସ୍କାର ପାଇଥିଲେ । ୧୯୭୯ ମସିହାରେ ଏହି ପୁରସ୍କାର ମିଳିଥିଲା ଟେରେସାଙ୍କୁ । ସେତେବେଳେ ଏହାର ମୂଲ୍ୟ ଥିଲା ପ୍ରାୟ ୪୦ ଲକ୍ଷ ଟଙ୍କା । ଏତେ ବଡ ସମ୍ମାନ ମିଳୁଥିବା ଖବର ପାଇ ତାଙ୍କ ଅନୁଷ୍ଠାନର ଜଣେ ଭଉଣୀ ଦୌଡିଆସି ତାଙ୍କୁ କହିଲେ, “ମାଆ! ଜାଣିଛନ୍ତି ନା, ଏବର୍ଷର ନୋବେଲ ଶାନ୍ତି ପୁରସ୍କାର ଆପଣଙ୍କୁ ହିଁ ମିଳୁଛି ।”
ଏହା ଶୁଣି ଟେରେସା ଅତ୍ୟନ୍ତ ସରଳ ଓ ନମ୍ରଭାବରେ ଟିକିଏ ହସିଦେଇ କହିଲେ, ଯାହା ହେଉ ଭଗବାନ୍ ଶେଷରେ ଏଇ ଦଳିତ, ଦୁଃସ୍ଥ ଦରିଦ୍ରମାନଙ୍କୁ ସ୍ୱୀକୃତି ଦେଲେ । ଆଉ କିଏ ହୋଇଥିଲେ ହୁଏତ ଗର୍ବରେ କହିଉଠିଥାନ୍ତା ଆମର କାର୍ଯ୍ୟ ପାଇଁ ଏହା ବହୁଆଗରୁ ମିଳିବାର ଥିଲା, ଯାହା କି ଏବେ ମିଳିଲା ।