ଏହିପରି ଭାବେ ସେ ଦୁହେଁ କିଛି ସମୟ ଖୁବ୍ ଝଗଡା କଲେ । ତା’ପରେ ଭୀମ ଜାଣିପାରିଲା ମଣିରାମ ଅଧିକ ଟଙ୍କା ଦେବନାହିଁ । ତେଣୁ ସେ ଫେରାଦ ହେବାକୁ ଗ୍ରାମର ଜମିଦାରଙ୍କ ପାଖକୁ ଗଲା । ଜମିଦାରଙ୍କୁ ସବୁ ଘଟଣା କହିବା ପରେ ଶେଷକୁ ସେ କହିଲା ଯେ ଯେପରି ବି ହେଉ କ୍ଷତିପୁରଣ ବାବଦରେ ତାକୁ ମଣିରାମଠାରୁ ଶହେଟଙ୍କା ଦେବାର ସେ ବ୍ୟବସ୍ଥା କରିବେ ।
ଜମିଦାର ଏତେ ବୁଦ୍ଧିମାନ ନ ଥିଲେ । ସେ ପ୍ରାୟ ବୁଝିପାରନ୍ତି ନାହିଁ କାହାର ପ୍ରକୃତରେ ଭୁଲ୍ । କିଏ ଦୋଷୀ ଓ କିଏ ନିର୍ଦ୍ଦୋଷୀ । ସେ ଭୀମର ଫେରାଦ୍ ଶୁଣି ମଣିରାମକୁ ନିଜ ପାଖକୁ ଡକାଇ ନେଲେ ଓ ତାକୁ ସବୁକଥା ପଚାରିଲେ ।
ମଣିରାମ କହିଲା, “ମୁଁ ତ ଆଉ ଜାଣି ଜାଣି କାହାକୁ ମାରିନାହିଁ । ମୁଁ ଦେଖିଲି ତାଙ୍କ ଛେଳିଟା ମୋ ପୋଇଲଟା ଖାଇ ଯାଉଛି । ସେତେବେଳେ ତ ମୋ ହାତ ପାଖରେ କୁରାଢୀ ଥିଲା । ଫୋପାଡିଲି । ସେଇଟା ଯାଇ ତା’ ମୁଣ୍ଡରେ ବାଜିଲା ଓ ସେ ସେହିକ୍ଷଣି ମରିଗଲା ।”
ଜମିଦାର କହିଲେ “ସେ ଯାହାବିହେଉ ଭୁଲ୍ ତ ତମର । କ୍ଷତିପୁରଣ ଦେଇଦିଅ । କଥା ସରିଲା ।”
ମଣିରାମ କହିଲା “ଏଥିରେ ମୋର କ’ଣ ଭୁଲ୍? ପୋଇଲଟା ନଥିଲେ ଛେଳି ଯା’ନ୍ତା ନାହିଁ । ଛେଳି ନଗଲେ ମୁଁ ବା କାହିଁକି କୁରାଢୀ ଫିଙ୍ଗି ଥା’ନ୍ତି?”
ଜମିଦାର ପଚାରିଲେ “ଠିକ୍ କଥା କହିଛ । ତେବେ ତୁମେ କାହିଁକି ଏ ପୋଇଗଛ ଲଗାଇଲ?”
ଟିକିଏ ଭାବି ମଣିରାମ କହିଲା, “ଆମ ଘର ଆଗରେ ଗୋଟିଏ ଘରେ କେଶର ରହୁଥାଏ । ସେ ଦିନେ ଆମ ଘରକୁ ବୁଲି ଆସିଲା । ସେ ତ ମୋତେ ପୋଇମଞ୍ଜି ଦେଇଥିଲା । ମୁଁ ସେସବୁକୁ ମୋ ଘର ପଛପଟ ବଗିଚାରେ ବୁଣିଦେଲି ଆଉ ଗଛ ଉଠିଲା ।”
ଜମିଦାର ଭାବିଚିନ୍ତି ଠିକ୍ କଲେ ଯେ ଅସଲ ଦୋଷୀ ହେଉଛି କେଶର । ସେ ମଞ୍ଜି କାହିଁକି ଦେଲା? ତେଣୁ ଲୋକ ପଠାଇ ତାକୁ ସେ ଧରି ନେଇଗଲେ । ସେ ବିଚାରା ଭୟରେ କମ୍ପୁଥାଏ ।
ଜମିଦାର ପଚାରିଲେ “ମୁଁ ଶୁଣିଲି କି ତମେ କୁଆଡେ ମଣିରାମକୁ ପୋଇଶାଗ ମଞ୍ଜି ଦେଇଛ? ଠିକ୍ କରି କୁହ ତୁମେ ତାକୁ ଦେଇଛ ନା ନାହିଁ?”
ତା’ପରେ ସେ କେଶର କହିଲା, “ଠିକ୍ କଥା । ମୁଁ ହିଁ ତ ମଣିରାମକୁ ସେ ପୋଇଲଟାର ମଞ୍ଜି ଦେଇଥିଲି ।”
ଜମିଦାର କହିଲେ “ଦେଖ ମଞ୍ଜି ତମେ ମଣିରାମକୁ ଦେଲ । ତା’ପରେ ସେ ତା’ ବଗିଚାରେ ମଞ୍ଜି ପୋତିଲା, ଗଛ ଉଠିଲା ଆଉ ଭଲ ଭାବରେ ଲଟାଇଲା । ଏହାପରେ ଭୀମର ଛେଳି ଆସି ସେସବୁ ଖାଇନେଲା । ଏସବୁ ଦେଖି ମଣିରାମ ଭୀଷଣ ରାଗରେ କୁରାଢୀ ଫିଙ୍ଗିଲା, ଓ ସେ ଛେଳି ମରିଗଲା । ତମେ ମୂଳରୁ ମଞ୍ଜି ଦେଇ ନଥିଲେ ଏତେ ଘଟଣା କାହିଁକି ବା ଘଟିଥା’ନ୍ତା? ଏଣୁ ସବୁ ଦୋଷ କେବଳ ତୁମରି ।”
ଏଭଳି କଥା ଶୁଣି କେଶର ଭୟରେ ଥରି ଥରି କହିଲା, “ହଜୁର୍, ଏ ଘଟଣାରେ ମୋର ତିଳେ ହେଲେ ବି ମଧ୍ୟ ଭୁଲ୍ ନାହିଁ । ସବୁ ଦୋଷ ହେଉଛି ପଦଭାଇଙ୍କର ।”
ଜମିଦାର ପଚାରିଲେ “ପଦଭାଇ? ସେ ପୁଣି କିଏ?”