ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ନ୍ୟାୟ ବିଚାର

କେଶର କହିଲା “ସେ ଆମ ଗାଁର ଜଣେ ବୈଦ୍ୟ । ଥରେ ମୋ ଦେହରେ କିଛି ଚର୍ମରୋଗ ହୋଇଥିଲା । ସେ ମୋତେ ବତାଇଲେ ଶାଗ ଯଥେଷ୍ଟ ଖାଇଲେ ଯାଇ ଏସବୁ ଆଉ ହେବନାହିଁ । ସେହିଁ ମୋତେ ଏ ପୋଇମଞ୍ଜି ଦେଇଥିଲେ । ମୁଁ ସେଥିରୁ ନିଜ ଘରେ ଅଳ୍ପ ରଖିଲି ଓ ମଣିରାମଙ୍କୁ ଅଳ୍ପ ଦେଇଥିଲି । ତେଣୁ ଏଥିରେ ମୋର କୌଣସି ବି ଦୋଷ ନାହିଁ । ବରଂ ପଦଭାଇଙ୍କର ଦୋଷ ।”

କେଶରର କଥା ଜମିଦାରଙ୍କ ମନକୁ ବେଶ୍ ପାଇଲା । ତେଣୁ ସେ ଲୋକ ପଠାଇ ତୁରନ୍ତ ବୈଦ୍ୟରାଜଙ୍କୁ ଡକାଇ ନେଲେ; ସମସ୍ତେ ଜାଣନ୍ତି ସେ ଜମିଦାର ଜଣକ ଭାରି ଏକବାଗିଆ ଲୋକ । ଦେଖାଯାଉ ଆଗକୁ କ’ଣ ସବୁ ହେଉଛି ।

ବୈଦ୍ୟଙ୍କୁ ଦେଖି ଜମିଦାର ରାଗିଯାଇ ତାଙ୍କୁ କର୍କଶ କଣ୍ଠରେ କହିଲେ, “ଆହେ ବୈଦ୍ୟ ଏସବୁ ତମେ କ’ଣ କଲ? ଚର୍ମରୋଗ ପାଇଁ କେଶର ତୁମ ପାଖକୁ ଆସିବାରୁ ତମେ ତାକୁ ଔଷଧ ନ ଦେଇ ପୋଇଶାଗ ମଞ୍ଜି କାହିଁକି ଦେଉଥିଲ?” ବିଚାରା ବୈଦ୍ୟ ଏଥିରୁ ବୁଝିପାରିଲେ ନାହିଁ ଯେ କଥା କ’ଣ? ସେ ବ୍ୟସ୍ତ ହୋଇ ପଚାରିଲେ, “ହଜୁର୍ ତାହା ଦ୍ୱାରା କାହାର କିଛି କ୍ଷତି ହେଲା କି?”

ଜମିଦାର କହିଲେ “କ୍ଷତି ତ ହୋଇ ସାରିଲାଣି । ଦେଖ ତମେ ପୋଇମଞ୍ଜି କେଶରକୁ ଦେଲ । ସେଥିରୁ ସେ ଅଳ୍ପ କିଛି ମଣିରାମକୁ ଦେଲେ । ମଣିରାମ ତା’ ବଗିଚାରେ ଶାଗ ଲଗାଇଲା । ଗଛ ଲଟାଇବାରୁ ଭୀମର ଛେଳି ଆସି ତାକୁ ଖାଇଲା, ସେଥିରେ ରାଗିଯାଇ ମଣିରାମ କୁରାଢୀ ଫିଙ୍ଗିଲା ଆଉ ଛେଳିଟି ମରିଗଲା । ଭୀମ ଏବେ ସେଥିଲାଗି ଶହେଟଙ୍କା କ୍ଷତିପୁରଣ ମାଗୁଛି । ଏବେ କିଏ ଏତେ ଟଙ୍କା ଦେବ? ତମେ କେଶରକୁ ପୋଇମଞ୍ଜି ନ ଦେଇଥିଲେ ଏତେ ଘଟଣା କେବେବି ଘଟି ନଥା’ନ୍ତା । ତେଣୁ ଏସବୁ ପାଇଁ କେବଳ ତୁମେହିଁ ଦାୟୀ ।”

ଏଭଳି କଥା ଶୁଣି ବୈଦ୍ୟଙ୍କୁ ଲାଗିଲା ତାଙ୍କ ମଥା ଉପରେ ଅଚାନକ ଯେମିତି ଏକ ବଜ୍ରପାତ ହେଲା । ସେ ପୁଣି ଭାବିଲେ ଦୋଷ ତ ଭୀମର । ଅଥଚ ଜମିଦାରଙ୍କ ବୋକାପଣିଆରୁ ସମସ୍ତେ କଥାକୁ ବୁଲେଇ ବୁଲେଇ ଆଣି ତାଙ୍କ ଉପରେ ପକାଉଛନ୍ତି । ତେଣୁ ସେଥିପାଇଁ ସେ ତାଙ୍କ ମନେ ମନେ କିଛି ପ୍ରତିକାର ଭାବିଲେ ।

ତା’ପରେ ବୈଦ୍ୟ କହିଲେ, “ହଜୁର୍ ଶରୀରରେ ଯେଉଁ ଚର୍ମରୋଗ ଦେଖାଦିଏ ତାହା ଆମେ ଯାହା ଖାଉଛୁ ସେସବୁ ଶରୀର ପାଇଁ ଯଥେଷ୍ଟ ନୁହେଁ ବୋଲି ହୋଇଥାଏ । କିଛି ଜିନିଷ ଅଭାବ ଥାଏ । ଏହି ରୋଗକୁ ମୂଳରୁ ମାରିବାକୁ ହେଲେ ଔଷଧ ନୁହେଁ ବରଂ ଖାଦ୍ୟର ପରିବର୍ତ୍ତନ କରିବା ଏକାନ୍ତ ଆବଶ୍ୟକ । ତେଣୁ ମୁଁ ପୋଇଶାଗର ମଞ୍ଜି ଦେଇଥିଲି । କିନ୍ତୁ ଏବେ ଭାବୁଛି ଏ ଗ୍ରାମକୁ ବୈଦ୍ୟ ହୋଇ ଆସି ମୁଁ ବହୁତ ବଡ ଭୁଲ୍ କରିଛି । ଏଠାକୁ ନ ଆସିଥିଲେ ଏତେ ଗୋଳମାଳ କଦାପି ମଧ୍ୟ ହୋଇ ନଥା’ନ୍ତା । ସେଥିପାଇଁ ମୁଁ ଅନେକ ଅନୁତାପ କରୁଛି । କିନ୍ତୁ ଏଥିଲାଗି ମୁଁ ଆଉ କିଛି ବି କରିପାରିବି ନାହିଁ ।”

ଜମିଦାର କିଛି ସମୟ ଗଭୀର ଭାବରେ ଚିନ୍ତା କରିବା ପରେ ପଚାରିଲେ, “ଆଚ୍ଛା କୁହ ତ ଦେଖି ଏ ଗାଁରେ ରହିବା ପାଇଁ ତୁମକୁ ପ୍ରଥମେ କିଏ କହିଲା?”

ବୈଦ୍ୟ କହିଲେ, “ହଜୁର୍ ଏବେ ଆପଣ ଠିକ୍ କଥା ପଚାରିଛନ୍ତି ସେଥିରେ ତ ମୋର କିଛି ବି ଦୋଷ ନାହିଁ । ମୁଁ ତ ମୋ ଗୁରୁଙ୍କ ନିକଟରେ ବୈଦ୍ୟବିଦ୍ୟା ଶିଖୁଥିଲି । ଥରେ ଆପଣଙ୍କ ବାପା ମୋ ଗୁରୁଙ୍କ ନିକଟକୁ ଆସି କହିଲେ, “ଆମ ଗ୍ରାମରେ କେହି ଜଣେହେଲେ ବି ବୈଦ୍ୟ ନାହାଁନ୍ତି । ଫଳରେ ଲୋକମାନଙ୍କର ଅନେକ ଅସୁବିଧା ହେଉଛି । ସେତେବେଳେ ଭୀମର ବାପା ବହୁତ ଅସୁସ୍ଥ ଥା’ନ୍ତି ସେ ଆପଣଙ୍କ ବାପାଙ୍କର ବହୁତ ଭଲ ସାଙ୍ଗ ଥିଲେ? ନୁହେଁ କି?”

ଜମିଦାର କହିଲେ “ହଁ ଏକଥା ତ ପ୍ରାୟ ସମସ୍ତେ ଜାଣନ୍ତି । ଆଜିବି ମଧ୍ୟ ଲୋକେ ଏକଥା କହନ୍ତି ।”

ଏହାପରେ ସେ ବୈଦ୍ୟ ଜମିଦାରଙ୍କୁ ପ୍ରଶଂସା କରିବାକୁ ଯାଇ କହିଲେ “ହଜୁର୍ ଆପଣଙ୍କ ସ୍ମୃତିଶକ୍ତି ବହୁତ । କେତେକଥା ମନେ ରଖିଛନ୍ତି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ