ପୁରୁଣାକାଳର କଥା । ବାଗ୍ଦାଦ୍ରେ ଅଲି ନାମକ ଜଣେ ବାରିକ ଥାଏ । ସେ ତା’ ନିଜ ବୃତିରେ ଏତେ ପାରଙ୍ଗମ ଥିଲା ଯେ ନଗରୀର ସମସ୍ତ ବଡ ବଡ ଲୋକ ତାରି ପାଖକୁ ହିଁ ଆସନ୍ତି ।
ଦିନେ ଅଲିର ଘରେ ଜାଳେଣୀ କାଠ ସରି ଯାଇଥାଏ । ବାହାରେ ସେ ଅପେକ୍ଷା କରିଥାଏ କେହି କାଠୁରିଆ ଯାଉଥିଲେ ତାକୁ ସେ ଡାକିବ ବୋଲି । କିଛି ସମୟ ପରେ ସେ ଦେଖିଲା ସେଇବାଟେ ବୁଢା କାଠୁରିଆଟିଏ ଗଧ ଉପରେ କିଛି ଜାଳେଣୀ କାଠ ଲଦି ବିକିବାକୁ ଯାଉଛି । ସେ ବୁଢାକୁ ଡାକି କହିଲା, “ଗଧ ଉପରେ ଥିବା ସବୁ କାଠତକ ମୋତେ ତୁ ପାଞ୍ଚଦିନାର୍ରେ ଦେଇଦେବୁ କି?”
ବୁଢା ଅଲି କଥା ଶୁଣି କାଠତକ ଦେଇ ତା’ର ମୂଲ୍ୟ ନେବାକୁ ଅପେକ୍ଷା କଲା ।
ଅଲି କହିଲା “ଆରେ ମୁଁ ତୋତେ ଗଧ ପିଠିରେ ଥିବା ସବୁ କାଠ ଦେବାକୁ କହିଲି ନା? ଗଧ ପିଠି ଉପରେ ଲଗା ହୋଇଥିବା ଜୀନ୍ ବି ଦେଇ ଦେ; ସେଇଟା କ’ଣ କାଠରେ ତିଆରି ନୁହେଁ କି?”
ବୁଢା ଏଥିରେ ହତାଶ ହୋଇ ପଚାରିଲା “ଏ କିପରି କଥା । ଗଧର ଜୀନ୍ଟା ମୁଁ ତୁମକୁ କିପରି ଦେଇ ଦେବି?”
ବୁଢାର ଏଭଳି କଥା ଶୁଣି ସେ ବାରିକ ଜଣକ ଗର୍ଜ୍ଜନ କରି ଉଠିଲା ଓ ରାଗରେ ବୁଢାକୁ ଥାପଡଟିଏ ମାରି ତା’ଗଧ ପିଠିରୁ ଜୀନ୍ଟି ଖୋଲି ନେଇ ତାକୁ ସେଠାରୁ ବାହାର କରିଦେଲା ।
ବୁଢା ମାଡ ଖାଇ କାନ୍ଦି କାନ୍ଦି କାଜିଙ୍କ ପାଖକୁ ଗଲା । ହେଲେ ସେ ବାରିକ କାଜିଙ୍କର ସେବା କରେ, ତେଣୁ କାଜି ନୀରବ ରହିଲେ ।
ଛୋଟ କାଜିଙ୍କର ଏହି ଅବସ୍ଥା ଦେଖି ସେ ବଡ କାଜିଙ୍କ ପାଖକୁ ଗଲା । ହେଲେ ତାଙ୍କର ମଧ୍ୟ ସେହି ଏକହିଁ ଅବସ୍ଥା । କାହିଁକିନା ସେ ତ ତାଙ୍କରି ବାରିକ । ତେଣୁ ଅନ୍ୟ କଥାରେ ପଡି ତାକୁ ରଗାଇବା ଆଦୌ ଠିକ୍ ନୁହେଁ ।
କାଜିମାନଙ୍କ ପାଖରୁ ନିରାଶ ହୋଇ ଫେରିବା ପରେ ରାସ୍ତାରେ ଯାଉ ଯାଉ ସେ ଅନ୍ୟ ଏକ ବୁଢାକୁ ଭେଟିଲା । ଅନ୍ୟ ବୁଢାଟି ପଚାରିଲା, “ଭାଇ କଥା କ’ଣ, ତମେ ଆଜି ଏତେ ଦୁଃଖିତ କାହିଁକି ଜଣାପଡୁଛ?” ତା’ପରେ ସେ କାଠୁରିଆ ତାକୁ ସମସ୍ତ କଥା କହି ଶୁଣାଇଲା ।
ବୁଢା କହିଲା “ଓଃ ଏଇ କଥାକୁ ନେଇ ଏତେ ଦୁଃଖ । ଚାଲ ଏବେ ଆମେ ସିଧା ଖଲିଫାଙ୍କ ପାଖକୁ ଯିବା । ସେ ନିଶ୍ଚୟ ତୁମକୁ ନ୍ୟାୟ ଦେବେ ।”
କାଠୁରିଆ ସିଧା ଯାଇ ଖଲିଫାଙ୍କ ପାଖରେ ନିଜର ଦୁଃଖକଷ୍ଟ ଗୁହାରି କଲା । ଖଲିଫା ସବୁ ଶୁଣିସାରି ନୀରବ ରହିଲେ ଓ ସମସ୍ୟାଟି ଉପରେ ଚିନ୍ତା କଲେ । ତା’ପରେ ଯାଇ ସେ କହିଲେ, “ଦେଖବାବୁ, ତମ ସମସ୍ୟାର ସମାଧାନ ତ ଅଲିର ସପକ୍ଷରେ ହିଁ ଯାଉଛି । କିନ୍ତୁ ତୁମକୁ ବି ତ ନ୍ୟାୟ ମିଳିବା ଦରକାର । ତୁମେ ଆହୁରି ଟିକିଏ ମୋ ପାଖକୁ ଆସ । ମୁଁ ତୁମକୁ କିଛି ଗୁପ୍ତ କଥା କହିବି ।” କାଠୁରିଆ ତାଙ୍କ ନିକଟକୁ ଆସିବାରୁ ସେ ଚୁପ୍ ଚୁପ୍ କରି ତାକୁ କିଛି କହିଲେ, କାଠୁରିଆ ସେକଥା ଶୁଣି ସେଠାରୁ ଖୁସି ହୋଇ ଚାଲିଗଲା ।
କିଛିଦିନ ପରେ ହଠାତ୍ ଦିନେ ସେ କାଠୁରିଆ ଟିକିଏ ଅନ୍ୟ ବେଶ ବଦଳାଇ ସେହି ବାରିକ ପାଖକୁ ଗଲା ଓ ତାକୁ କହିଲା, “ମୋର ଓ ମୋ ବନ୍ଧୁଙ୍କର ଦାଢୀ କାଟିବାକୁ କେତେ ନେବ?”
ଅଲି ଚଟାପଟ ଉତ୍ତର ଦେଲା “ଦୁଇ ଦିନାର୍ ।” ତା’ପରେ ସେ କହିଲା “ପୁରା ଦାମ୍ ଦେବା ପରେ ଯାଇ ମୁଁ ମୋ କାମ ଆରମ୍ଭ କରିବି ।”
କାଠୁରିଆ କହିଲା “ଠିକ୍ ଅଛି । ଏଇ ନିଅ ଦୁଇ ଦିନାର୍ । ପ୍ରଥମେ ମୋର କରିଦିଅ, ତା’ପରେ ପଛେ ମୋ ବନ୍ଧୁଙ୍କର ।”
ଅଲି ବୁଢାର ଦାଢୀ କାଟିବା ପରେ ପଚାରିଲା, “କାହାନ୍ତି ତୁମ ବନ୍ଧୁ ।”
“ବାହାରେ ଅଛନ୍ତି, ମୁଁ ତାଙ୍କୁ ଏବେ ଡାକି ଆଣୁଛି” ଏତିକି କହି ସେ କାଠୁରିଆ ଗଧର ଦଉଡି ଧରି ତାକୁ ଟାଣି ଟାଣି ଘର ଭିତରେ ହାଜର୍ କଲା ।
ଅଲି ଆଶ୍ଚର୍ଯ୍ୟ ହୋଇ କହିଲା “ଏ କ’ଣ? ଇଏ ତ ଗଧଟାଏ?”
କାଠୁରିଆ କହିଲା “ସେହିଁ ମୋର ବନ୍ଧୁ । ଦେଖ ତମେ ପ୍ରଥମରୁ ମୂଲ୍ୟ ନେଇ ସାରିଛ । ଏବେ ତାକୁ ଶୀଘ୍ର ଖିଅର କରିଦିଅ ।”
ଅଲି ରାଗରେ କହିଲା “କ’ଣ କହିଲୁ? ମୁଁ ପୁଣି ଗଧକୁ ଖିଅର କରିବି? ତୁ ଏଠୁ ଚୁପ୍ଚାପ୍ ଚାଲି ଯା ନହେଲେ ମାରି ମାରି ମୁଁ ତୋର ଛାଲ ଉତାରି ଦେବି ।”
କାଠୁରିଆ ଅଲି ବିରୁଦ୍ଧରେ ଖଲିଫାଙ୍କ ପାଖରେ ଅଭିଯୋଗ କଲା । ଅଲି ଡାକରା ପାଇ ସେଠାକୁ ଗଲା ।
ଖଲିଫା କହିଲେ “ତୁମେ ଖିଅର ପାଇଁ ପଇସା ନେଇ କାହିଁକି ତାଙ୍କ ବନ୍ଧୁଙ୍କୁ ଖିଅର କଲନାହିଁ?”
ଅଲି ଖଲିଫାଙ୍କୁ ସଲାମ୍ କରି କହିଲା, “ଆପଣଙ୍କ କଥା ଶିରୋଧାର୍ଯ୍ୟ । କିନ୍ତୁ ହଜୁର୍ ଏହାର ବନ୍ଧୁ ଗଧକୁ ମୁଁ କିପରି ଖିଅର କରିବି? ଏହା ତ ବଡ ଅଜବ କଥା ।”
ଖଲିଫା କହିଲେ “ଠିକ୍ କହିଛ । କିନ୍ତୁ ଜାଳେଣୀ କାଠ ସହିତ ଗଧର ଜୀନ୍ ନେଇଯିବା ମଧ୍ୟ ମୁଁ ପୂର୍ବେ କେଉଁଠି ହେଲେ ମଧ୍ୟ ଶୁଣିନାହିଁ । ତେଣୁ ମୋଟେ ଡେରି ନକରି ଗଧକୁ ଚଟାପଟ ଖିଅର କରିଦିଅ ।”
ଅଲି ଶେଷରେ ବାଧ୍ୟ ହୋଇ ସାରା ଦରବାରର ଲୋକଙ୍କ ଆଗରେ ଗଧକୁ ଖିଅର କଲା ଓ ଏହା ଦେଖି ସମସ୍ତେ ହସି ହସି ଗଡିଲେ । ବିଚାରା ଅଲିର ମୁହଁ ଲଜ୍ଜା ଓ ଅପମାନରେ ଏଡିକି ଟିକିଏ ହୋଇଗଲା । ସେହି ଦିନଠାରୁ ତା’ ପାଖକୁ ଆଉ କେହିବି ବଡ ଲୋକମାନେ ଖିଅର ହେବାକୁ ଗଲେନାହିଁ ।