ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ନ୍ୟାୟ

ପୁରୁଣା କାଳର କଥା । ଆରବର ସୁଲତାନ୍ ତାଙ୍କ ପ୍ରଜାମାନଙ୍କୁ ନିଜ ପିଲା ପରି ପାଳୁଥିଲେ । କେଉଁଠି କିଛି ଅନ୍ୟାୟ ହେଲେ ନିଜେ ଯାଇ ସେ ସେକଥା ବୁଝୁଥିଲେ ଓ ନ୍ୟାୟ ଦ୍ୱାରା ଶାସନ ଚଳାଉଥିଲେ ।

                ଦିନେ ଜଣେ ଲୋକ ହାତରେ ଥଳୀଟିଏ ଧରି ସୁଲତାନ୍ଙ୍କ ପାଖରେ ଆସି ପହଁଚିଲା । ତା’ର ମୁହଁ ଶୁଖି ଯାଇଥାଏ । ସୁଲତାନ୍ଙ୍କୁ ପ୍ରଣାମ କରି ସେ କହିଲା, “ହଜୁର୍, ମୋତେ ଜଣେ ଠକିଦେଇ ମୋର ସର୍ବସ୍ୱ ସେ ଲୁଟି ନେଇଛି । ଆପଣ ଏ ବିଷୟରେ ଦୟାକରି କୌଣସି ପ୍ରକାର ନ୍ୟାୟ ଦିଅନ୍ତୁ ।”

                ସୁଲତାନ୍ଙ୍କୁ ସେ କହିଲା, “ହଜୁର୍, ମୁଁ ପଡୋଶୀ ଗ୍ରାମକୁ ଜମି ଦେଖିବାକୁ ଯାଇଥିଲି – ଉଦ୍ଧେଶ୍ୟ ଭଲ ଜମି ହେଲେ କିଣିବି । ସେଥିପାଇଁ ମୁଁ ଦୁଇହଜାର ସୁନା ମୋହର  ଗୋଟିଏ ଥଳୀରେ ରଖି ତାକୁ କାଜିଙ୍କର ଜିମା ଦେଇଗଲି । ସେହି ଥଳୀ ମୁହଁରେ ଅଠା ଲଗାହୋଇ ତାହା ବନ୍ଦ କରାଯାଇଥିଲା । ଫେରିଆସି ଦେଖେ ତ କାଜି ମୋତେ ମୋ ଥଳୀଟି ଫେରାଇଲେ । କିନ୍ତୁ ସେଥିରେ କେବଳ ଦୁଇଚାରିଖଣ୍ଡ ତମ୍ବା ମାତ୍ର ପଡିଥିଲା ।

                ସୁଲତାନ୍ ପଚାରିଲେ “ତୁମେ ଠିକ୍ ଭାବରେ ଦେଖିଛ ଥଳୀର ମୁହଁ ପୂର୍ବପରି ବନ୍ଦ ଥିଲା?”

                ଲୋକଟି କହିଲା, “ଆଜ୍ଞା ହଜୁର୍ । ଠିକ୍ ପୂର୍ବପରି ବନ୍ଦ ଥିଲା ।” ସୁଲତାନ୍ କହିଲେ “ଆଚ୍ଛା, ଥଳୀ ଏଇଠି ଛାଡିଯାଅ, ଯଦି ତୁମର ଅଭିଯୋଗ ସତ୍ୟ ହୋଇଥାଏ, ତେବେ ତୁମକୁ ଅବଶ୍ୟ ନ୍ୟାୟ ମିଳିବ ।”

                ଦରବାର ଶେଷ ହେଲା । ଯିଏ ଯୁଆଡେ ଗଲେ । ସୁଲତାନ୍ ରାଜପ୍ରାସାଦକୁ ଫେରି ଆସିଲେ । ଭାବୁ ଭାବୁ ହଠାତ୍ ତାଙ୍କ ମଥାକୁ ଜୁଟିଲା, “ଥଳୀର ମୁହଁ ବନ୍ଦ ଥିଲା ଆଉ ଏପରି ଏକ ଘଟଣା ଘଟିଲା । ଏହା ତ ଆଦୌ ବିଶ୍ୱାସ ଯୋଗ୍ୟ ନୁହେଁ । ତେବେ ଥରେ ପରୀକ୍ଷା କରି ଦେଖାଯାଉ ।” ସେ ପୁଣି ଦରବାର ଗୃହକୁ ଫେରିଗଲେ । କେହି କୁଆଡେ ନାହାଁନ୍ତି । ରାଜା ଅନେକ ସମୟ ଚିନ୍ତା କରି ଗୋଟାଏ ଯୋଜନା ପ୍ରସ୍ତୁତ କଲେ । ସିଂହାସନ ଉପରେ ପଡିଥିବା ବହୁମୂଲ୍ୟ କନାକୁ ସେ ଏଠି ସେଠି ଚିରି କଣାକରି ପକାଇଲେ । ତା’ପରେ ପୁଣି ସେ ତାଙ୍କ ପ୍ରାସାଦକୁ ଲେଉଟିଗଲେ ।

ପରଦିନ ସକାଳୁ ସକାଳୁ ସୁଲତାନ୍ ଶୀକାର କରିବାକୁ ଚାଲିଗଲେ । ଦରବାର ଗୃହ ପରିଷ୍କାର କରିବାକୁ ଚାକର ଗଲା । ସେ ସିଂହାସନର ଉପର କନାକୁ କିଏ କାଟି ଚିରି ପକାଇଛି ଦେଖି ଭୟରେ ଖାଲି ସେ ଥରିଲା । ତା’ପରେ ଯାଇ ମହଲର ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ସେ ସବୁକଥା କହିଲା ।

ସେ କହିଲେ, “ଏଥିରେ ଭୟ କରିବାର କ’ଣ ଅଛି? ସହରରେ ଆଲି ନାମକ ଜଣେ ଦର୍ଜି ଅଛି ଯା ତାକୁ ଡାକିନେଇ ଆସ । ସିଏ ସିଲେଇ କରିଦେଲେ ଜଣାପଡିବ ନାହିଁ ଯେ ଦିନେ ଏହା ଚିରା ଥିଲା ବୋଲି । ତାକୁ ଶୀଘ୍ର ଯାଇ ଡାକିଆଣ ।”

ମୁହୂର୍ତ୍ତେ ମାତ୍ର ବିଳମ୍ବ ନକରି ଚାକର ଦୌଡି ଯାଇ ତାକୁ ଧରି ଆଣିଲା । ରାସ୍ତାରେ ତାକୁ ସେ ସବୁକଥା କହିଲା । ଆଲି ମାତ୍ର ଦୁଇଟି ମଜୁରୀ ମାଗିଲା । ଚାକର କହିଲା, “ଯାହା ନେବୁ ନେ ଭାଇ, କିନ୍ତୁ ଏପରି କରିବୁ ଯେ କେହି ଜାଣିପାରିବେ ନାହିଁ, ପୁଣି ଏକଥା ଆଉ କେହି ଯେପରି ଭୁଲ୍ରେ ସୁଧା ଜାଣିବେ ନାହିଁ । ଯଦି ଏକଥା ସୁଲତାନ୍ଙ୍କ କାନକୁ ଗଲା ତ ମୋର ମୁଣ୍ଡଟି ମଧ୍ୟ ଦେହରୁ ଅଲଗା ହୋଇଯିବ ।”

“ତୁମ ମୁଣ୍ଡ ଯେପରି ନ କଟିବ ତା’ର ଦାୟିତ୍ୱ ମୁଁ ନେଲି, ଆଗରୁ ମୁଦ୍ରା ଦୁଇଟି ଦେଇଦିଅ ।” ଚାକର ମୁଦ୍ରା ଦେଲା । ଆଲି ଖୁସି ହୋଇ ଯାଇ ଏମିତି ସିଲେଇ କଲା ଯେ ତାକୁ କେହିହେଲେବି ଜାଣିପାରିବ ନାହିଁ । ଚାକର ମନରେ ଏଥର ଜୀବନ ପଶିଲା ।

ସଂଧ୍ୟାବେଳକୁ ସୁଲତାନ୍ ଶୀକାରରୁ ଫେରି ସିଧା ଦରବାର କକ୍ଷରେ ଯାଇ ଦେଖିଲେ ତାଙ୍କ ସିଂହାସନ ଉପରେ ପଡିଥିବା କପଡାଟିରେ ଚିରିଥିବାର କୌଣସି ଚିହ୍ନବର୍ଣ୍ଣ ବି ନାହିଁ । ତାହା ଏକଦମ୍ ନୂଆ ପରି ପଡିଛି । ସୁଲତାନ୍ ଦରବାର କକ୍ଷ ଦାୟିତ୍ୱରେ ଥିବା ଚାକରକୁ ଡାକି ପଚାରିଲେ, “ସିଂହାସନରେ ପଡିଥିବା କପଡା ସକାଳେ ଛିଣ୍ଡା ଥିଲା । କ’ଣ ଥିଲା ନା ନାହିଁ?”

ଚାକର ଥରି ଥରି କହିଲା “ହଁ ଆଜ୍ଞା ଥିଲା ।”

ସୁଲତାନ୍ ପଚାରିଲେ “ତେବେ ଏହାକୁ କିଏ ସିଲେଇ କରି ଏପରି କରିଛି? ତାହା ଶୀଘ୍ର କହ ।”

ସେତେବେଳେ ସେ ଚାକରଟି ଏତେ ମାତ୍ରାରେ ଡରି ଯାଇଥିଲା ଯେ ସେ ଆଉ କିଛିବି ଲୁଚାଇ ପାରିଲା ନାହିଁ । ସେ କହିଲା, ସେ ଏକଥା କିପରି ଅଧିକାରୀକୁ କହିଲା, ଏବଂ ଅଧିକାରୀ ଆଲିର ନାମ କହିଲେ ଓ ଆଲି ନାମକ ଦର୍ଜି ଆସି ଏପରି ସୁନ୍ଦର କାମ କରିଦେଇଛି ଯେ କିଛି ମଧ୍ୟ ଜଣା ପଡୁନାହିଁ । ସୁଲତାନ୍ ତତ୍କ୍ଷଣାତ୍ ସେ ଆଲିକୁ ଡକାଇ ପଠାଇଲେ । ସେ ଆସିବାରୁ ତାକୁ ସେ ଥଳୀଟି ଦେଖାଇ କହିଲେ, “ଏ ଥଳୀକୁ ଚିହ୍ନି ପାରୁଛ? ଏହାକୁ ତମେ ସିଲେଇ କରିଥିଲ ନା?”

ଆଲି କହିଲା “ଆଜ୍ଞା ହଜୁର୍ । ସହରର କାଜି ସାହେବ ଏହି ଥଳୀଟିକୁ ମୋ ହାତରେ ସିଲେଇ କରି ନେଇଥିଲେ ।”

ସୁଲତାନ୍ ଆଲିକୁ ଛାଡିଦେଲେ ଓ ତା’ ସ୍ଥାନରେ କାଜିକୁ ଡକାଇ ପଠାଇଲେ । କାଜି ଆସି ପହଁଚିବା ମାତ୍ରେ ସୁଲତାନ୍ ଗର୍ଜ୍ଜି ଉଠି କହିଲେ, “ତୁମେ ଏତେ ତଳକୁ ଯିବ ବୋଲି ମୋର କେବେବି ଧାରଣା ନଥିଲା । ଲଜ୍ଜା ବୋଲି ତୁମର କ’ଣ କିଛି ନାହିଁ । ତୁମେ କାଜି ହୋଇ ଯଦି ଏପରି କାର୍ଯ୍ୟ କରିବ ତେବେ ଅନ୍ୟମାନଙ୍କୁ କ’ଣ କୁହାଯିବ? ଧର୍ମରକ୍ଷା କରିବା ହେଉଛି ତୁମର ଧର୍ମ । କେଉଁ ବୁଦ୍ଧିରେ ତୁମେ ଏପରି ଏକ ନୀଚ୍ଚକାମ କରି ବସିଲ?”

କାଜି କହିଲା “ହଜୁର୍ ମୁଁ ତ ସେପରି କୌଣସି ଲଜ୍ଜାଜନକ କାର୍ଯ୍ୟ କରିନାହିଁ । ଯଦି ଅଜାଣତରେ କରିଥାଏ ତେବେ ମୋତେ ତାହା କୁହନ୍ତୁ । ମୁଁ ସେଥିପାଇଁ କ୍ଷମା ମାଗିବି ଓ ତା’ର କୌଣସି ପ୍ରତିକାର କରିବି ।”

“ମନେ ହେଉଛି ତୁମର ନିଜ ଜୀବନ ଆଉ ପ୍ରିୟ ନୁହେଁ ।” ସୁଲତାନ୍ ଏତିକି କହି ଥଳୀଟି ବାହାର କରି କାଜିଙ୍କ ମୁହଁ ଉପରକୁ ତାହା ରାଗରେ ଛାଟିଦେଲେ । କାଜିର ଆଉ କିଛି ଲୁଚାଇବାର ଉପାୟ ନଥିଲା । ସୁଲତାନ୍ଙ୍କ ପାଦ ଧରି ସେ ଖାଲି କ୍ଷମା ମାଗିବାରେ ଲାଗିଲା । କିନ୍ତୁ ତା’କଥା ସୁଲତାନ୍ ମୋଟେ ଶୁଣିଲେ ନାହିଁ । ସେହି କାଜିକୁ ନେଇ ଶେଷରେ ସେ କାରାଗାରରେ ରଖିଲେ । ତା’ପରେ ଅଭିଯୋଗକାରୀ ବ୍ୟକ୍ତିକୁ ତା’ ନିଜର ଦୁଇହଜାର ମୁଦ୍ରା ସହ ଅଧିକା ଦୁଇହଜାର ମୁଦ୍ରା ଦେଇ କହିଲେ, “ତୁମେ ଏ ରାଜ୍ୟ ପାଇଁ ବହୁତ ବଡ କାମଟେ କରିଛ । କାଜି ବିଷୟରେ ମୋର ଆଖି ଖୋଲି ଦେଇଛ । ସେଥିପାଇଁ ତୁମକୁ ଏ ପୁରସ୍କାର ଦିଆଗଲା ।”


ଗପ ସାରଣୀ

ତାଲିକାଭୁକ୍ତ ଗପ