ଗୋଟିଏ ନଦୀ କୂଳରେ ଏକ ବିରାଟ ବୃକ୍ଷ ଥାଏ । ସେହି ବୃକ୍ଷ ଡାଳରେ ଅନେକ ପକ୍ଷୀ ବସା ବାନ୍ଧି ରହିଥାଆନ୍ତି । ପ୍ରତ୍ୟହ ସକାଳେ ଖାଦ୍ୟ ସଂଗ୍ରହ କରିବାକୁ ଯାଆନ୍ତି । ସୂର୍ଯ୍ୟ ଅସ୍ତ ହେବା ପୂର୍ବରୁ ବସାକୁ ଫେରିଆସନ୍ତି । ବସାକୁ ଫେରିଆସିବା ପରେ କିଛି ସମୟ ପାଇଁ ନଦୀ କୂଳ ପକ୍ଷୀମାନଙ୍କର କଳରବରେ ମୁଖରିତ ହୋଇଉଠେ । ଏହି ନଦୀ କୂଳରେ ଏକ ଛୋଟିଆ ପାହାଡଟିଏ ଥାଏ । ସେହି ପାହାଡରେ କେତେକ ମାଙ୍କଡ ରହୁଥାଆନ୍ତି ।
ଗ୍ରୀଷ୍ମ ଦିନ ଯାଇ ବର୍ଷାଦିନ ଆସିଲା । ଦିନେ ମୂଷଳ ଧାରାରେ ମେଘ ବର୍ଷିଲା । ଚାରିଆଡେ ପାଣିର ସୁଅ ଛୁଟିଲା । ଅତ୍ୟଧିକ ବର୍ଷା ହେତୁ ନଦୀ ମଧ୍ୟ ବଢିଲା । ଥଣ୍ଡାପାଗ ସାଂଗକୁ ବର୍ଷାମାଡ ଖାଇ ମାଙ୍କଡମାନେ ଶୀତରେ ଥରିବାକୁ ଲାଗିଲେ । ଶେଷରେ ମାଙ୍କଡମାନେ କୌଣସି ଉପାୟ ନପାଇ ବୃକ୍ଷ ମୂଳକୁ ଆସିଲେ । ପକ୍ଷୀମାନେ ମାଙ୍କଡ ଦଳଙ୍କୁ ଦେଖି କହିଲେ, “ମାଙ୍କଡ ଭାଇମାନେ! ଭଗବାନ ତୁମ୍ଭମାନଙ୍କୁ ହାତ, ପାଦ ଦେଇଛନ୍ତି । ବୁଦ୍ଧି ଖଟାଇ ଆମ୍ଭମାନଙ୍କ ପରି ବସା ବାନ୍ଧି ରହୁନ । ଏମିତି ଚାରିଆଡେ ବାସ ହରା ହୋଇ ବୁଲୁଥିବାରୁ ତୁମେ ଖରା, ବର୍ଷା, ଶୀତ, କାକର ସହୁଛ । ଆମ୍ଭେମାନେ ଆମର ସ୍ୱଳ୍ପ ବୁଦ୍ଧି ବଳରେ ବସା ବାନ୍ଧି କେଡେ ଆରାମରେ ରହୁଛୁ ।” ପକ୍ଷୀମାନଙ୍କର କଥା ମାଙ୍କଡମାନଙ୍କୁ ଖୁବ୍ ଆଘାତ ଦେଲା । ଜଣେ ମାଙ୍କଡ ରାଗିଯାଇ କହିଲା, “ବର୍ଷା କମିବା ପରେ ଆମ୍ଭମାନଙ୍କର କେମିତି ବୁଦ୍ଧି ଅଛି ତୁମ୍ଭେମାନେ ଦେଖିବ ।” କିଛି ସମୟ ପରେ ବର୍ଷାର ପ୍ରକୋପ କମିଲା । ସଂଗେ ସଂଗେ ମାଙ୍କଡ ଦଳ ତାଙ୍କର କାର୍ଯ୍ୟକଳାପ ଆରମ୍ଭ କରିଦେଲେ । ବୃକ୍ଷ ଉପରକୁ ଚଢିଯାଇ ଏ ଡାଳରୁ ସେ ଡାଳକୁ ଡିଆଁ ଡେଇଁ କଲେ । ଫଳରେ ଗଛରେ ବସା ବାନ୍ଧିଥିବା ପକ୍ଷୀମାନଙ୍କର ଗୃହ ନିମିଷକ ମଧ୍ୟରେ ଭାଙ୍ଗିଗଲା । ପକ୍ଷୀମାନେ ଦେଇଥିବା ଅଣ୍ଡା ମଧ୍ୟ ତଳେ ପଡି ଫାଟିଗଲା । ପକ୍ଷୀମାନେ ସେତେବେଳେ ବୁଝିପାରିଲେ ଦୁଷ୍ଟ ମାଙ୍କଡ ମାନଙ୍କୁ ସେମାନଙ୍କର ଉପଦେଶ ଦେବା ଠିକ୍ ନଥିଲା । ତେଣୁ କଥାରେ କୁହାଯାଇଛି ଯେଉଁମାନେ ବିଜ୍ଞ, ପଣ୍ଡିତ, ନମ୍ର ସ୍ୱଭାବର ବ୍ୟକ୍ତି ସେହିମାନଙ୍କୁ ଉପଦେଶ ପ୍ରଦାନ କରାଯାଏ । ମୂର୍ଖ ବା, ବୋକା ଲୋକକୁ ଉପଦେଶ ପ୍ରଦାନ କଲେ ସେ ଏହାକୁ ଠିକ୍ ରୂପେ ଗ୍ରହଣ ନ କରି ଉପଦେଶ ପ୍ରଦାନ କରୁଥିବା ବ୍ୟକ୍ତିର କ୍ଷତି କରିଥାଏ ।