“ମୋତେ ଦଣ୍ଡୁଛୁ ପ୍ରଭୁ ପଣେ,
ତୋତେ ଦଣ୍ଡିବାକୁ ଅଛି ଜଣେ ।”
ତୁ ଆଦୌ ବ୍ୟସ୍ତ ହୁଅନା, ମନ ଦେଇ ପାଠ ପଢ । ସେମାନେ ଦିନେ ନା ଦିନେ ଅସୁବିଧାରେ ପଡିବେ । କାରଣ ଏତେ ହିଂସା ଭଗବାନ୍ କେବେବି ସହିପାରନ୍ତି ନାହିଁ । ତା ଫଳ ତ ନିଶ୍ଚୟ ସେମାନେ ପାଇବେ । ଏହିପରି ବୁଝାଇ ଦେବାରୁ ରୂପାଲି ମଧ୍ୟ ବୁଝିଯାଏ ।
ଦିନ ପରେ ଦିନ ଗଡୁଥାଏ । ଦଶମ ଶ୍ରେଣରେ ଆସି ରୂପାଲି ପାଠ ପଢିଲାଣି । ପଂଚମ ଓ ସପ୍ତମରେ ତ ସେ ବୃତି ପାଇଥାଏ । ତେଣୁ ତାକୁ ଶିକ୍ଷକ, ଶିକ୍ଷୟତ୍ରୀମାନେ ଅତି ଶ୍ରଦ୍ଧା କରନ୍ତି । ଏକଥା ତାର ସେହି ପଂଚସଖା ସାଙ୍ଗ ମୋଟେ ସହି ପାରନ୍ତି ନାହିଁ । ସେମାନେ ଶ୍ରେଣୀରେ ରୂପାଲୀଠାରୁ ପାଠ ଦେଖିବେ । ତାପରେ ତାକୁ କହିବେ ଆମ ଖାତାରେ ଟିକେ ଲେଖିଦେ । ନ ଲେଖିଲେ ରୂପାଲିକୁ ସେମାନେ ବହୁତ ଗାଳି ଗୁଲଜ କରନ୍ତି । ଦିନେ ଘରେ ଖାଇସାରି ଘୋର ନିଦରେ ଶୋଇପଡି ଥାଏ ସେ ରୂପାଲି । ଏହି ସମୟରେ ସେ ସ୍ୱପ୍ନରେ ଦେଖିଲା, ଗୋଟିଏ ଚଢେଇ ତାଙ୍କ ବଗିଚାରେ ଫୁଲଟିଏ ଉପରେ ବସିଛି । ସେ ଅବିକଳ ମଣିଷ ଭଳି ମଧ୍ୟ କଥା କହୁଛି । ଗୀତ ବୋଲି ବୋଲି ସେ ଖୁସିରେ ଏ ଫୁଲରୁ ସେ ଫୁଲକୁ ଉଡି ଯାଉଛି । ରୂପାଲି ସେ ଚଢେଇକୁ ଧରିବା ପାଇଁ ଅନେକ ଚେଷ୍ଟା କରୁଛି । କିନ୍ତୁ ସେ ତାକୁ ମୋଟେ ଧରି ପାରୁ ନଥାଏ । ପରିଶେଷରେ ଚଢେଇଟି ଉଡିଆସି ରୂପାଲି ପାଖରେ ନିଜେ ଧରାଦେଇ କହିଲା, ମୁଁ ତୋର ଅନ୍ତରଙ୍ଗ ସାଙ୍ଗ । ମୋର ନାମ “ପକ୍ଷ ଅପ୍ସରା” । ମୋତେ ସମସ୍ତେ ପକ୍ଷିଣୀ ବୋଲି କହନ୍ତି । ତୁମ ଘରର ପଛପଟ ପାହାଡ ଖୋଲରେ ମୁଁ ରହିଛି । ତୁ ଯାହା କହିବୁ, ମୁଁ ତୋର ସାଙ୍ଗ ହିସାବରେ ସେ ସବୁ ନିଶ୍ଚୟ କରିବି । ତୋର ଏ ସ୍ୱପ୍ନଟି କେବେବି ମିଛ ହେବ ନାହିଁ । କାଲି ହିଁ ତୁ ମୋର ସନ୍ଧାନ ପାଇଯିବୁ । ଏକଥା କହି ସେ ଚଢେଇଟି ଉଡିଗଲା ଉପରକୁ ସେହିକ୍ଷଣି ରୂପାଲିର ମଧ୍ୟ ନିଦ ଭାଙ୍ଗିଗଲା । ଏ ସ୍ୱପ୍ନଟି ତାକୁ ଖୁବ୍ ଭଲ ବି ଲାଗିଲା । କିନ୍ତୁ ସେ ଦେଖିଥିବା ସ୍ୱପ୍ନ ସତ କି ମିଛ ଜାଣିବା ପାଇଁ ରାତି ପାହିବା ପର୍ଯ୍ୟନ୍ତ ରୂପାଲି ଆଉ ସାନ୍ତିରେ ଶୋଇପାରିଲା ନାହିଁ । ଭୋର୍ରୁ ଉଠି ରୂପାଲି ସିଧା ସେ ପାହାଡ ପାଖକୁ ଚାଲିଲା । ସତକୁ ସତ ସେଠାରେ ଗୋଟିଏ ସୁନ୍ଦରିଆ ନୀଳ ଓ ହଳଦିଆ ମିଶା ଚଢେଇଟି ଖୋଲର ମୁହଁ ପାଖରେ ବସିଥାଏ । ରୂପାଲିକୁ ଦେଖି ସେ ଚଢେଇଟି ହଠାତ୍ ଗୋଟିଏ କଣ୍ଢେଇ ପରି ଝିଅଟିଏ ହୋଇଗଲା । ତହୁଁ ରୂପାଲି ସେ ସୁନ୍ଦରିଆ ଝିଅଟିକୁ ଟିକେ ଗେହ୍ଲାକରି କହିଲା, ତୁମେ ହିଁ ହେଉଛ ମୋର ପ୍ରକୃତ ସାଙ୍ଗ । ମୋ ସାଙ୍ଗମାନେ ମୋତେ ବହୁତ ହିଂସା କରୁଛନ୍ତି । ତୁମେ ମୋତେ କେତେ ଭଲ ପାଉଛ ସତେ! କୁନି ଝିଅଟି ଅତି ମିଠାସ୍ୱରରେ ଗୀତ ଗାଇ ରୂପାଲିକୁ ତା’ ପାଖରେ ବସାଇଦେଲା –