“ଛୁକ୍ ଛୁକ୍ ଚାଲେ ରେଳଗାଡି
ମନ ଆମ ଯିବ ମାଡି ମାଡି
ତୁ ମୋର ସାଥୀ ଅତି ଗେହ୍ଲି
ଆସିଛୁ ଏଠାକୁ ଟିକେ ବୁଲି
ପାତାଳ ପୁରର ଲଡୁ ଖାଇ
ଘରକୁ ଲୋ ସାଥୀ ଯିବୁ ତୁହି ।”
କଣ୍ଢେଇ ପରି ସେ ଛୋଟ ଝିଅଟି ଗୋଟିଏ ଅତି ସୁମିଷ୍ଟ ଲଡୁ ଏ ରୂପାଲି ହାତକୁ ଦେଇ କହିଲା, ଏହାକୁ ଖାଇଦେ । ଆମର ପାତାଳପୁରରେ ବହୁତ ସୁନ୍ଦର ଜାଗା ଅଛି ତୁ ସେଠାକୁ ବୁଲିଯିବୁ । ଏ ଲଡୁ ନ ଖାଇଲେ ତୁ ସେଠାକୁ ମୋଟେ ଯାଇପାରିବୁନି, ଏହା ଶୁଣି ରୂପାଲି ସେ ଲଡୁଟି ଯେମିତି ଖାଇ ଦେଇଛି, ଗୋଟିଏ ବାଟ ଫିଟିଗଲା ତଳକୁ । ସୁଡଙ୍ଗପରି ପାହାଡ ତଳେ ତଳେ ବାଟଟିଏ ଦେଖାହେଲା । ଆଗରେ ଟିକି ଝିଅ ଓ ତା ପଛରେ ରୂପାଲି, ଚାଲିଲେ ଯେ ଚାଲିଲେ । ଶେଷରେ ସେମାନେ ଦୁହେଁ ଗୋଟିଏ ସ୍ଥାନରେ ପହଁଚି ଦେଖିଲେ ରୂପା ଫଳ ଗଛ ଓ ସୁନା ଫଳଗଛ ଅତି ସୁନ୍ଦର ଡାଳପତ୍ରରେ ଛାଇ ହୋଇଛି । ତାପରେ ସେ ଟିକି ଝିଅଟି ଗୋଟିଏ ସୁନାଫଳ ଓ ଗୋଟିଏ ରୂପାଫଳ ତୋଳି ରୂପାଲି ହାତକୁ ବଢାଇ ଦେଲା । ପୁଣି ରୂପାଲିକୁ ସେ ଟିକି ଝିଅଟି କହିଲା, ଏହି ଫଳ ଦୁଇଟିକୁ ତୁ ଅତି ଯତ୍ନରେ ରଖିବୁ । ଅସାଧ୍ୟରୋଗ ରୋଗ କରୁଥିବା ରୋଗୀଙ୍କୁ କଂସାଏ ପାଣିରେ ଏହାକୁ ଧୋଇ ପିଆଇଲେ ସେ ରୋଗ ନିଶ୍ଚୟ ଭଲ ହୋଇ ଯିବ । ଏପରି କଥା ଶୁଣି ସେ ରୂପାଲି ଅତି ଖୁସି ହୋଇଗଲା । ଏଥୁଅନ୍ତେ ସେମାନେ ଦୁହେଁ ପୁଣି ଚାଲି ଚାଲି ଉପରକୁ ଆସିଗଲେ । ତାପରେ ସେ ବାଟଟି ପୁଣି ପୂର୍ବପରି ବନ୍ଦ ମଧ୍ୟ ହୋଇଗଲା । ‘ପକ୍ଷିଣୀ’ ପକ୍ଷ ଅପ୍ସରା ହଠାତ୍ ତା ବଡ ବଡ ପକ୍ଷ ମେଲାଇ ରୂପାଲିକୁ ଟେକି ନେଇ ସବୁଆଡେ ବୁଲାଇ ଆଣିଲେ । ସମୁଦ୍ରର ବଡ ବଡ ଢେଉ ଦେଖି ରୂପାଲି ଭିଷଣ ଭାବରେ ଡରିଯାଉଥାଏ । ଜଙ୍ଗଲ ଉପରେ ବୁଲିଲା ବେଳେ ସେ ରୂପାଲି ଖାଲି ଆଶ୍ଚର୍ଯ୍ୟ ହୋଇ ସବୁଜିମାକୁ ଲକ୍ଷ୍ୟ କରୁଥାଏ । ଶେଷରେ ସେମାନେ ଦୁହେଁ ଆସି ସେ ପାହାଡ ପାଖରେ ପହଁଚିଗଲେ ।