ତା ପରଦିନ ଜୁଳିଆର ବାପା ଭୋଳାନାଥଙ୍କ ଘରେ ପହଁଚି ତାଙ୍କ ପୁଅ ପାଇଁ ରୂପାଲିର ପ୍ରସ୍ତାବ ଦେଲେ । ଏହା ଶୁଣି ରୂପାଲିର ବାପା ଭୋଳାନାଥ କହିଲେ –
ଆମେ ବହୁ ଗରିବ ଲୋକ
ଦେଇ ତ ପାରିବୁ ନାହିଁ ଯୌତୁକ
ଝିଅ ମୋର ପାଠ ପଢି ସାରିଲେ
ଚାକିରୀ କରିବ ନିଶ୍ଚେ ସେ ଭଲେ ।
ଲୋକଙ୍କର ସେବା କରିବା ପାଇଁ
କହିଛି ସେ ବାହା ହୋଇବ ନାହିଁ ।
ତୁମେ ବଡ ଲୋକ ପୁଅ ଡାକ୍ତର
ଆମ ସଙ୍ଗେ ବନ୍ଧୁ ନୁହେଁ ସୁନ୍ଦର ।
ଏହା ଶୁଣି ଜୁଳିଆର ବାପା ବି ଟିକେ ହସିଦେଇ କହିଲେ –
“ଛି ଛି ତୁମେ କୁହନା ଏହା
ଧନୀ ଗରିବର ପ୍ରଭେଦ କିଆଁ?
ଝିଅର ସୁଗୁଣ ମୋ ଘର ପାଇଁ
ବୋହୂ କରିନେବି ଯୌତୁକ ନାହିଁ ।
ଯେଉଁମାନେ ଲୋଭୀ ନେବେ ଯୌତୁକ
ତାଙ୍କ ପାଇଁ ସଜ୍ଜା ହେବ ଅଧିକ ।
ନାହିଁ କର ନାହିଁ ସମୁଦି ବାବୁ
ମୋର ଇଚ୍ଛା ବୋହୂ ଏଇ ଠୁଁ ନେବୁ ।”
ତାପରେ ସମୁଦି ଦୁହେଁ ନିଜ ନିଜ ହାତ ମିଳାଇ କୋଳାକୋଳି ହେଲେ । ନିର୍ଦ୍ଦିଷ୍ଟ ଦିନ ଧରି ସେମାନେ ବାହାଘର ବି କଲେ । ଜୁଳିଆର ଭାଇ ଅତି ରୂପବାନ୍ ଓ ଗୁଣବାନ୍ ପିଲାଟିଏ । ସେ ଏତେ ସ୍କଲାର ପିଲା ଯେ, ସେହିବର୍ଷ ଡାକ୍ତରୀ ପାସ୍ କରି ସେ ଆମେରିକାରେ ଡାକ୍ତର ହୋଇଥାଆନ୍ତି । ବିବାହ ଅତି ଜାକଜମକରେ ହେଲା । ସବୁ ଖର୍ଚ୍ଚ ପୁଅବାଲା ପକ୍ଷରୁ କରାଗଲା । ରୂପାଲି ଏବଂ ତାର ସ୍ୱାମୀ ଆମେରିକାକୁ ବିବାହ ପରେ ଚାଲିଗଲେ ।
ଏସବୁ ଦେଖି ରୂପାଲିର ବାପା ଭୋଳାନାଥ କେବଳ ଈଶ୍ୱରଙ୍କ ନିକଟରେ ପ୍ରଣାମ ଜଣାଇ କହିଲେ – “ଈଶ୍ୱର ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ । ଏତେ ଭଲ ଘର ଭଲ ବର ରୂପାଲିର ମନ ଜାଣି ଦେଇ ଦେଲେ । ଏଥିରେ ସେ ପରିବାରଟି ଅତିଖୁସି ହୋଇଥିଲେ । ଜୁଳିଆର ବାପା ମଧ୍ୟ ଭଲ ବୋହୂ ପାଇ ନିଜକୁ ଭାଗ୍ୟବାନ୍ ମନେ କରୁଥିଲେ ।
ଋୂପାଲି କିନ୍ତୁ ଅପ୍ସରାର ଋଣ କିପରି ବା ଶୁଝି ପାରିବ । ସେ ତ ଜଣେ ଈଶ୍ୱରଙ୍କ ପ୍ରେରିତ ଦୂତ । ତାଙ୍କରି ଯୋଗୁଁ ଅସାଧ୍ୟ ବେମାରୀ ସବୁ ଭଲ ହୋଇପାରିଲା । ଏହାଦ୍ୱାରା ସେ ବି ଅନେକ ଯଶ ଗୌରବର ଅଧିକାରିଣୀ ହୋଇ ପାରିଲା । ଦିନେ ସେ ରୂପାଲି ତା ଆଖିବୁଜି ଅତି ମନ ଦୁଃଖରେ ଅପ୍ସରାଙ୍କୁ ଚିନ୍ତା କଲା । ସେହିକ୍ଷଣି ହଠାତ୍ ତା କାନ ପାଖରେ ଶବ୍ଦ ହେଲା, ମୁଁ ତୋ ପାଖେ ପାଖେ ଅଛି । ତୁ ଏତେ କାହିଁକି ଚିନ୍ତା କରୁଛୁ । “ବିପଦର ବନ୍ଧୁପରା ପ୍ରକୃତ ବନ୍ଧୁ ।” “ଏକୁଟିଆ ଯେତେବେଳେ ତୁ ଥିବୁ, ତୋ ପାଖରେ ବସି ମୁଁ ବହୁତ ଗପ କରିବି, ଗୀତ ବି ବୋଲିବି । କେବେ ହେଲେ ବି ତୋ ପାଖରୁ ମୁଁ ଯାଇପାରିବି ନାହିଁ ଲୋ ।” ଏକଥା ଶୁଣି ରୂପାଲି ମନ ଆନନ୍ଦରେ ନାଚିଗଲା । ତାପରେ ସେ ଅତି ଖୁସିରେ ବି କାନ୍ଦିପକାଇଲା । ଏଥୁଅନ୍ତେ ରୂପାଲି ଭାବିଲା ପକ୍ଷ ଅପ୍ସରା ସତେ କେତେ ଭଲ ।