ଦିନେ ଜଣେ ଭଦ୍ରଲୋକ ଗୁରୁ ୟୁ.ଜି.କୃଷ୍ଣମୂର୍ତ୍ତିଙ୍କ ନିକଟରେ ପହଁଚି କହିଲେ, “ମହାଶୟ! ମୋର ଏକମାତ୍ର ଝିଅଟି ହେଉଛି ଭିନ୍ନକ୍ଷମ । ତା’ର ଦୁଇଟି ଯାକ ଗୋଡ ପୁରାପୁରି ଅଚଳ । ସେଥିଲାଗି ସେ ଏକ ତିନିଚକିଆ ହ୍ୱିଲ୍ ଚେୟାରରେ ବସି ଚଲାବୁଲା କରେ । ମାତ୍ର ସେ ବଡ ସାହସୀ । ହେଲେ ତା’ର ଏକ ସମସ୍ୟା ରହିଛି । ସେ ଭିନ୍ନକ୍ଷମ ହୋଇଥିବାରୁ ଅନ୍ୟ ଲୋକମାନେ ତା’ପ୍ରତି ଅନୁକମ୍ପା ପ୍ରଦର୍ଶନ କରୁଛନ୍ତି । କିନ୍ତୁ ସେ ସାହାଯ୍ୟ ଗ୍ରହଣ କରିବା ପାଇଁ ରୋକ୍ଠୋକ୍ ମନା କରିଦେଉଛି । କାହିଁକିନା ଏହାଦ୍ୱାରା ସେ ଖୁବ୍ ଅସ୍ୱସ୍ତିକର ବୋଧ କରେ । ସୁତରାଂ ତା’ ମନରୁ ଏ ଭାବନା ଦୂର କରିବାର ଉପାୟ ମୋତେ ବତାଇ ଦିଅନ୍ତୁ ।”
ଏ କଥା ଶୁଣି କୃଷ୍ଣମୂର୍ତ୍ତି କହିଲେ, “ଆସନ୍ତାକାଲି ଆପଣ ଝିଅକୁ ନେଇ ମୋ’ ପାଖକୁ ଆସନ୍ତୁ । ମୁଁ ତାକୁ ଠିକ୍ ବାଟଟା ବତାଇଦେବି ।”
ପରଦିନ ସକାଳେ ଚଉଦ ପନ୍ଦର ବର୍ଷର ସେହି ଭିନ୍ନକ୍ଷମ ଝିଅଟି କୃଷ୍ଣମୂର୍ତ୍ତିଙ୍କ ନିକଟରେ ଆସି ପହଁଚିଗଲା । ସେ ଦେଖିଲେ ଖୁବ୍ ସୁନ୍ଦର ଝିଅଟିଏ, ବଳିଷ୍ଠ ଚେହେରା । ତା’ର କଥାବାର୍ତ୍ତା ବି ଭାରି ବଢିଆ ।
କିଛି ସମୟ ପରେ କୃଷ୍ଣମୂର୍ତ୍ତି ପଚାରିଲେ, “ମୋ ସାଙ୍ଗରେ ତୁମକୁ ଏଇ ନିକଟରେ ଥିବା ମାର୍କେଟ୍କୁ ଯିବାକୁ ହେବ । ମୋର ସେଠାରେ କିଛି ଜିନିଷ କିଣିବାର ଅଛି । ସେଠାରେ ମୋତେ ଜିନିଷ କିଣାରେ ସାହାଯ୍ୟ କରିବ ।” ଝିଅଟି ଏହି କଥାରେ ଖୁସିରେ ରାଜି ହେଲା ।