ସେ ସବୁବେଳେ ଖାଲି ଚାହାଁନ୍ତି କେମିତି ଦୁଇ ରାଜ୍ୟ ମଧ୍ୟରେ କଳହ ସର୍ବଦା ଲାଗି ରହୁ । ଦୂତର ଏଭଳି କଥା ଶୁଣି ରାଜା ହଠାତ୍ ଚମକି ପଡି କହିଲେ, “ତୁମେ କ’ଣ କହୁଛ ନିଜେ ଜାଣି ପାରୁଛ ତ! ରାଜା ହଠାତ୍ ରାଗିଯିବାର ଦେଖି ସେ ଦୂତ କହିଲା, “ମହାରାଜ! ତେନାଲୀରାମା ଆପଣଙ୍କୁ ଏପରି ହାତରେ ରଖିଛନ୍ତି ଯେ, ତାଙ୍କର ଶତ ଦୋଶ ବି ଆପଣଙ୍କୁ ଦେଖାଯାଉନାହିଁ ।” ଦୂତର କଥା ଶୁଣି ସେ ରାଜା କହିଲେ, “ଦେଖ! ତେନାଲୀରାମା ଏହି ରାଜ୍ୟର ଜଣେ ସଚ୍ଚୋଟ ବ୍ୟକ୍ତି । ସେ କଦାପି ମଧ୍ୟ ଏପରି କାର୍ଯ୍ୟ କରିବେ ନାହିଁ । ତୁମେ ବୋଧହୁଏ ଏକ ଭୁଲ୍ ଧାରଣାର ବଶବର୍ତ୍ତୀ ହୋଇଯାଇଛ ।” ରାଜା ପୂର୍ଣ୍ଣ ବିଶ୍ୱାସର ସହିତ ଏହି କଥା ଦୂତକୁ କହିଲେ । ମହାରାଜଙ୍କ କଥାର ଉତ୍ତର ଦେବକେୁ ଯାଇ ସେ ଦୂତ ପୁଣି କହିଲା, “ମହାରାଜ! ଆପଣଙ୍କର ତେନାଲୀରାମାଙ୍କ ଉପରେ ଯେମିତି ପୂର୍ଣ୍ଣ ବିଶ୍ୱାସ ଅଛି, ମୋର ମଧ୍ୟ ଠିକ୍ ସେହିପରି ନିଜ ଉପରେ ପୂର୍ଣ୍ଣ ବିଶ୍ୱାସ ରହିଛି । ମୁଁ ମଧ୍ୟ ନାନାଦି ପ୍ରମାଣ ସଂଗ୍ରହ ଏବଂ ବିଭିନ୍ନ କଥା ଚିନ୍ତା କରି ଆପଣଙ୍କୁ ଏହି କଥା କହୁଛି । ଯେତେବେଳେ ସେ ଦୂତଟି ଏତେ ଜୋର୍ ଦେଇ ତା’ର ବକ୍ତବ୍ୟ ରାଜାଙ୍କ ନିକଟରେ ପ୍ରକାଶ କଲା, ରାଜା ତା’ର କଥାରେ ବିଶ୍ୱାସ ନ କରିବେ ବା ଆଉ କିପରି? ଏହାପରେ ରାଜା କହିଲେ, “ଠିକ୍ ଅଛି! ତୁମେ ଏବେ ଯାଅ, ମୁଁ ଏହି କଥାକୁ ପରେ ବିଚାର କରିବି । ଯଦି ତେନାଲୀରାମା ଏହି କାର୍ଯ୍ୟରେ ଜଡିତ ଥାଆନ୍ତି ତା’ ହେଲେ ତ ତାଙ୍କୁ ଅବଶ୍ୟ ଦଣ୍ଡ ଦିଆଯିବ” । ରାଜାଙ୍କ କଥା ଶୁଣି ଦୂତଟି ମନେ ମନେ ଅତ୍ୟନ୍ତ ଖୁସି ହୋଇ ସ୍ୱ ଗୃହକୁ ପ୍ରତ୍ୟାବର୍ତ୍ତନ କଲା । ତହିଁ ଆରଦିନ ରାଜା ତେନାଲୀରାମାଙ୍କୁ ଏକାକୀ ନିଜ ପାଖକୁ ଡକାଇଲେ ଓ କହିଲେ, “ତେନାଲୀରାମା! ମୁଁ ଶୁଣିବାକୁ ପାଇଲି ତୁମେ କୁଆଡେ ପଡୋଶୀ ରାଜ୍ୟର ରାଜାଙ୍କ ସହିତ ହାତ ମିଳାଇଛ ଓ ଏକଥା ମଧ୍ୟ ଶୁଣିବାକୁ ପାଇଲି ଯେ ତୁମେ କୁଆଡେ ବିଜୟନଗର ରାଜ୍ୟକୁ ପଡୋଶୀ ରାଜ୍ୟର ଅଧୀନରେ ରଖିବାକୁ ଚାହୁଁଛ?”
ରାଜାଙ୍କ ଏପରି କଥା ଶୁଣି ତେନାଲୀରାମା ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲେ । ପ୍ରଥମେ ତେନାଲୀରାମା ବିଶ୍ୱାସ କରିପାରିଲେ ନାହିଁ ଯେ ରାଜା ଏସବୁ କ’ଣ କହୁଛନ୍ତି । ରାଜାଙ୍କ କଥାରେ ବି, ସେ ତେନାଲୀରାମା ଏବେ କି ଉତ୍ତର ଦେବେ ତାହା ମୋଟେ ଚିନ୍ତା କରିପାରିଲେ ନାହିଁ । ଏପଟେ ରାଜା ତେନାଲୀରାମାଙ୍କ ନୀରବତାକୁ ଲକ୍ଷ କରି ଭାବିଲେ ତେନାଲୀରାମା ବୋଧହୁଏ ପ୍ରକୃତରେ ଦୋଷୀ । ତେଣୁ ରାଜା କହିଲେ, “ତେନାଲୀରାମା ତୁମେ ପ୍ରକୃତରେ ଦୋଷ କରିଛ ବୋଲି ମୋତେ କିଛି ବି କହି ନପାରି ନୀରବ ରହୁଛ ।” ରାଜାଙ୍କ ଠାରୁ ଏଭଳି କଥା ଶୁଣି ସେ ତେନାଲୀରାମାଙ୍କ ଆଖିରୁ କେବଳ ଅଶ୍ରୁ ନିଗିଡି ପଡିଲା । ଶେଷରେ କାନ୍ଦି କାନ୍ଦି ତେନାଲୀରାମା ରାଜାଙ୍କୁ କହିଲେ, “ମହାରାଜ! ଆପଣଙ୍କ କଥାକୁ ମୁଁ ଆଜି ପର୍ଯ୍ୟନ୍ତ କେବେବି କାଟି ଦେଇପାରି ନାହିଁ । ଏପରି ଭୁଲ୍ ମୋର କେବେହେଲେ ବି ହେବ ନାହିଁ । ଏଣେ ସେ ରାଜାତ’ ପୁରା ରାଗରେ ପଂଚମ । ସେତେବେଳେ ବା’ ତାଙ୍କ ମୁଣ୍ଡରେ ତେନାଲୀରାମାଙ୍କ କଥା ଆଉ କୋଉଠି ପଶୁଛି । ତେନାଲୀରାମାଙ୍କ ଏକଥା ଶୁଣି ରାଜା ଆହୁରି ରାଗିଗଲେ । ଶେଷରେ ସେ କହିଲେ, “ତେନାଲୀରାମା! ତୁମେ ଏହି ମୁହୂର୍ତ୍ତରୁ ଏହି ରାଜ୍ୟ ଛାଡି ଚାଲିଯାଅ । ଯେଉଁ ରାଜ୍ୟର ରାଜାଙ୍କ ସହିତ ତୁମେ ନିଜ ହାତ ମିଳାଇଛ, ସେହି ରାଜ୍ୟରେ ଯାଇ ରୁହ ।”
ରାଜାଙ୍କ ଠାରୁ ଏଭଳି ଆଦେଶ ପାଇ ସାରିବା ପରେ, ତେନାଲୀରାମା କହିଲେ, “ମହାରାଜ ! ମୋର ଏତେ ବଡ ଅପରାଧ ପାଇଁ ଆପଣ ମୋତେ ଏହି ସାମାନ୍ୟ ଦଣ୍ଡ ଦେଉଛନ୍ତି ।” ତେନାଲୀରାମାଙ୍କ କଥା ଶୁଣି ରାଜା ପୁଣି କହିଲେ, “ଏ ପର୍ଯ୍ୟନ୍ତ ତୁମର କର୍ତ୍ତବ୍ୟନିଷ୍ଠାକୁ ଲକ୍ଷ୍ୟ କରି ତଥା ତୁମର ପଦମର୍ଯ୍ୟାଦାକୁ ଲକ୍ଷ୍ୟ କରି ମୁଁ ତୁମକୁ କେବଳ ଏତିକି ଦଣ୍ଡ ଦେବାକୁ ଉଚିତ୍ ମନେ କରୁଛି । ଏହିପରି ଜଘନ୍ୟ ଅପରାଧ ଯଦି ଅନ୍ୟ କେହି କରିଥାନ୍ତେ, ତା’ହେଲେ ତା’ର ମୁଁ ଯେ କ’ଣ କରିଥାଆନ୍ତି ତାହା ତୁମେ ନିଜେ ଦେଖିଥାଆନ୍ତ ।” ତେନାଲୀରାମା ରାଜାଙ୍କ ଏ ପ୍ରକାର ନିଷ୍ପତି ଶୁଣିଲେ କିନ୍ତୁ ନିଜ ସପକ୍ଷରେ ଆଉ କୌଣସି ବି ଯୁକ୍ତି କଲେ ନାହିଁ । ଶେଷରେ ରାଜାଙ୍କ କଥା ଶୁଣି ଚୁପ୍ ଚାପ୍ ତେନାଲୀରାମା ସେ ଦରବାରରୁ ବିଦାୟ ନେଲେ ।
ତେନାଲୀରାମାଙ୍କ ବିରୋଧୀମାନେ ଯେତେବେଳେ ଶୁଣିଲେ ଯେ, ତେନାଲୀରାମାଙ୍କୁ ରାଜା ଦେଶାନ୍ତର ଦଣ୍ଡ ଦେଇଛନ୍ତି, ସେମାନଙ୍କର ଆଉ ଆନନ୍ଦ କଥା କହିଲେ ନସରେ । ତାପରେ ସେମାନେ ସମସ୍ତେ ରାଜାଙ୍କ ଅଧୀନରେ ଉଚ୍ଚ ପଦବୀରେ ରହିବାପାଇଁ ନିଜ ନିଜ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ କରିଦେଲେ । ଏଣେ ସେ ତେନାଲୀରାମା ଯାଇ ବିଜୟନଗର ରାଜ୍ୟର ଶତ୍ରୁରାଜ୍ୟର ରାଜଧାନୀରେ ପହଁଚିଗଲେ । ସେଠାରେ ପହଁଚିବା ପରେ ତେନାଲୀରାମା ସେହି ରାଜ୍ୟର ରାଜାଙ୍କୁ ସିଧା ଦେଖା କରିବାକୁ ଚାଲିଲେ । ସେଠାକାର ରାଜ ଦରବାରରେ ସେ ତେନାଲୀରାମା ରାଜାଙ୍କର ଏପରି ଗୁଣ କୀର୍ତ୍ତନ କଲେ ଯେ, ରାଜା ତାହା ଶୁଣି ପୁରା ଖୁସି ହୋଇଗଲେ । ଏହାପରେ ରାଜା ତେନାଲୀରାମାଙ୍କ ପରିଚୟ ଜାଣିବାକୁ ଚାହିଁଲେ । ତହୁଁ ସେ ତେନାଲୀରାମା ନିଜର ପରିଚୟ ଦେବାକୁ ଯାଇ କହିଲେ, “ମହାରାଜ! ମୁଁ ବିଜୟନଗର ରାଜ୍ୟର ରାଜା କୃଷ୍ଣଦେବ ରାୟଙ୍କ ନୀତି ସଚିବ ତେନାଲୀରାମା” ।
ପଡୋଶୀ ରାଜ୍ୟର ରାଜା ଏ ତେନାଲୀରାମାଙ୍କ ସଂପର୍କରେ ଅନେକ କଥା ଶୁଣିଥିଲେ କିନ୍ତୁ ତାଙ୍କ ସହିତ ତାଙ୍କର କଦାପି ସାକ୍ଷାତ ହୋଇନଥିଲା । ପ୍ରଥମ ଥର ଦେଖା ହେବାରୁ ସେ ପଡୋଶୀ ରାଜା ତେନାଲୀରାମାଙ୍କର ଉପଯୁକ୍ତ ସତ୍କାର କଲେ । ସେଠାକାର ରାଜାଙ୍କର ଏପରି ଅତିଥି ସତ୍କାର ପାଇଁ ତେନାଲୀରାମା ବି ତାଙ୍କୁ ଅଶେଷ ଧନ୍ୟବାଦ ଦେଲେ । ରାଜା କହିଲେ, “ତେନାଲୀରାମା ମହାଶୟ! ମହାରାଜ କୃଷ୍ଣଦେବ ରାୟ ଆମକୁ ତାଙ୍କର ଶତ୍ରୁ ବୋଲି ଭାବୁଛନ୍ତି । ହେଲେ ତୁମେ କେମିତି ଆମ ରାଜ୍ୟକୁ ଆସିଲ? ତୁମେ ତ’ ତାଙ୍କର ଅତ୍ୟନ୍ତ ଘନିଷ୍ଠ ବନ୍ଧୁ । ଏହି ଶତ୍ରୁ ରାଜ୍ୟରେ ତୁମର ଯେ କେହି ବି ଅନିଷ୍ଟ କରିପାରେ ।” ରାଜାଙ୍କ ସବୁ କଥା ଶୁଣି ତେନାଲୀରାମା କହିଲେ, “ମହାରାଜ କୃଷ୍ଣଦେବ ରାୟ ଯାହା ବି କହୁଥିଲେ ତାହା ସତ । ତଥାପି ବି ସେ ତେନାଲୀରାମା କହିଲେ, “ମହାରାଜ! ଆପଣ ଜଣେ ବିଦ୍ୱାନ ଅଟନ୍ତି । ଆପଣ ଅପାର ଶକ୍ତିର ଅଧିକାରୀ । ଆପଣ ଜଣେ ସୁଯୋଗ୍ୟ ପ୍ରଶାସକ ଅଟନ୍ତି । ପ୍ରଜାମାନଙ୍କର ସମସ୍ତ ସୁଖ ଦୁଃଖକୁ ସର୍ବଦା ନିଜର ବୋଲି ଜ୍ଞାନ କରନ୍ତି । କୃଷ୍ଣଦେବ ରାୟ ମଧ୍ୟ ଆପଣଙ୍କ ପରି ବହୁ ସୁ ଗୁଣର ଅଧିକାରୀ । ସେ ବି ଆପଣଙ୍କୁ ତାଙ୍କର ପରମ ବନ୍ଧୁ ବୋଲି ଭାବୁଛନ୍ତି । ମୋର ଏଠାକୁ ଆସିବାର କାରଣ ତ’ ସେଇଠି ହିଁ ରହିଛି । ମୁଁ ତ କେବଳ ଆପଣଙ୍କ ମନରୁ ଏହି ଭ୍ରାନ୍ତ ଧାରଣା ଦୂର କରିବାପାଇଁ ହିଁ ଏଠାକୁ ଆସିଛି ।”
ତେନାଲୀରାମାଙ୍କ ଠାରୁ ଏପରି କଥା ଶୁଣି ରାଜା ଖୁବ୍ ଆଶ୍ଚର୍ଯ୍ୟ ହୋଇପଡିଲେ । ତାପରେ ସେ କହିଲେ, “ଆପଣ କ’ଣ ଏପରି କହୁଛନ୍ତି? ମୋର ତ ଗୁପ୍ତଚରମାନେ ସନ୍ଧାନ ନେଇଛନ୍ତି ଯେ କୃଷ୍ଣଦେବରାୟ ମୋ ରାଜ୍ୟକୁ ଆକ୍ରମଣ କରିବାକୁ ମସୁଧା କରୁଛନ୍ତି ।” ରାଜାଙ୍କ ଏପରି କଥା ଶୁଣି ସେ ତେନାଲୀରାମା କହିଲେ, “ମହାରାଜ! ଠିକ୍ ଅନୁରୂପ କଥା ରାଜା କୃଷ୍ଣଦେବରାୟ ମଧ୍ୟ ଶୁଣିଛନ୍ତି । ତେଣୁ ସେ ତ ମୋତେ ଏଠାକୁ ପଠାଇଛନ୍ତି । ଯୁଦ୍ଧ ହେଲେ ତ “ଉଭୟ ରାଜ୍ୟର ବିପୁଳ ଧନ ଜୀବନ ନଷ୍ଟ ହେବ ।” ଏହି କଥା ତେନାଲୀରାମା ଗମ୍ଭୀରତାର ସହିତ କହିଲେ । ତେନାଲୀରାମାଙ୍କ କଥାକୁ ରାଜା ଠିକ୍ ବୋଲି ଭାବିଲେ ଓ କହିଲେ ତେଣୁ ଯୁଦ୍ଧ କରିବାକୁ ତ’ ମୁଁ ବି କଦାପି ଚାହୁଁ ନାହୁଁ, ହେଲେ ମୁଁ କେମିତି ଜାଣିବି ଯେ କୃଷ୍ଣଦେବରାୟ ମୋ ସହିତ ମିତ୍ରତା କରିବାକୁ ଚାହୁଁଛନ୍ତି?” ରାଜାଙ୍କ କଥା ଶୁଣି ତେନାଲୀରାମା କହିଲେ, “ଆପଣ ଆସନ୍ତା କାଲି କିଛି ଉପହାର ସହିତ ଏକ ସନ୍ଧିପତ୍ର ଲେଖି ଏକ ଦୂତ ହାତରେ କୃଷ୍ଣଦେବରାୟଙ୍କ ନିକଟକୁ ପଠାଇ ଦିଅନ୍ତୁ । ସେହି ଦୂତ ହାତରେ ମୁଁ ମଧ୍ୟ ମୋର ଏକ ଲିଖିତ ପତ୍ର ରାଜାଙ୍କ ନିକଟକୁ ପଠାଇଦେବି । ଯଦି ମହାରାଜା ଆପଣଙ୍କର ଉପହାରକୁ ଗ୍ରହଣ କଲେ, ତା’ହେଲେ ଆପଣ ବୁଝିବେ ଯେ, ସେ ମିତ୍ରତା ପାଇଁ ରାଜି ଅଛନ୍ତି । ଆଉ ଯଦି ରାଜା ଉପହାର ସ୍ୱୀକାର ନକଲେ, ତା’ହେଲେ ଆପଣଙ୍କର ଯାହା ଦଣ୍ଡ ଦେବା କଥା ମୋତେ ଦେବେ ।”
ତେନାଲୀରାମାଙ୍କ ଏପରି କଥା ଶୁଣି ରାଜା କହିଲେ, “ତା’ହେଲେ ସନ୍ଧିପତ୍ର ମୋତେ ପ୍ରଥମେ ଲେଖିବାକୁ ପଡିବ ।” କିନ୍ତୁ ସେ ଚତୁର ତେନାଲୀରାମା ରାଜାଙ୍କୁ ବୁଝାଇବାକୁ ଯାଇ କହିଲେ, “ବିଜୟନଗର ରାଜ୍ୟର ରାଜା ମୋତେ ପ୍ରଥମେ ଏଠାକୁ ପଠାଇଲେ । ତେଣୁ ଆମ ରାଜ୍ୟ ତରଫରୁ ପ୍ରଥମେ ସନ୍ଧି ପ୍ରସ୍ତାବ ଆଗତ ହେଲା ।” ରାଜାଙ୍କ ମନକୁ ଏ କଥାଟା ବେଶ୍ ପାଇଲା । ତେଣୁ ତହିଁ ଆରଦିନ ସେ ଏକ ପତ୍ର ଲେଖି କିଛି ଉପହାର ସହିତ ତାଙ୍କ ଦୂତକୁ ବିଜୟନଗର ରାଜ୍ୟ ଉଦ୍ଧେଶ୍ୟରେ ପଠାଇଲେ । ଏଣେ ଏପଟେ ରାଜା କୃଷ୍ଣଦେବରାୟ ସେତେବେଳକୁ ଜାଣିସାରିଥାନ୍ତି ଯେ, ତେନାଲୀରାମା ନିର୍ଦୋଷ ଥିଲେ । ତାଙ୍କର କେତେଜଣ ବିରୋଧି ହିଁ ତାଙ୍କ ବିରୁଦ୍ଧରେ ଏହି ଷଡଯନ୍ତ୍ର କରିଥିଲେ । ପୁଣି ରାଜା କୃଷ୍ଣଦେବରାୟ ଯେତେବେଳେ ତାଙ୍କ ଶତ୍ରୁ ରାଜାଙ୍କର ପତ୍ର ଓ ବହୁମୂଲ୍ୟ ଊପହାର ଦେଖିଲେ ସେତେବେଳେ ସେ ମନେ ମନେ ଖୁବ୍ ଖୁସି ହୋଇଗଲେ ।
ରାଜା କୃଷ୍ଣଦେବରାୟ କିନ୍ତୁ ଠିକ୍ ଜାଣିପାରିଲେ ଯେ, ଏସବୁ କାର୍ଯ୍ୟ କେବଳ ତେନାଲୀରାମାଙ୍କ ଯୋଗୁଁ ହିଁ ସମ୍ଭବ ହେଲା । ମହାରାଜ ଶେଷରେ ତେନାଲୀରାମାଙ୍କର ବୁଦ୍ଧିକୁ ପ୍ରଶଂସା ନକରି ଆଉ ରହିପାରିଲେ ନାହିଁ । ତହିଁ ଆରଦିନ କୃଷ୍ଣଦେବରାୟ ତାଙ୍କର ମନ୍ତ୍ରୀଙ୍କ ହାତରେ ବହୁମୂଲ୍ୟ ଉପହାର ମାନ ପଡୋଶୀ ରାଜ୍ୟର ରାଜାଙ୍କ ଉଦ୍ଧେଶ୍ୟରେ ପଠାଇଲେ । କେବଳ ସେତିକି ନୁହେଁ ବରଂ ତେନାଲୀରାମାଙ୍କୁ ତୁରନ୍ତ ବିଜୟନଗର ରାଜ୍ୟକୁ ଆସିବାକୁ ପତ୍ରରେ ଲେଖିଲେ । ରାଜାଙ୍କ ପତ୍ର ପାଇ ତେନାଲୀରାମା ମଧ୍ୟ ତୁରନ୍ତ ବିଜୟନଗର ରାଜ୍ୟ ଅଭିମୁଖେ ବାହାରିପଡିଲେ । ସେଠାରେ ପହଁଚିବା ପରେ ରାଜା କୃଷ୍ଣଦେବରାୟ ତେନାଲୀରାମାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କଲେ ।