ଏକ ସହରରେ ଶେଠ୍ ଶମ୍ଭୁଦୟାଲ ନାମରେ ଜଣେ ଧର୍ମପରାୟଣ ବ୍ୟକ୍ତି ରହୁଥିଲେ । ଏକଦା ସେ ପୁଣ୍ୟ ଅର୍ଜନ କରିବା ପାଇଁ ବ୍ରାହ୍ମଣ ଭୋଜନର ଆୟୋଜନ କଲେ । ଏଥିପାଇଁ ଆଖ ପାଖ ଅଂଚଳରୁ ଅନେକ ବ୍ରାହ୍ମଣ ନିମନ୍ତ୍ରିତ ହୋଇ ଆସିଲେ ।
ସେଦିନ ଶେଠ୍ ଙ୍କର ସୁସଜ୍ଜିତ ସ୍ୱାଦିଷ୍ଟ ଭୋଜନ ପ୍ରସ୍ତୁତି ବାସ୍ନାରେ ଚଉଦିଗ ମହକୁଥାଏ । ବ୍ରାହ୍ମଣ ଭୋଜନ ବେଳେ ଶେଠ୍ ପୁଣ୍ୟ କର୍ମ କରୁଛନ୍ତି ବୋଲି ଗର୍ବ ଅନୁଭବ କରି ଖୁସିରେ ବିଭୋର ହୋଇ ପଡୁଥାନ୍ତି । ଭୋଜନ ଶେଷରେ ବ୍ରାହ୍ମଣମାନେ ପ୍ରତ୍ୟେକ ଏକାବନ ଲେଖାଏଁ ସ୍ୱର୍ଣ୍ଣମୁଦ୍ରା ନେଇ ଶେଠ୍ ଙ୍କୁ ଆଶୀର୍ବାଦ କରି ଚାଲିଗଲେ ।
ଶେଷରେ ଜଣେ ହୃଷ୍ଟପୁଷ୍ଟ ଜ୍ଞାନୀ ବ୍ରାହ୍ମଣ ଆସି ପହଂଚିଲେ । ସେ ଭୋଜନ ସାରି ଦକ୍ଷିଣା ନେଇ ଗଲାବେଳକୁ ଆଶୀର୍ବାଦ ଦେଇ କହିଲେ, “ମହାତ୍ମନ୍! ମୁଁ ଆଶୀର୍ବାଦ ଦେଉଛି ଆପଣଙ୍କ ପାଦ ଚଂଚଳ ହେଉ । ଆପଣଙ୍କ ଗୁମାସ୍ତା ଓ କର୍ମଚାରୀଙ୍କୁ ରାତିରେ ଠିକଣା ଭାବରେ ନିଦ ନ ହେଉ ।”
ଶେଠ୍ ବ୍ରାହ୍ମଣଙ୍କର ଏଭଳି ଆଶୀର୍ବାଦରେ ଅତ୍ୟନ୍ତ ଦୁଃଖିତ ହେଲେ । ବ୍ରାହ୍ମଣ ଯିବାକୁ ବାହାରିଲା ବେଳେ ଶେଠ୍ ଙ୍କର ଜଣେ କର୍ମଚାରୀ ବ୍ରାହ୍ମଣଙ୍କୁ ପଚାରିଲେ, “ମହାଶୟ! ଆମ ଶେଠ୍ତ ଆପଣଙ୍କ ଚର୍ଚ୍ଚାରେ କୌଣସି ଅବହେଳା କରିନାହାନ୍ତି, ହେଲେ ଆପଣ ତାଙ୍କୁ ଏଭଳି ବିପରୀତ ଆଶୀର୍ବାଦ ଦେଲେ କାହିଁକି?”
ଏହା ଶୁଣି ବ୍ରାହ୍ମଣ ମୁରୁକି ହସିଲେ ସିନା କିଛି କହିଲେ ନାହିଁ । ତାଙ୍କ ପାଖରେ ଥିଲେ ଅତି ବିଚକ୍ଷଣ ବୁଦ୍ଧିମାନ ଗୁମାସ୍ତା । ସେ ବ୍ରାହ୍ମଣଙ୍କ ମୂଲ୍ୟବାନ ଆଶୀର୍ବାଦର ବ୍ୟାଖ୍ୟା କରିବାକୁ ଯାଇ କହିଲେ, “ମୋର ବିଚାରରେ ଏଇ ବ୍ରାହ୍ମଣ ଜଣକ ଜଣେ ଜ୍ଞାନୀ ବ୍ୟକ୍ତି ଅଟନ୍ତି । ଜ୍ଞାନୀମାନେ ବିଚାରକରି ତାଙ୍କର ମତାମତ ଦେଇଥାନ୍ତି, ଯାହା ବ୍ୟକ୍ତିବିଶେଷ ଓ ସମାଜର ଅଶେଷ ହିତ ସାଧନ ହୋଇଥାଏ ।”