ତେବେ ବିଷ୍ଣୁଶର୍ମା ଯେ ହଠାତ୍ ଜଣେ ପଣ୍ଡିତ ହୋଇଯାଇଥିଲେ ଏ କଥା ବି ନୁହେଁ । ନିଜକୁ ଜଣେ ସର୍ବଶାସ୍ତ୍ରର ପାଣ୍ଡିତ୍ୟ ଆଣିବାର ଯୋଗ୍ୟତା ନିମନ୍ତେ ସେ ମଧ୍ୟ ଚାଣକ୍ୟ, ବ୍ୟାସ, ପରାଶର, ଶୁକ୍ର, ବାଚସ୍ପତି ଏବଂ ମନୁଙ୍କ ପରି ବହୁ ପଣ୍ଡିତଙ୍କୁ ଅନ୍ୱେଷଣ କରିଛନ୍ତି ଏବଂ ସେମାନଙ୍କ ପ୍ରଣିତ ଶାସ୍ତ୍ରକୁ ପଠନ କରି ପାଣ୍ଡିତ୍ୟ ଅର୍ଜନ କରିଥିଲେ । ସେଥିଲାଗି ଶାସ୍ତ୍ରରେ କୁହାଯାଇଅଛି ଯେ –
ସକଳାର୍ଥ ଶାସ୍ତ୍ର ସାରଂ ଜଗତି ସମାଲୋକ୍ୟ ବିଷ୍ଣୁଶର୍ମେଦମ୍
ତନ୍ତ୍ରୈଃ ପଞ୍ଚଭିତେତଚ୍ଚକାର ସମୁନୋହରଂ ଶାସ୍ତ୍ରମ୍ ।
ଶାସ୍ତ୍ର କଥନେ ପଣ୍ଡିତ ବିଷ୍ଣୁଶର୍ମା ଜଗତରେ ଥିବା ସମସ୍ତ ନୀତିଶାସ୍ତ୍ରଗୁଡ଼ିକ ଅଧ୍ୟୟନ ପୂର୍ବକ ସେଥିରୁ ସମସ୍ତ ସାର ରସତକ ସଂଗ୍ରହ କରି ଏପରି ଏକ ପୁସ୍ତକ ପ୍ରଣୟନ କଲେ ଯେଉଁ ପୁସ୍ତକର ନାମ ହେଉଛି ପଞ୍ଚତନ୍ତ୍ର ।
ଏପରି ଶାସ୍ତ୍ରର ଭାଷା ସମ୍ପୂର୍ଣ୍ଣ ସରଳ ଏବଂ ନୀତି ଆଦର୍ଶନ ଦ୍ୱାରା ସମୃଦ୍ଧ ହୋଇଛି । ଏଥିରେ ରାଜନୀତି, ଲୋକନୀତି ସମ୍ପର୍କରେ ଏପରି ଆଲୋଚନା ହୋଇଛି ଯେ ସେଥି କାରଣରୁ ଏହା ଅତ୍ୟନ୍ତ ଉଚ୍ଚକୋଟୀର କାହାଣୀ ଶାସ୍ତ୍ର ଭାବରେ ପରିଚିତ । କାହିଁକି ପଞ୍ଚତନ୍ତ୍ର ଯେବେ ଉଚ୍ଚ କୋଟୀର ସାହିତ୍ୟ ହୋଇନଥାଆନ୍ତା ତାହାହେଲେ ତାହାର ଭାଷାନ୍ତର ବା ଅନୁବାଦ ପାର୍ସି, ହିବ୍ରୁ, ସିରିଆ, ଆରବୀ, ସ୍ଲାବୀ, ଲାଟିନ୍, ଜର୍ମାନୀ ଆଦି ଭାଷାରେ ପ୍ରକାଶ ପାଇନଥାଆନ୍ତା । ସେଥିପାଇଁ ପଣ୍ଡିତ ବିଷ୍ଣୁଶର୍ମାଙ୍କର ପଞ୍ଚତନ୍ତ୍ର ସାରା ବିଶ୍ୱରେ ଯେପରି ପ୍ରସିଦ୍ଧ ସେହିପରି ଲୋକପ୍ରିୟ ହୋଇପାରିଛି ।