ରଙ୍ଗପୁରର ରଙ୍ଗା ବଡ ଟିଙ୍ଗା ସ୍ୱଭାବର ଥିଲା । ତେଣୁ ପ୍ରତିଦିନ ସେ ତା’ସ୍ତ୍ରୀ ଉପରେ ଟିକିଏ ଟିକିଏ କଥାରେ ଖାଲି ରାଗିଯାଇ ତାକୁ ଗାଳିବର୍ଷଣ କରେ । ମାତ୍ର ତା’ସ୍ତ୍ରୀଟି ବଡ ଭଲ ସ୍ୱଭାବର ଥିଲା । କିନ୍ତୁ ତା’ର ଟିକିଏ ଭୁଲାପଣ ଅଛି ସବୁ ଭୁଲି ଯିବାରୁ ମଝିରେ ଅନେକ କାମ ବାକି ରହିଯାଏ; ରଙ୍ଗା ଘରକୁ ଫେରି ସବୁଥର ସ୍ତ୍ରୀକୁ ଗାଳିବର୍ଷଣ କରେ । ସ୍ତ୍ରୀ ସୀତା ଭୁଲ୍ ନ କରିବାକୁ ଯଥେଷ୍ଟ ସଚେତନ ହୁଏ, କିନ୍ତୁ ପାରେନାହିଁ । ଏଣୁ ରଙ୍ଗାର ରାଗ ମଧ୍ୟ ସଂଯମ ଭିତରେ ନଥାଏ ।
ରଙ୍ଗା ଯେତେବେଳେ ଯାଚ୍ଛାତା ଭାଷାରେ କ୍ରୋଧରେ ଲାଲ୍ ହୋଇଯାଇ ସ୍ତ୍ରୀକୁ ଗାଳିଦିଏ ସେତେବେଳେ ପାଖ ପଡୋଶୀ ଲୋକମାନେ ସେ ଦୃଶ୍ୟ ବହୁତ ଉପଭୋଗ କରନ୍ତି ଓ ହସନ୍ତି । ଏହିସବୁ ଅପମାନ ସୀତା ପ୍ରତି ବଡ ଅସହ୍ୟ ହୁଏ । ସେ ସ୍ୱାମୀକୁ ତାଙ୍କରଏହି ସ୍ୱଭାବ ପରିବର୍ତ୍ତନ କରିବାକୁ ବହୁତ ଚେଷ୍ଟା କରେ, କିନ୍ତୁ ସବୁ ବ୍ୟର୍ଥ ।
ଦିନେ ସଂଧ୍ୟାବେଳେ ରଙ୍ଗା ତା’ କ୍ଷେତକାମ ସାରି ଘରକୁ ଫେରି ସୀତାକୁ ପଚାରିଲା, “ଲୁଗାପଟା ସଫା କରିଚ ନା ନାହିଁ?”
“ଭୁଲିଗଲି, ମୁଁ ଏବେ କ’ଣ କରିବି ।” ଏତିକି କହି ସୀତା ନିଜକୁ ଅନେକ ନିନ୍ଦା କରି ମଥା କୋଡିଲା । ଏହା ଶୁଣି ରଙ୍ଗା ଚିତ୍କାର କରି କହିଲା “ମୋତେ କେତେ ଅପମାନ ସହିବାକୁ ପଡିବ ତାହା ଜାଣିଛ । ଏବେ ମୋତେ ପଡୋଶୀ ଗ୍ରାମରେ ହେଉଥିବା ବିବାହ ଉତ୍ସବରେ ଯୋଗ ଦେବାକୁ ହେବ । ଅପରିଷ୍କାର ପୋଷାକ ପିନ୍ଧି ଯିବାକୁ ମୋତେ ଲାଜ ମାଡିବ ନାହିଁ? ତୁମକୁ ବିବାହ କରି ମୁଁ କେବଳ ଏପରି କଷ୍ଟ ଅପମାନ ସହୁଛି । ଏଣୁ ତୁମେ ମୋ ଜୀବନରେ ଏକ ଅଭିଶାପ ।”
ରଙ୍ଗାର ଏଭଳି ଚିତ୍କାର ଶୁଣି ପଡୋଶୀ ଲୋକମାନେ ନିଜ ନିଜ ଘରୁ ବାହାରି ଆସି ସେମାନଙ୍କ ନାଟକ ଦେଖିଲେ । ସୀତା ଏଭଳି ପରିସ୍ଥିତିରେ ବଡ ଅପମାନିତ ଅନୁଭବ କଲା । ତା’ ଆଖିରୁ ଲୁହଧାରା ବୋହିବାକୁ ଲାଗିଲା । ସେ କହିଲା, “ବିବାହ ଉତ୍ସବ ତ କାଲିକି ଅଛି । ମୁଁ ଏବେ ତୁମ ଲୁଗା ଧୋଇ ସେସବୁକୁ ଶୁଖାଇ ଦେବି । ଯେପରିକି କାଲି ମଧ୍ୟରେ ତାହା ଶୁଖିଯିବ । ଏହାପରେ ତମେ ପରିଷ୍କାର ଲୁଗା ପିନ୍ଧି ବିବାହ ଉତ୍ସବକୁ ଯିବ ।”
ସୀତାର କଥା ଶୁଣି ରଙ୍ଗା ଶାନ୍ତ ନ ହୋଇ କହିଲା, “ତୁମେ ଏ ବିଷୟରେ ଆଉ ବେଶି କିଛି ବି ବକ୍ ବକ୍ କରନା, ମୁଁ ଏହି ମଇଳା ଲୁଗା ପିନ୍ଧି ଯିବି ଓ ସେଠାରୁ ଅପମାନିତ ହୋଇ ଫେରିବି । ତେବେ ଯାଇ ତୁମର ଆତ୍ମା ତୃପ୍ତ ହେବ ।” ଏତିକି କହି ସେଠାରୁ ସେ ତୁରନ୍ତ ଚାଲିଗଲା ।