ଗୋଟିଏ ଗ୍ରାମରେ ଦାମୋଦର ଓ ରମାବାଈ ନାମକ ଏକ ଦମ୍ପତ୍ତି ଥା’ନ୍ତି । ଦାମୋଦର କୃଷିକାର୍ଯ୍ୟ କରେ । କିନ୍ତୁ କୁକୁଡା ପାଳନ କରିବାରେ ରମାବାଈର ବଡ ସଉକ୍ ଥାଏ । ସେଥିରୁ ତା’ର କିଛି ପଇସା ମଧ୍ୟ ଲାଭ ହୁଏ । ଗ୍ରାମର ଅନ୍ୟାନ୍ୟ ଭଦ୍ରଲୋକ ମଧ୍ୟ ରମାବାଈ ପାଖରେ କୁକୁଡା କିଣି ଛାଡନ୍ତି । ବର୍ଷକ ପରେ ବେଶି ସଂଖ୍ୟା ହୋଇଗଲେ ଦି’ଟା କୁକୁଡା ଛାଡି ଆଉ ସବୁ ନେଇଯା’ନ୍ତି ।
ଦାମୋଦର କୁକୁଡା ମାଂସ ଖାଇବା ପାଇଁ ଖୁବ୍ ଖୁସିପାଏ । ଲୋଭରେ ପଡି ଥରେ ଦିଥର ଦାମୋଦର ରମାବାଈକୁ ମାଂସ ରାନ୍ଧି ଖୁଆଇବାକୁ କହିଲା । ରମାବାଈ ପୁରା ନାହିଁ କରିଦେଲା । କେତେ ସଉକରେ କୁକୁଡା ଗୁଡିକୁ ରଖିଛି ଆଉ କହିବା ମାତ୍ରେ ମାରି କରି ଦେଇଦେବ? ବିଚାରା ଦାମୋଦର ପେଟରେ ଭୋକ ଓ ମନରେ ଲୋଭ ନେଇ ଖାଲି ଯାହା ଛଟପଟ ହେଲା । ମନେ ମନେ ଚିନ୍ତା କରି ସେ ଗୋଟାଏ ଉପାୟ ପାଂଚିଲା । ଦୁଇ ଚାରିଦିନ ପରେ ସେ ରମାବାଈକୁ ଅତି ସ୍ନେହରେ ଡାକି କହିଲା, “ଦେଖ ତମେ ତ କୁକୁଡାଗୁଡିଙ୍କୁ ଅତି ଯତ୍ନରେ ରଖିଛ । ଏମିତିକି ମୋତେ ସୁଦ୍ଧା ବି ଗୋଟିଏ ଦେଉ ନାହଁ । ବିକିବାର ତ କୌଣସି ପ୍ରଶ୍ନ ହିଁ ଉଠୁନାହିଁ । ତେଣୁ ଆମ ଜମିଜମା ଛଡା ଆମର ଚଳିବାର ଆଉ କିଛିବି ଉପାୟ ନାହିଁ । ଏ ବର୍ଷ ଜମିରେ ଧାନ ମୁଗ କିଛି ଭଲ ଫସଲ ଧରୁନାହିଁ । ମୁଁ ଯାଇ ଜଣେ ବାବାଜୀଙ୍କୁ ଏ ବିଷୟରେ ପଚାରିବାରୁ ସେ କହିଲେ କୌଣସି କାରଣରୁ ଫସଲ ଦେବତା ଆମ ଉପରେ ରୁଷ୍ଟ ହୋଇଛନ୍ତି ଯଦି ତାଙ୍କୁ ଖୁସି କରାଯାଏ ତେବେ ସେ ଆମକୁ ଭଲ ଫସଲ ଦେବେ ।”
ରମାବାଈ କହିଲା “ଆଚ୍ଛା, ତେବେ ତାଙ୍କୁ କିପରି ଖୁସି କରାଯିବ ସେକଥା କୁହ ମୁଁ ତାହା ଏବେ କରିବି ।”
ଦାମୋଦର ଟିକିଏ ରହିଯାଇ କହିଲା, “ଦେଖ ରମା ବାବାଜୀ କହିଛନ୍ତି ଆମ କ୍ଷେତ ପାଖରେ ଥିବା ଓସ୍ତଗଛରେ ଗୋଟାଏ କୋରଡ ଅଛି । ସେଠାରେ କୃଷି ଦେବତା ବାସ କରନ୍ତି । ତମେ ପ୍ରତିଦିନ ଭାତ ମାଂସ ରାନ୍ଧି ନେଇ ସେଇ କୋରଡରେ ରଖିଦେଇ ଆସିବ । କେବେବି ପଛକୁ ବୁଲି ଚାହିଁବ ନାହିଁ । କୃଷି ଦେବତା ନିଜେ ଆସି ସେସବୁ ଖାଇଦେବେ । ରମାବାଈ ସେଇଆ କଲା । ତାକୁ ମାସେ ପର୍ଯ୍ୟନ୍ତ ଏପରି କରିବାକୁ କୁହାହୋଇଥାଏ । ରମାବାଈ ରାନ୍ଧି ରଖିଦେଇ ଆସେ ଆଉ ଦାମୋଦର ସେତକ ମହା ଆନନ୍ଦରେ ଖାଏ । ରମା ଦେଖିଲା ଏତେ ପୂଜା ହେବା ସତ୍ତ୍ୱେ ମଧ୍ୟ ଫଳ ତ କାହିଁ କିଛି ହେଲେବି ହେଉନାହିଁ । ଜମି, କ୍ଷେତ ସେମିତି ପଡି ରହିଛି । ଠିକ୍ ଶେଷଦିନ ସେ ଖାଇବା ରାନ୍ଧି ରଖିଦେଇ ଆସି ଆଉ ଏକ ଗଛ ଆଢୁଆଳରେ ଛପି ରହି ଦେଖିଲା ଦାମୋଦର ଏପାଖ ସେପାଖ ଟିକିଏ ଚୋରଙ୍କ ପରି ଅନାଇ ଦେଇ ଖାଦ୍ୟ ନେଇ ମହା ଆନନ୍ଦରେ ଖାଉଛି । ଏସବୁ ଘଟଣା ଦେଖି ରମାବାଈ ରାଗରେ ପାଚି ଏକବାରେ ଲାଲ୍ ହୋଇଗଲା । ଖଣ୍ଡେ ବାଡି ଧରି ସେ ଚିତ୍କାର କରି ଆସି ପହଁଚିଲା ଓ ଦାମୋଦରର କିଛି କଥା ଶୁଣିବା ପୂର୍ବରୁ ତାକୁ ସେ ପିଟି ଦେଇଗଲା । ସେ କହିଲା ଏପରି ଅବସ୍ଥାରେ ଏପରି ଏକ ବ୍ୟକ୍ତି ସହିତ ଘର କରି ରହିବା ବଡ କଷ୍ଟକର ।
ତା’ପରେ ସେ ତା’ ବାପଘରକୁ ଚାଲିଯିବାକୁ ସ୍ଥିର କଲା । ପେଡିପେଟରା ବନ୍ଧାବନ୍ଧି କରି ପଡୋଶୀ ଘରମାମୁଁଙ୍କୁ ଠାରୁ ବିଦାୟ ନେବାପାଇଁ ଗଲା । ତା’ପରେ ସେ ସେମାନଙ୍କୁ ନିଜ ସ୍ୱାମୀର କାରସାଦି କଥା ସବୁ ଖୋଲି କହିଲା ।
ଇତିମଧ୍ୟରେ ଦାମୋଦର ରମାବାଈର ଗଣ୍ଠିଲି ସବୁ ପେଟରାରୁ ବାହାର କରିଦେଇ ସେ ନିଜେ ତା’ ଭିତରେ ପଶି ରହିଲା । ଯିବା ସମୟ ହୋଇଗଲା ମୁଲିଆମାନେ ପେଟରା, ବାକ୍ସ ଓ ଅନ୍ୟାନ୍ୟ ଜିନିଷ ସବୁ କାନ୍ଧେଇ ଆଗରେ ଚାଲିଲେ । ପଡୋଶୀ ମହିଳାମାନେ ରମାବାଈକୁ ବିଦାୟ ଦେଲେ । ତା’ପରେ ରମାବାଈ ତା’ ବାପଘରକୁ ଗଲା ।
ବାପଘରେ ପହଁଚି ରମା ତାର ମା’ଙ୍କୁ ସବୁକଥା କହି କାନ୍ଦିଲା । ରମାର ମା’ ତାକୁ ସାନ୍ତ୍ୱନା ଦେଉ ଦେଉ କହିଲେ, “ଝିଅ ଆଉ କାନ୍ଦନା, ତୁ ଏଇଠି ରହି, ସେ ବଦମାସର ମୁହଁକୁ ସୁଦ୍ଧା ଚାହିଁବା ଆଉ କିଛିବି ଦରକାର ନାହିଁ ।”
ତା’ପରେ ରମାର ମା’ କୌତୁହଳବଶତଃ ପେଡିର ଢାଙ୍କୁଣୀ ଖୋଲିଦେବା ମାତ୍ରେ ଦାମୋଦର ତହିଁରୁ ବାହାରି ପଡି କହିଲା, “ମା’ ମୁଁ ଏହା ଭିତରେ ଥିଲି – ଆପଣଙ୍କ ହତଭାଗ୍ୟ ଜାମାତା – ଆପଣଙ୍କ ଚରଣ ଦର୍ଶନ ପାଇଁ ଏହାରି ଭିତରେହିଁ ଲୁଚି କରି ଆସିଛି । ଆଉ ବାକି ସବୁକଥା ତ ଝିଅଠାରୁ ଶୁଣିଥିବେ ।”
ଏସବୁ ଘଟଣା ଦେଖି ରମାର ମା’ ଭୀଷଣ ରାଗିଗଲେ । ସେ ଭାବିଲେ, “ମୋ ଘରେ ଆସି ରହିବା ପାଇଁ ଏ ଦୁହେଁ ଇଚ୍ଛା କରି ଏପରି କରିଛନ୍ତି । ମୁଁ ଏମାନଙ୍କୁ ଏଠାରେ ମୋଟେ ପ୍ରଶ୍ରୟ ଦେବି ନାହିଁ ।” ସେମାନଙ୍କୁ ସାବଧାନ କରାଇ ସେ କହିଲେ, “ଓ ଏଇ କଥା? ମୁଁ ସବୁ ବୁଝି ପାରିଛି । ଏଠାରୁ ତୁରନ୍ତ ଚାଲିଯାଅ ଏବଂ ମନେରଖ ଜୀବନରେ ମୋ ଦ୍ୱାର ଆଉ କେବେବି ମାଡିବ ନାହିଁ ।”
ଏସବୁ କଥା ଶୁଣି ରମାବାଈ ବିଚରା କିଂକର୍ତ୍ତବ୍ୟବିମୂଢ ହୋଇ ସ୍ୱାମୀ ସହିତ ପୁଣି ନିଜ ଘରକୁ ଫେରିଗଲା ।