ଏକଜନ୍ମରେ ବୋଧିସତ୍ୱ ବାରାଣସୀର ରାଜା ବ୍ରହ୍ମଦତଙ୍କ ପାଟରାଣୀଙ୍କ ଗର୍ଭରୁ ତାଙ୍କର ପୁତ୍ରରୂପେ ଜନ୍ମିଥିଲେ । ଯଥାସମୟରେ ସେ ପିତାଙ୍କଦ୍ୱାରା ତକ୍ଷଶିଳାକୁ ପ୍ରେରିତ ହୋଇ ସେଠାରେ ବିବିଧ ଶାସ୍ତ୍ରରେ ପାରଦର୍ଶିତା ଲାଭକଲେ । ଏହାଛଡା ସେ ନିଜର ଗୁରୁଙ୍କଠାରୁ ଏକ ବିଶିଷ୍ଟ ବିଦ୍ୟା ଶିକ୍ଷା କରିଥିଲେ । ଏହା ଫଳରେ ସେ ପଶୁପକ୍ଷୀଙ୍କର କଥା ମଧ୍ୟ ବୁଝିପାରୁଥିଲେ । ବିଦ୍ୟାଶିକ୍ଷା ପରେ ସେ ବାରାଣସୀକୁ ଫେରିଆସିଲେ ।
ବୋଧିସତ୍ୱ ତକ୍ଷଶିଳାରେ ଥିବା ସମୟରେ ରାଜା ବ୍ରହ୍ମଦତ କେତେକ ଲୋକଙ୍କ ପ୍ରରୋଚନାରେ ପଡି ପୁତ୍ରପ୍ରତି ବିଦ୍ୱେଷ ଭାବପୋଷଣ କରିଥିଲେ । ଏପରି କି ସେ ପୁତ୍ରର ମୃତ୍ୟୁ କାମନା କରିବାକୁ କୁଣ୍ଠିତ ନଥିଲେ । ବୋଧିସତ୍ୱ ରାଜଧାନୀକୁ ଫେରିଆସିବାରୁ ସେ ପ୍ରଥା ଅନୁସାରେ ତାଙ୍କୁ ରାଜପ୍ରତିନିଧିରୂପେ ନିଯୁକ୍ତ କଲେ ମଧ୍ୟ ମନେ ମନେ ତାଙ୍କର ଅନିଷ୍ଟ ଚିନ୍ତା କରୁଥିଲେ ।
ଦିନେ ଗଭୀର ରାତ୍ରିରେ ସମସ୍ତେ ନିଦ୍ରାରେ ଅଭିଭୂତ ଥିବା ସମୟରେ ଗୋଟିଏ ଶୃଗାଳୀ ତାହାର ଦୁଇଟି ଶାବକ ସହିତ ନଗରରେ ପ୍ରବେଶ କଲା । ରାଜପ୍ରାସାଦରେ ଯେଉଁଠାରେ ବୋଧିସତ୍ୱ ରହୁଥିଲେ, ତାହାର ନିକଟବର୍ତୀ ଗୋଟିଏ କୋଠରିରେ ଜଣେ ପଥଶ୍ରାନ୍ତ ପଥିକ ବିଶ୍ରାମ କରୁଥିଲା । ସେ ପାଦରୁ ଜୋତାଯୋଡିକ ଖୋଲି ରଖିଦେଇ ଶୋଇବାକୁ ଗଲା; କିନ୍ତୁ ତା’ର ନିଦ୍ରା ଆସିନଥାଏ । ଶୃଗାଳଶାବକମାନେ କ୍ଷୁଧାର୍ତ ହୋଇ ମାଆକୁ ଖାଇବାକୁ ମାଗିବାରୁ ସେ କହିଲା, “ତୁମ୍ଭେମାନେ ଗୋଳମାଳ କରନାହିଁ । ପଥିକଟିକୁ ନିଦ ହୋଇଗଲେ ମୁଁ ତା’ର ଜୋତାଯୋଡିକ ଆଣି ତୁମକୁ ଖାଇବାକୁ ଦେବି ।”