ବୋଧିସତ୍ୱ ଶୃଗାଳୀର କଥା ଶୁଣି ମନେ ମନେ ଚିନ୍ତିତ ହେଲେ । ପ୍ରକୃତରେ ତିନିଦିନ ପରେ ଜଣେ ଶତ୍ରୁରାଜା ସୈନ୍ୟ ଘେନି ନଗରକୁ ଅବରୋଧ କଲେ । ରାଜା ବୋଧିସତ୍ୱଙ୍କୁ ଆଦେଶ ଦେଲେ, “ଶତ୍ରୁ ଆମ ନଗର ଆକ୍ରମଣ କରିଛି । ଯାଅ, ତାକୁ ବିତାଡିତ କର ।” ବୋଧିସତ୍ୱ ବିନୀତଭାବରେ ଉତ୍ତର କଲେ, “ପିତଃ, ମୁଁ ଗୋଟିଏ ଅଶୁଭ ସୂଚନା ପାଇଛି ଯେ ଶତ୍ରୁ ସହିତ ଯୁଦ୍ଧକଲେ ସେଥିରେ ମୋର ମୃତ୍ୟୁ ହେବ । ତେଣୁ ମୋତେ ପଠାନ୍ତୁନାହିଁ ।” ସହଜେ ରାଜା ବୋଧିସତ୍ୱଙ୍କ ଉପରେ ବିରକ୍ତ ଥିଲେ । ଏହି ଉତ୍ତର ରେ ସେ କ୍ରୋଧାନ୍ଧ ହୋଇ କହିଲେ, “ଯୁଦ୍ଧରେ ତୋର କଅଣ ହେବ, ତାହା ବିଚାର କରିବା ସମୟ ଏ ନୁହେଁ । ଶତ୍ରୁକୁ ବିତାଡିତ କରିବା ରାଜପ୍ରତିନିଧିର କାର୍ଯ୍ୟ । ତେଣୁ ତୋତେ ଯିବାକୁ ହେବ ।”
ଅଗତ୍ୟା ରାଜାଙ୍କର ଆଦେଶ ମାନି ବୋଧିସତ୍ୱଙ୍କୁ ଯିବାକୁ ହେଲା । କିନ୍ତୁ ଯେଉଁ ଦ୍ୱାର ଶତ୍ରୁଦ୍ୱାରା ଅବରୁଦ୍ଧ ହୋଇଥିଲା ସେ ଦ୍ୱାରବାଟେ ନଯାଇ ସେ ଅନ୍ୟ ଏକ ଗୁପ୍ତଦ୍ୱାର ବାଟେ ବାହାରିଗଲେ । ନଗରର ଲୋକେ ତାଙ୍କୁ ଅନୁସରଣ କରି ନଗରରୁ ଚାଲିଗଲେ । ସେ ନଗରବାସୀଙ୍କ ସହିତ ଯାଇ ଗୋଟିଏ ପ୍ରଶସ୍ତ ପ୍ରାନ୍ତରରେ ଶିବିର ପକାଇ ଶତ୍ରୁକୁ ଅପେକ୍ଷା କରି ରହିଲେ ।
ଏଣେ ରାଜା ଚିନ୍ତାକଲେ, “ପୁଅ ନଗରର ସୈନ୍ୟସାମନ୍ତ ଓ ଲୋକମାନଙ୍କୁ ନେଇ ଚାଲିଗଲା । ବର୍ତ୍ତମାନ ସହର ଜନଶୂନ୍ୟ । ଶତ୍ରୁ ଆସିଲେ ଅକ୍ଳେଶରେ ନଗର ଅଧିକାର କରି ମୋତେ ବଧ କରିବ । ଆଗେ ନିଜର ଜୀବନ ରକ୍ଷା କରିବା ଦରକାର । ଏହିପରି ବିଚାରି ସେ ପାଟରାଣୀ, ରାଜପୁରୋହିତ ଓ ପରନ୍ତପ ବୋଲି ଜଣେ ବିଶ୍ୱସ୍ତ ଭୃତ୍ୟ, ଏହି ତିନିଜଣଙ୍କୁ ସଙ୍ଗରେ ଘେନି ଛଦ୍ମବେଶରେ ରାଜପ୍ରାସାଦ ଛାଡି ପଳାଇଗଲେ ଓ ଗୋଟିଏ ବନରେ ଲୁଚି ରହିଲେ ।
ରାଜା ପଳାଇ ଯାଇଥିବା ସମ୍ବାଦ ପାଇ ବୋଧିସତ୍ୱ ସମସ୍ତ ଅନୁଚର ସହିତ ନଗରକୁ ଫେରି ଆସିଲେ ଓ ଶତ୍ରୁ ସହିତ ଯୁଦ୍ଧ କରି ସେମାନଙ୍କୁ ତଡିଦେଲେ । ରାଜ୍ୟ ନିରାପଦ ହେଲା । ବୋଧିସତ୍ୱ ନିଦ୍ୱର୍ନ୍ଦ୍ୱରେ ରାଜ୍ୟଶାସନ କରିବାକୁ ଲାଗିଲେ ।