ରାଜାଙ୍କ ଶବକୁ ନେଇ ପରନ୍ତପ ଗୋଟିଏ ନିଭୃତ ସ୍ଥାନରେ ପୋତିଦେଲା । ସେ ଚିନ୍ତା କରିବାକୁ ଲାଗିଲା, ‘ମୁଁ ରାଜାଙ୍କୁ ତରବାରିରେ ହତ୍ୟା କଲାବେଳେ ବନ ମଧ୍ୟରେ ଗୋଟାଏ ଗଛରୁ କେହି ଖସିପଡିବାର ଶବ୍ଦ ସଂଗେ ଚିତ୍କାର ମଧ୍ୟ ଶୁଣାଯାଇଥିଲା । କିଏ ଏହି ଚିତ୍କାର କରୁଥିଲା? ସେ ଏହି ପ୍ରଶ୍ନର କୌଣସି ସମାଧାନ କରିପାରିଲା ନାହିଁ । କୁଟୀରକୁ ଆସି ସେ ରାଜାଙ୍କୁ ହତ୍ୟା କରିଥିବା ସମ୍ବାଦ ରାଣୀଙ୍କୁ ଦେଲା । ରାଣୀ ଏଥିରେ ଆନନ୍ଦିତ ହେଲେ ।
ରାଜପୁରୋହିତ କୁଟୀରକୁ ଆସି ଅନ୍ଧ ହୋଇଯାଇଥିବାର ଛଳନା କଲେ । ପରନ୍ତପ ପଚାରିଲା, “ତୁମର ଏପରି ହଠାତ୍ ଅନ୍ଧ ହୋଇଯିବାର କାରଣ କଅଣ?”
ପୁରୋହିତ ପରନ୍ତପକୁ ଚିହ୍ନିପାରିଲେହେଁ ଛଳନା କରି କହିଲେ, “ମହାରାଜ, ମୁଁ ଆଜି ବଡ ବିପଦରେ ପଡିଲି । ଜୀବନ ନଯାଇ ଯେ କେବଳ ଆଖିଦୁଇଟି ଯାଇଛି ତାହାହିଁ ମୋର ସୌଭାଗ୍ୟ । ମୁଁ ବନ ମଧ୍ୟରେ ଗୋଟିଏ ହୁଙ୍କା ପାଖରେ ଛିଡା ହୋଇଥିଲି । ସେଥିରେ ଯେ ଏତେ ଭୀଷଣ ସର୍ପ ଅଛନ୍ତି ମୋତେ ଜଣାନଥିଲା । ମୋର ପାଦ ଶବ୍ଦ ଶୁଣି ଗୋଟିଏ ସାପ ସୁ ସୁ ଶବ୍ଦ କରି ମୋତେ ଦଂଶିବାକୁ ଆସିଲା । ତାରି ନିଶ୍ୱାସବାୟୁ ମୋ ଆଖିରେ ବାଜିବାମାତ୍ରେ ମୁଁ ଅନ୍ଧ ହୋଇଗଲି । ଭାଗ୍ୟର କଥା, ସେ ମୋତେ ଦଂଶିନାହିଁ । ନୋହିଲେ ମୁଁ ପ୍ରାଣ ଘେନି ଫେରି ନଥାନ୍ତି ।”
ପରନ୍ତପ ବୁଝିପାରିଲା ବ୍ରାହ୍ମଣ ତାକୁ ରାଜା ବୋଲି ମନେକରିଛନ୍ତି । ସେ କହିଲା, “ପୁରୋହିତେ! ଆଖିକୁ ଦେଖାଯାଉନାହିଁ ବୋଲି ଚିନ୍ତା କରନାହିଁ । ତୁମେ ଆମର କୁଳପୁରୋହିତ । ମୋର ଜୀବନ ଥିବାଯାକେ ମୁଁ ତୁମର ଯତ୍ନ ନେଉଥିବି । ଭାଗ୍ୟରେ ଥିଲେ ମୁଁ ଯେବେ ପୁଣି ରାଜା ହୋଇ ରାଜ୍ୟକୁ ଫେରିଯାଏଁ, ତେବେ ତୁମକୁ ପ୍ରଚୁର ଅର୍ଥ ଦେବି; ତୁମେ ସୁଖରେ ଦିନ କଟାଇପାରିବ ।”
ସେହିଦିନଠାରୁ ପରନ୍ତପ ବନକୁ ଯାଇ ଫଳମୂଳ ସଂଗ୍ରହ କରିବାକୁ ଲାଗିଲା । ରାଣୀ ଓ ପୁରୋହିତ କୁଟୀରରେ ରହି ସେହି ଫଳ ଖାଉଥିଲେ ।
ଯଥାସମୟରେ ରାଣୀଙ୍କ ଗର୍ଭରୁ ଏକ ପୁତ୍ର ଜାତ ହେଲା । ପିଲାଟି ଦିନକୁ ଦିନ ବଢି ଯୌବନରେ ପଦାର୍ପଣ କଲା ।
ଦିନେ ରାଣୀ ପରନ୍ତପକୁ ଗୋପନରେ ପଚାରିଲେ, “ତୁମେ କହୁଥିଲ, ରାଜାଙ୍କୁ ହତ୍ୟା କଲାବେଳେ କେହି ଜଣେ ତୁମକୁ ଦେଖିଥିଲା । ସେ ଲୋକଟି କିଏ ବୁଝିଛ?”
ପରନ୍ତପ ଉତ୍ତର କଲା, “ମୋତେ କେହି ଦେଖିନାହାଁନ୍ତି । ଜଣେ କିଏ ଗଛରୁ ଖସିପଡି ଚିତ୍କାର କରିବାର ମୋତେ ଶୁଣାଗଲା । ସେ ମନୁଷ୍ୟ କି କୌଣସି ବନ୍ୟଜନ୍ତୁ, ତାହା ମୋତେ ଜଣାନାହିଁ । ଗଛର ଡାଳଟା ହଲିଗଲା, ଗୋଟାଏ ଶବ୍ଦ ହେଲା । ସେ କଥା ମନେପଡିଲେ ଏବେ ମଧ୍ୟ ଭୟରେ ଦେହ ଥରିଉଠେ ।”