ଶୁଆ କହିଲା ଶାରୀଲୋ ମୁଁ ତୋତେ ପୁରୁଷର ପରୋପକାର କଥା ସିନା କହିଲି, ହେଲେ ତୁମର ମାଇପ ଜାତିଯେ କେଡେ ବେଇମାନୀ ସେ କଥା ମଧ୍ୟ ଶୁଣ ।
ଏହା ପରେ ଶୁଆ ଆରମ୍ଭ କଲା – ରାଜା ଝିଅ ଛଇଳାକୁ । ବିଜୟ ସେନ୍ ସେହି ପଳାତକ ରାଜ କୁମାରୀଙ୍କ ସହିତ ବିବାହ କରାଇ ଦେଇ ନିଜର ପ୍ରତିଜ୍ଞା ପୂରଣ କଲେ ତାପରେ ସେମାନଙ୍କୁ ଛାଡି ଦେଇ ନିଜେ ଅଶ୍ୱରେ ବସି ଶୁଆ ସହିତ ନିଜ ରାଜ୍ୟକୁ ଫେରି ଗଲେ ।
ଏହା ପରେ ରାଜ କନ୍ୟା ଛଇଳାକୁ ବିବାହ କରି ପିତାଙ୍କ ଗୃହରେ ସେହି ପଳାତକ ରାଜ କୁମାରଙ୍କ ସହିତ ରହି ମହା ଆନନ୍ଦରେ କିଛି ଦିନ ସମୟ ବିତାଇଲେ । ଦିନକର କଥା ପଳାତକ ରାଜ କୁମାର ନିଜର ଶଶୁର ରାଜାଙ୍କ ନିକଟରେ ଜଣାଇଲା ଯେ, ଅନେକ ଦିନ ହେଲା ମୁଁ ଆମ ରାଜ୍ୟରୁ ଆସିଲିଣି, ତେଣେ ପିତା ମାତା ମୋର ଫେରିବା ବାଟକୁ ଚାହିଁ କଷ୍ଟ ପାଉ ଥିବେ । ଏବେ ମୁଁ ମୋ ରାଜ୍ୟକୁ ଫେରିଯିବା ଲାଗି ଚାହୁଁଛି ।
ଏ କଥା ଶୁଣି ରାଜା ଖୁବ୍ ଖୁସି ହେଲେ । ମୋପରି ସେମାନେ ମଧ୍ୟ ପିତା, ମାତା, ଝିଅ ହେବା ପରେ କଥାରେ ଅଛି, ଦେଲି ନାରୀ ହେଲି ପାରି । ଆଉ ସେ ଝିଅ ଉପରେ ମୋର କି ଅଧିକାର ଅଛି । ସେମାନେ ଶଶୁର ଘରେ ବା କାହିଁକି ରହିବେ । ଦିନେନା ଦିନେ ମୋ ରାଜ୍ୟ ବାସୀ ମୋ ନାମରେ ନିନ୍ଦା ରଟନା କରିବେ ।
ଜ୍ୱାଇଁଙ୍କ କଥାରେ ରାଜା ଖୁସି ହେଲେ । ଆଉ ମଧ୍ୟ ଯେତେ ଯାହା ଜାନି ଯୌତୁକ ତାହା ସମସ୍ତ ନେଇ ଏକ ଜାହାଜରେ ବୋଝେଇ କରି ଜାହାଜ ସହ ଝିଅ ଜୋଇଁଙ୍କୁ ବିଦା କରି ଦେଲେ ।
ଜାହାଜଟି ଆର ରାଜ୍ୟରେ ପହଁଚିବା ଲାଗି ଦଶ ପନ୍ଦର ଦିନ ଲାଗେ । ସେଥି ପାଇଁ ଜାହାଜ ମଧ୍ୟରେ ଏକ ମାସ ନିମନ୍ତେ ରାଜା ଖାଦ୍ୟ ପେୟ ମଧ୍ୟ ଦେଇ ଥିଲେ ।
ଯାଉ ଯାଉ ଜାହାଜ ସମୁଦ୍ର ମଝିରେ ପହଁଚିଲା । ଦଇବ ଦୁର୍ଯୋଗକୁ କାହାରବା ହାତ, ଅଚାନକ ସମୁଦ୍ର ମଧ୍ୟରେ ଝଡ ସୃଷ୍ଟି ହେଲା । ବଡ ବଡ ଢେଉ ଆସି ଜାହାଜ ଉପରେ ପିଟି ହେଲା । ଏପରି ହେଲା ଯେ ପ୍ରବଳ ପବନର ଦାଉରୁ ନାବିକ ମାନେ ଜାହାଜକୁ ଆଉ ନିଜ ଆୟତରେ ରଖି ପାରିଲେ ନାହିଁ । ଯାହା ଦୁର୍ଯୋଗ ତାଙ୍କୁ ବିଧାତାଙ୍କ ବ୍ୟତୀତ କିଏ ବା ରକ୍ଷା କରି ପାରିବ । ଭଗବାନଙ୍କର ନିଷ୍ଠୁର ଆଦେଶରେ ଜାହାଜଟି ଦିଗ ମୋଡ ହୋଇ ବହୁ ଦୂରକୁ ଚାଲି ଗଲା ଓ ସମୁଦ୍ର ମଧ୍ୟରେ ବୁଡି ଗଲା ।
ଜାହାଜ ମଧ୍ୟରେ ଯେତେ ଯାତ୍ରୀ ଥିଲେ କାହାରି ବି ପତା ମିଳିଲା ନାହିଁ । ଏହି ପରି ଭାବରେ ଚାରି ପାଂଚ ଦିନ ବିତି ଗଲା । ପାଂଚ ଦିନ ପରେ ରାଜ ପୁତ୍ରଙ୍କୁ ଗୋଟିଏ କୂଳରେ ଲାଗିବାର ଦେଖି ଲୋକମାନେ ନେଇ ତାହାଙ୍କୁ ସାଷ୍ଟାଙ୍ଗ କଲେ । ସେମାନେ ରାଜ କୁମାରଙ୍କୁ ସାଙ୍ଗରେ ରଖିଲେ । ତାଙ୍କର ଖାଇବା ପିଇବାର ଯତ୍ନ ନେଲେ ।
ଏଣେ ରାଜ କୁମାରୀ ସାଗର ମଧ୍ୟରେ ଭାସୁ ଥିବା ଅବସ୍ଥାରେ ଅନ୍ୟ ଜଣେ ରାଜାଙ୍କର ବୋଇତ ଦ୍ୱାରା ଉଦ୍ଧାର କରା ଗଲା । ସେ ରାଜା ଥିଲେ ଚମ୍ପକ ନଗ୍ରର ରାଜା ଚିତ୍ର ସେନ । ଚିତ୍ର ସେନ ରାଜ କୁମାରୀ ଛଇଳାର ରୂପ ସୁନ୍ଦର ଦେଖି ତାଙ୍କୁ ରାଜ୍ୟର ଦ୍ୱିତୀୟ ରାଣୀ କରି ରଖିବାକୁ ମନସ୍ଥ କରି ରାଜ୍ୟକୁ ନେଇ ଗଲେ । ରାଜ କୁମାରୀ ଛଇଳା ରାଜ ଉଆସରେ କିଛି ଦିନ ରହିବା ପରେ ସେ ନିଜର ସ୍ୱାମୀଙ୍କ କଥାକୁ ମନରୁ ପାଶୋରି ସାରି ଥିଲେ । ତେଣୁ ରାଜ କୁମାରୀ ଛଇଳାଙ୍କ ମନରେ ନିଜର ସ୍ୱାମୀଙ୍କ ଲାଗି ସାମାନ୍ୟତମ ଦୁଃଖ ବି ହେଉ ନଥାଏ ।
ଦିନକର କଥା ରାଜା ଚିତ୍ର ସେନ ନିଜର ଉଆସକୁ ରାଜ କୁମାରୀ ଛଇଳାଙ୍କୁ ଡକାଇ ଆଣିଲେ । ନିଜ ଉଆସରେ ରାଜ କୁମାରୀଙ୍କୁ ବହୁତ ସମ୍ମାନ ଦେଲେ । ତାପରେ ତାଙ୍କୁ ପ୍ରସ୍ତାବ ଦେଲେ ଯେ ତୁମେ ଅଧମରା ଅବସ୍ଥାରେ ସମୁଦ୍ର ମଝିରେ ଭାସୁ ଥିଲ । ମୁଁ ତୁମକୁ ସେହି ବିପଦରୁ ରକ୍ଷା କରି ମୋର ରାଜ୍ୟକୁ ଘେନି ଆସିଲି । ହେଲେ ମୋର ଇଚ୍ଛାଯେ ତୁମକୁ ମୁଁ ମୋର ରାଜ ଉଆସରେ ରାଣୀ କରି ରଖିବାକୁ । ତୁମେ ଯେବେ ମୋ କଥାରେ ରାଜି ହୋଇ ଯିବ ତାହା ହେଲେ ରାଜ ନଅରରେ ତୁମ ସହିତ ମୋର ବିବାହର ଆୟୋଜନ କରିବି ।
ରାଜ କୁମାରୀ ଛଇଳା ଜାଣି ଥିଲା ସମୁଦ୍ର ଗର୍ଭରେ ଆମର ଜାହାଜଟା ସମ୍ପୂର୍ଣ୍ଣ ଲୀନ ହୋଇ ଗଲା । ଭାଗ୍ୟ ବଳକୁ ସିନା ମୋତେ ରାଜା ଚିତ୍ର ସେନ ଉଦ୍ଧାର କରି ଆଣିଲେ ହେଲେ ରାଜ କୁମାର କ’ଣ ସତରେ ଆଉ ଜୀବନରେ ଥିବେ । ଯିଏ ଗଲା ସିଏ ଗଲା । ତାଙ୍କ ପାଇଁ ମୁଁ କାହିଁକି ଯେ ମୋର ଜୀବନଟାକୁ ବିଧବା ବେଶରେ କଷ୍ଟ ଦେଇ ମରିବା ଯାଏଁ ବଂଚି ରହିବି । ତେଣୁ କରି ଚିତ୍ର ସେନ ରାଜାଙ୍କୁ ମୁଁ ବିବାହ କରି ବରଂ ସୁଖ ଶାନ୍ତିରେ ବଂଚି ରହିବି ।
ଏହି ପରି ଭାବି ଭାବି ରାଜ କୁମାରୀ ଛଇଳା ରାଜାଙ୍କୁ ବିବାହ ହେବାକୁ ରାଜି ହୋଇ ଯିବାରୁ ରାଜା ଖୁବ୍ ଯାକ ଯମକରେ ନିଜର ବିବାହ ଉତ୍ସବ ପାଳନ କଲେ ଓ ରାଜ କୁମାରୀଙ୍କୁ ବିବାହ କରି ମହା ସୁଖରେ ସମୟ ଅତିବାହିତ କରିବାକୁ ଲାଗିଲେ ।
ଏଣେ ରାଜ କୁମାର ଦୈବ ବଳରୁ ସମୁଦ୍ର ଢେଉରେ ଭାସି ଭାସି କୂଳରେ ଲାଗିଲା । ଶରୀରରେ ଶକ୍ତି ନାହିଁ । ଚାରି ପାଂଚ ଦିନ ହେଲା ଖାଇବା ପିଇବା ନାହିଁ । ଆଖି ଆଗରେ ତାର ନାଚୁ ଥାଏ ରାଜ କୁମାରୀ ଛଇଳାର କଥା । ସେ କେବଳ ସମୁଦ୍ର ମଧ୍ୟକୁ ବିକଳରେ ଚାହିଁ କାନ୍ଦୁ ଥାଏ ।
ଏହି ସମୟରେ ସମୁଦ୍ର ତଟବର୍ତୀ ଗ୍ରାମର ଲୋକମାନେ ସମୁଦ୍ର କୂଳକୁ ମାଛ ଶିକାର କରିବାକୁ ଯାଉ ଥିଲେ । ସେମାନଙ୍କ ଆଖିରେ ରାଜ କୁମାର ଏପରି ଅବସ୍ଥାରେ ପଡି ଥିବା ଦେଖି ତାଙ୍କୁ ପାଣିରୁ ଛାଣି ଆଣି ତା’ର ସେବା ଶୁଶ୍ରୁଷା କରି, ସାଷ୍ଟାଙ୍ଗ କରାଇଲେ ଓ ସାଙ୍ଗରେ ଗ୍ରାମକୁ ନେଇ ଯାଇ ରାଜ କୁମାରଙ୍କୁ ଖାଇବା ପିଇବାକୁ ଦେଇ ସବୁ ଦୁଃଖକୁ ଭୁଲି ଯିବା ଲାଗି କହିଲେ ।
ଗ୍ରାମ ବାସୀ ମାନଙ୍କର ଏପରି ସ୍ନେହ ଆଶ୍ୱାସନାରେ ରାଜ କୁମାରଙ୍କର ମନ ବଦଳି ଗଲା । ସେ ଖିଆ ପିଆ ସାରି ଦୁଇ ଚାରି ଦିନ ଗ୍ରାମରେ ରହିଲା । ଏହା ପରେ ଗ୍ରାମ ବାସୀ ମାନଙ୍କୁ ତାର ଘଟି ଯାଇଥିବା ସମସ୍ତ ଅତୀତ କଥାକୁ କହିଲା ।
ଏ କଥା ଶୁଣି ଗ୍ରାମବାସୀ ମାନେ ଦୁଃଖ ଅନୁଭବ କଲେ । ଯେ ଏ କଥା ଶୁଣିଲା ସେ ହାଇପ ସାଇପ ହେଲା । ଏହି ସମୟରେ ସେ ଗ୍ରାମର ଜଣେ ପୁରୁଣା ବୟସ୍କା ବୁଢି ମାଧିଆ ମାଇପ ରାଜ କୁମାରର ଏପରି ଅବସ୍ଥାକୁ ସହ୍ୟ କରି ପାରିଲା ନାହିଁ ।
ଗ୍ରାମବାସୀ ମାନଙ୍କୁ କହିଲା ଅରେ ୟେ ରାଜ ପୁଅ ତ ପାଣିରେ ଭାସି ଭାସି ଆସି ଜୀବନ ବଂଚାଇଲା, ବର୍ତ୍ତମାନ ସେ ସୁସ୍ଥ । ଯଦି ଭାଗ୍ୟରେ ବିଧାତା ବଂଚିବାକୁ ଲେଖିଥିବେ, ରାଜା ପୁଅ ପରି ରାଜ କୁମାରୀ ଯେବେ ବଂଚି ରହିଥାଏ, କେହି ଯଦି ତାଙ୍କୁ ପାଣିରୁ ଉଦ୍ଧାର କରି ବଂଚାଇ ରଖି ଥିବେ । ମୁଁ ଭାବୁଛି ରାଜ କୁମାରୀକୁ ବିଧାତା ବଂଚାଇ ରଖି ଥିବେ । ତେଣୁ ଆମ ଗ୍ରାମର ଜ୍ୟୋତିଷ ବୁଢାକୁ ଯାଇ କହିବା ସେ ଖଡି ପକାଇବ । ତାର କୋଉ କଥା ସତ ହୁଏ ନାହିଁ କୁହନା ।
ମାଧିଆ ମାଇପ ଯାହା କହିଲା ସତ କହିଲା – ତାଠାରୁ ଏ କଥା ଶୁଣି ଜ୍ୟୋତିଷ ବୁଢା ପାଖକୁ ଗଲେ । ବୁଢା ଏ କଥା ଶୁଣି ସାରି ବହୁତ ଦୁଃଖ କଲା । ତାପରେ ମନ ଧ୍ୟାନ ଦେଇ ଖଡି ପକାଇଲା ।
ଖଡି ପକାଇବା ପରେ ସେ ଦୀର୍ଘ ନିଶ୍ୱାସଟିଏ ଦେଇ କହିଲା ଖଡି ମୋର ଡାକୁଛି ରାଜ କୁମାରୀ ଆଦୌ ମରି ନାହିଁ । ସେ ଆଉ ବିପଦ ମଧ୍ୟରେ ନାହିଁ । ଯେଉଁ ଠାରେ ଅଛି ବେଶ୍ ସୁଖରେ ଅଛି ।
ରାଜ କୁମାରୀ ବଂଚିଛି ଶୁଣିବା ମାତ୍ରେ ଗ୍ରାମବାସୀଙ୍କ ମନରେ ଆନନ୍ଦ ଖେଳି ଗଲା । ସମସ୍ତେ କହିଲେ ହେ ଜ୍ୟୋତିଷ ମହାଶୟ ତମେ ଆଉ ଥରେ ଖଡି ପକାଇ କୁହ ଯେ, ରାଜ କୁମାରୀ ଯେବେ ବଂଚିଛନ୍ତି ତାହା ହେଲେ ସେ କେଉଁ ଦିଗରେ ଓ କିପରି ଅବସ୍ଥାରେ ଅଛନ୍ତି । ଏ କଥାର ସାମାନ୍ୟ ସୁରାକ୍ ପାଇଲେ ତ ଖୋଜିବାକୁ ଯିବା ।
ଜ୍ୟୋତିଷ ପୁଣି କହିଲେ ତାହାତ ଜଣା ପଡିଛି । ରାଜ କୁମାରୀ ବଂଚିଛି କିନ୍ତୁ ସେ ଯେ ଆଉ ଜଣଙ୍କୁ ବିବାହ କରି ସଂସାର କଲାଣି । ରାଜ କୁମାରୀ ଆମ ଗ୍ରାମର ଦକ୍ଷିଣ ଦିଗରେ ଯେଉଁ ରାଜ୍ୟ ଅଛି ସେ ସେହି ରାଜ୍ୟର ରାଜାଙ୍କୁ ବିବାହ କରି ସାରିଛି । ହେଲେ ତାଙ୍କ ଲାଗି ଆଉ ଚେଷ୍ଟା କରି ଲାଭ କ’ଣ । ଶୁଆ କହିଲା ଦେଖିଲୁତ ଶାରୀ – ମାଇପି ଜାତିଙ୍କର କଥା, ରାଜ କୁମାର ରାଜ କୁମାରୀଙ୍କୁ ପାଇବା ପାଇଁ ପାଗଳ ହୋଇ ଯାଉ ଥିଲା । ଯୋଗକୁ ତାଙ୍କ ସଙ୍ଗରେ ସେ ସଂସାର କଲା । ଯଦି ସେ ରାଜ କୁମାରଙ୍କୁ ପ୍ରାଣ ଦେଇ ଭଲ ପାଉ ଥାଆନ୍ତା ତାହା ହେଲେ ତ ସେ ବିଧବା ହୋଇ ଦୁଃଖରେ ଜୀବନ ବିତାଉ ଥାଆନ୍ତା କିମ୍ବା ସ୍ୱାମୀଙ୍କ ବିରହରେ ପ୍ରାଣ ହାରି ଥାଆନ୍ତା । ସେ ଯେତେ ବେଳେ ବିବାହ କରି ଗଲା ଏଥିରେ କ’ଣ ସେ ତାର ସତିତ୍ୱ ନଷ୍ଟ କଲା ନାହିଁ ।
ଜ୍ୟୋତିଷଙ୍କ ମୁଖରୁ ଏ କଥା ଶୁଣି ରାଜ କୁମାର କହିଲା ରାଜ କୁମାରୀ କ’ଣ ସେ ରାଜାଙ୍କୁ ଛାଡି ମୋ ସାଙ୍ଗରେ ପଳାଇ ଆସିବ ନାହିଁ । ଜ୍ୟୋତିଷ କହିଲେ – ତମେ ରାଜ କୁମାର ଏହି ନାରୀ ମାନଙ୍କର ଚରିତ୍ର ବିଷୟରେ ଜାଣି ନାହଁ । ସେମାନଙ୍କୁ ବିଶ୍ୱାସ କରିବା ଯେପରି ଭୁଲ୍, ସେମାନଙ୍କୁ ବିବାହ କରିବା ମଧ୍ୟ ଭୁଲ୍ । ସେ ଯୁଗ ନାହିଁ । ଆରେ ନାରୀ ସତୀ ସାବିତ୍ରୀ, ସୀତା ହୋଇ ଯିବେ । ମୋ କଥା ଯେବେ ତୁମର ବିଶ୍ୱାସ ନ ହେଉଛି ତାହା ହେଲେ ମୁଁ ତୁମ୍ଭଙ୍କୁ ଗୋଟିଏ ସତ୍ୟ ଘଟଣା କହୁଛି ତାହାକୁ ମନ ଦେଇ ଶୁଣ । ଶୁଆ କହିଲା ଏବେ ଶୁଣ ଲୋ ଶାରୀ, ପଣ୍ଡିତଙ୍କ ମୁଖରେ ତୁମ୍ଭ ନାରୀ ମାନଙ୍କର ଚରିତ୍ର କଥା ।