କୁମରସିଂହ ଏଥର ସେ ମହାପୁରୁଷଙ୍କଠୁଁ ବିଦାୟ ନେଇ ଘରକୁ ଆସିଲା । ସାଧୁ ଓ ପରୋପକାରୀ ଲୋକ ହରିଦାସଠୁଁ ବା ବଳି ଆଉ କିଏ ବା ଅଛି? ଏଣୁ ସେ ହରିଦାସକୁ କହିଲା, “ଭାଇ, ଗୋଟିଏ ଗୁମ୍ଫାରେ ଠାକୁର ଅଛନ୍ତି । ସେଠାକୁ ଯାଇ ତାଙ୍କୁ ପ୍ରଣାମ କରି ଆସିବାକୁ ମୋତେ ଜଣେ ମହାପୁରୁଷ ନିର୍ଦ୍ଧେଶ ଦେଇଛନ୍ତି । ଏକା ଯିବାକୁ ଡର ଲାଗୁଛି । କ’ଣ ତମେ ମୋ ସାଥିରେ ଯିବ?”
ସର୍ବଦା ପରୋପକାର ପାଇଁ ପ୍ରସ୍ତୁତ ହରିଦାସ ଏପରି କଥା ଶୁଣି ମନା କରନ୍ତେ ବା କିପରି? ଏହାପରେ ସେ ଦୁହେଁ ନିବିଡ ବଣ ଭିତରେ ଥିବା ଗୁମ୍ଫା ପାଖରେ ଯାଇ ପହଁଚିଲେ । ଗୁମ୍ଫା ଭିତରେ କିଟିମିଟି ଅନ୍ଧାର । ଦୁହେଁ ଯେମିତି ତହିଁ ଭିତରେ ପଶିଛନ୍ତି, ସେମିତି ଗୁମ୍ଫା ଦ୍ୱାର ଆପେ ଗୋଟିଏ ପଥର ଦ୍ୱାରା ବନ୍ଦ ହୋଇଗଲା । କିନ୍ତୁ ଗୁମ୍ଫା ଭିତରେ ଝୁଲୁଥିବା କେତୋଟି ପଥରରୁ ଆଲୁଅ ବାହାରି ଗୁମ୍ଫାକୁ ଆଲୋକିତ କରି ରଖିଥାଏ । ସେହି ପଥର ସବୁ ପରଶ ପଥର ବୋଲି କୁମରସିଂହ ବୁଝିଲା । କିନ୍ତୁ ସେତିକିବେଳେ ଭୀଷଣ ଅଟ୍ଟହାସ୍ୟ ଶୁଭିଲା; ଗୋଟିଏ ବିକଟ ମୂର୍ତ୍ତି ଦେଖାଦେଲା ।
ଏସବୁ ଦେଖି ଛାନିଆରେ କୁମରସିଂହର ପାଟି ଖନି ପଡିଗଲା । ହରିଦାସ ଭଦ୍ର ଭାବରେ କହିଲେ, “ଦେଖନ୍ତୁ ମହାଶୟ, ମୋ ବନ୍ଧୁ ଏଠାକୁ ଠାକୁର ପୂଜିବାକୁ ଆସିଛନ୍ତି । ଆପଣ କିଏ?”
ପୁଣି ଅଟ୍ଟହାସ୍ୟ କରି ସେ ବିକଟ ମୂର୍ତ୍ତି କହିଲା, “ଏଠି ଠାକୁର କାହିଁ? ମୁଁ ଅଛି । ଆଉ ପରଶ ପଥର ଅଛି । ଖଣ୍ଡିଏ ପରଶ ପଥର ଯୋଗ୍ୟ ବ୍ୟକ୍ତିଙ୍କୁ ଦେଲେ ମୋର ମୁକ୍ତି ହେବ ।”
ସଙ୍ଗେ ସଙ୍ଗେ କୁମରସିଂହର ପାଟି ଫିଟିଗଲା । ସେ କହିଲା, “ତେବେ ମୋତେ ଦିଅନ୍ତୁ ।”
ଏହା ଶୁଣି ସେ ମୂର୍ତ୍ତି ଅଟ୍ଟହାସ୍ୟ କରି କହିଲା, “ତୁ ପୁଣି ଯୋଗ୍ୟ? ତୁ ତୋ ଜୀବନରେ ଯେତେ ପାପ କରିଛୁ ତାର ତୁ ହିସାବ ରଖିଛୁ? ହେଇତ ସେଦିନ ପରା ତୁ ଜଣେ ବୁଢୀର ଘର ଖଣ୍ଡିକ ମାରି ନେଇଛୁ! ମୁଁ ପରଶ ପଥର ହରିଦାସକୁ ଦେଇପାରେ ।”
କୁମରସିଂହ ଇର୍ଷାକାତର ହୋଇ ପଚାରିଲା “ହରିଦାସ କେଉଁ ଭଲ କାମ କରିଛି?”
ବିକଟ ମୂର୍ତ୍ତି କହିଲା “କାହିଁକି? ସେ ଅନାଥିନୀ ବୁଢୀକୁ ତ ପ୍ରଥମେ ସିଏ ହିଁ ଆଶ୍ରା ଦେଲା!”
କୁମରସିଂହ କହିଲା “ସେମିତି ଦେଖିଲେ ସେ ବୁଢୀକୁ ତ ଜମିଦାର ଘର ଖଣ୍ଡିଏ ବି କରି ଦେଇଛନ୍ତି । ଜମିଦାର କ’ଣ ତେବେ ହରିଦାସଠୁଁ ବି ମହତ୍ ଲୋକ!”