ବିକ୍ରମପୁରର ରାଜାଙ୍କ ଆକସ୍ମିକ ମୃତ୍ୟୁ ହେବା ଯୋଗୁଁ ଅଳ୍ପ ବୟସରେ ରାଜକୁମାରଙ୍କ ରାଜ୍ୟାଭିଷେକ ହେଲା । ସଂସାର ଅନଭିଜ୍ଞ ନୂଆ ରାଜାଙ୍କୁ ରାଜଗୁରୁ କହିଲେ, “ଯିଏ ଶାସକ ହୁଏ, ତା’ର ପ୍ରଥମ ଜାଣିବା ଉଚିତ୍ ଯେ ପ୍ରତ୍ୟେକ ମାନବ ମଧ୍ୟରେ ମାନବିକତା କେତେଦୂର ରହିଛି । ଯେତେବେଳେ ଆବଶ୍ୟକ ହେବ ମୁଁ ତୁମକୁ ଏସବୁ ବିଷୟରେ ଶିକ୍ଷା ଦେବି ।”
ନୂଆରାଜା ରାଜଗୁରୁଙ୍କୁ ପଚାରିଲେ “ଏସବୁ ଜ୍ଞାନ ହେବାକୁ କେତେ ସମୟ ଲାଗିବ?”
ରାଜଗୁରୁ କହିଲେ, “ମନ ଦେଇ ମଣିଷ ଚରିତ୍ର ବିଷୟରେ ଅନୁଧ୍ୟାନ କଲେ, ଏସବୁ ଜ୍ଞାନ ପ୍ରାପ୍ତ କରିବାରେ ଅଧିକ ବିଳମ୍ବ ହେବ ନାହିଁ ।”
ନୂଆରାଜା ଏପରି ଏକ ସମୟ ସ୍ଥିର କଲେ ଯେ ଦରବାରର ସମସ୍ତ ସଭ୍ୟ ଜଣ ଜଣ କରି ନିଜର ଅଭିଜ୍ଞତା ନୂଆରାଜାଙ୍କୁ କହିବେ ।
ଦିନେ ଜଣେ ଆସି କହିଲା, “ମହାରାଜ, ମୁଁ ଦିନେ ଜଙ୍ଗଲରେ ବୁଲୁଥିଲି, ହଠାତ୍ ମୋ ଗୋଡରେ କଂଟା ପଶି ବଡ କଷ୍ଟ ଦେଲା ଓ ରକ୍ତ ବୋହିଲା । ଠିକ୍ ସେତିକିବେଳେ ଜଣେ ବ୍ୟକ୍ତି ଦୌଡି ଆସି ମୋତେ କହିଲା, ବାଘ ଆସୁଛି ଶିଘ୍ର ଗଛ ଉପରକୁ ଚଢିଯାଅ ।” ସେ ମୋତେ ସାବଧାନ କରି ଚଟାପଟ ନିଜେ ଉପରକୁ ଚଢିଗଲା । ତା’ପଛେ ପଛେ ମୁଁ ମଧ୍ୟ କଷ୍ଟେମଷ୍ଟେ ଚଢିଲି । କିଛି ସମୟ ପରେ ଦେଖାଗଲା ବାଘ ସେହି ବାଟ ଦେଇ ଗଲା । ତା’ପରେ ଆମେ ଦୁହେଁ ଓହ୍ଲାଇ ନିଜ ରାସ୍ତାରେ ଗଲୁ ।” ରାଜଗୁରୁ ପଚାରିଲେ, “ସେହି ବ୍ୟକ୍ତି ପାଖରେ କିଛି ହତିଆର ଥିଲା?”
ଦରବାରର ଉକ୍ତ ବ୍ୟକ୍ତିଟି କହିଲା “ଥିଲା । ପୁଣି ବ୍ୟକ୍ତିଟି ମଧ୍ୟ ବଳବାନ ଲାଗୁଥିଲା ।”
ରାଜଗୁରୁ ନୂଆରାଜାଙ୍କୁ କହିଲେ, “ଏହି ଘଟଣାଟିରେ ଉକ୍ତ ବ୍ୟକ୍ତିର ମାନବିକତା ଏକ ଚତୁର୍ଥାଂଶ ଥିଲା । କାରଣ ସେ ଜଣେ ଲୋକକୁ ସାବଧାନ୍ କଲା ଠିକ୍ ଅଛି କିନ୍ତୁ ସେ କିପରି ଜୀବନ ରକ୍ଷା କରିବ ସେ କଥା ନ ଭାବି ସ୍ୱାର୍ଥପର ଭାବରେ ନିଜେ ଗଛରେ ଚଢି ବସିଲା ।”
ଅନ୍ୟ ଏକ ଦିନରେ ଆଉ ଜଣେ ରାଜକର୍ମଚାରୀ ନିଜର ଅଭିଜ୍ଞତା କହିଲେ ।
“ଜଣେ ଦରିଦ୍ରଲୋକ ଭୋକିଲା ଥିଲା; ସେ ଜଣେ ଧନୀକର ଘର ସମ୍ମୁଖରେ ମୂର୍ଚ୍ଛା ହୋଇଗଲା । ଧନୀକ ତାକୁ ସାଷ୍ଟମ କରି ଉଠାଇଲା, ଖାଦ୍ୟ ଖୁଆଇଲା ଓ ନିଜ ଘରେ ତାକୁ ଚାକିରୀରେ ରଖିଲା । ଦିନେ ସେହି ଧନୀ କୌଣସି କାରଣରୁ ତାକୁ ପିଟୁଥାଏ । ଜଣେ ରାସ୍ତାରେ ଯାଉଥିବା ଲୋକ ଏସବୁ ସହି ନ ପାରି ପଚାରିଲା, “ତାକୁ କାହିଁକି ଏତେ ପିଟୁଛ?”
ଧନୀକ କହିଲା “ଯେତେବେଳେ ଏହି ଲୋକ ମୂର୍ଚ୍ଛିତ ହୋଇ ପଡିଥିଲା, ମୁଁ ତାକୁ ସେବାଯତ୍ନ କରି ପ୍ରାଣ ବଂଚାଇଲି ଓ ଲେଖେଇ ନେଲି କି ଜୀବନ ଥିବା ଯାଏଁ ସେ ମୋର ସେବା କରିବ । ତମେ କିଏ? ଏତେ କଥା ପଚାରୁଛ?”