ରାସ୍ତାର ବ୍ୟକ୍ତି ଧନୀକଠାରୁ ତା’ର ଜୀବନସାରା ଖଟିବାକୁ ଲେଖିଥିବା ପତ୍ର ପଢି ଚିରିଦେଲା ଓ ଗରୀବକୁ କହିଲା, “ଆଜିଠାରୁ ତମେ ସ୍ୱାଧୀନ, ଯୁଆଡେ ଇଚ୍ଛା ଖୁସିରେ ଯାଅ ।” ଏତିକି କହି ସେ ସେଠାରୁ ଚାଲିଗଲା ।
ଏ ଘଟଣା ଶୁଣି ଗୁରୁ କହିଲେ, “ରାସ୍ତାରେ ଯାଉଥିବା ବ୍ୟକ୍ତି ମଧ୍ୟରେ ଶତକଡା ପଚାଶ ଭାଗ ମାନବିକତା ରହିଛି । ଯଦି ସେ ତା’ପାଇଁ କାମଟିଏ ଯୋଗାଡ କରିପାରିଥା’ନ୍ତା, ତେବେ ଠିକ୍ ଥିଲା । ଏବେ ସେ ପେଟ ବିକଳରେ ପୁଣି କେଉଁଠି ନିଜକୁ ବିକ୍ରି କରିବ ବା ଚୋର ହେବ ।”
ନୂଆ ରାଜା ପଚାରିଲେ “ଧନୀକ ବିଷୟରେ ଆପଣ କ’ଣ କହୁଛନ୍ତି? ତା’ ମଧ୍ୟରେ କ’ଣ ମାନବିକତା ନାମମାତ୍ରକ ମଧ୍ୟ ନାହିଁ ।” ତା’ପରେ ଗୁରୁଦେବ କହିଲେ “ସେ ଗୋଟେ ନରରୂପୀ ରାକ୍ଷସ ।”
ଦିନେ ରାଜସଭାକୁ ଦୁଇଜଣ ବ୍ୟବସାୟୀ ଆସିଲେ । ସେମାନଙ୍କ ଅବସ୍ଥା ବଡ ଶୋଚନୀୟ ଥିଲା । ସେମାନେ କହିଲେ, “ଆମେ ସବୁ ମୂଲ୍ୟବାନ୍ ଦ୍ରବ୍ୟ ଖୋଜି, ବିକ୍ରିକରୁ । ଦିନେ ରାସ୍ତାରେ ଡାକୁମାନେ ଆମଠାରୁ ସବୁ ଛଡାଇ ନେଲେ ଓ ଆମକୁ ମାରିବାକୁ ବସିଲେ । ସେମାନଙ୍କ ସର୍ଦ୍ଦାର କହିଲା, “ମାର ନାହିଁ, ଆଜି ମାରିଲେ ତ ଏଇଠି ଶେଷ ହେବ । ତାଙ୍କୁ ବରଂ ରାସ୍ତାଖର୍ଚ୍ଚ ଦିଅ । ଏମାନେ ଏମିତି ଏଇବାଟେ ଯିବା ଆସିବା କଲେ ଆମେ ତାଙ୍କ ଧନ ଲୁଟି ନେବା । ରାଜଗୁରୁ କହିଲେ, “ଚୋରଙ୍କ ସର୍ଦ୍ଦାର ମଧ୍ୟରେ ତିନି ଚତୁର୍ଥାଂଶ ମାନବିକତା ଅଛି ଡକାୟତି ତା’ର ପେଶା, ସେଥିଯୋଗୁଁ ତା’ର ମାନବିକତା ବିକାଶ କରିପାରୁନାହିଁ ।”
ଦିନେ ଜଣେ ସୈନିକ ଦୁଇଜଣ ବ୍ୟକ୍ତିଙ୍କୁ ରାଜାଙ୍କ ପାଖକୁ ଆଣିଲା । ସେମାନଙ୍କ ମଧ୍ୟରୁ ଜଣେ ଧନୀ ଓ ଅପରଟି ଦରିଦ୍ର । ସୈନିକ କହିଲା, “ମହାରାଜ, ଏହି ଧନୀକ ଦରିଦ୍ରଟିକୁ ପାଣିକୁ ପେଲିଦେଲା ଓ ନିଜେ ପଡିଗଲା । ମୁଁ ଦୌଡି ଯାଇ ପହଁଚିବା ବେଳକୁ ଦୁହେଁ କୂଳକୁ ଆସିଯାଇଥିଲେ ।”
ରାଜା ଧନୀକକୁ ପଚାରିଲେ; “କାହିଁକି ତମେ ତାକୁ ନଦୀକୁ ଠେଲି ଦେଉଥିଲ?” ତହୁଁ ସେ ଧନୀକ କହିଲା, “ମହାରାଜ, ମୁଁ ଏହି ବ୍ୟକ୍ତି ପ୍ରତି ବହୁତ ଅନ୍ୟାୟ କରିଛି । ସେ ମୋର ପଡୋଶୀ, ଦରିଦ୍ର ଓ ଅସହାୟ । ତା’ର ବାସସ୍ଥାନ ମୁଁ ତା’ଠାରୁ କୌଶଳ କରି ନେଇଗଲି । ସେ ଏକଥା ସମସ୍ତିଙ୍କୁ କହିଲା । ତେଣୁ ମୁଁ ଭୀଷଣ ଭାବେ ରାଗିଯାଇ ତା’ ଘରେ ନିଆଁ ଲଗାଇ ଦେଲି । ଅନ୍ୟମାନେ ଏ ବିଷୟରେ ମୋତେ ପଚାରିବାରୁ ମୁଁ କହିଲି, ସେ ଅସାବଧାନ ହୋଇ ନିଆଁ ଲଗାଇଛି । ସେ ବିଚରା ଆଉ ଘର କରି ପାରିଲା ନାହିଁ । ଆଜି ନଦୀକୂଳରେ ସେ ମୋତେ ଦେଖି କହିଲା, “ତମେହିଁ ମୋର ସର୍ବନାଶ କରିଛ ।” ଏହାପରେ ମୁଁ ରାଗିଯାଇ ତାକୁ ନଦୀକୁ ଠେଲି ଦେଲି । ତା’ପୂର୍ବରୁ ସେ ମୋତେ ଧରି ପକାଇଥିଲା । ଫଳରେ ଦୁହେଁ ପଡିଲୁ । ମୁଁ ତ ସନ୍ତରଣ ଜାଣେ ନାହିଁ । ତେଣୁ ମୁଁ ବୁଡିଯିବା ବେଳେ ସେ ମୋତେ ଉଠାଇ ପହଁରି ଆସି ମୋ ପ୍ରାଣ ବଂଚାଇଲା ।”
ରାଜଗୁରୁଙ୍କ କଥା ଅନୁସାରେ ରାଜା ସେ ଦୁହିଁଙ୍କୁ ଦଣ୍ଡ ନ ଦେଇ ଛାଡିଦେଲେ । ଦରିଦ୍ରକୁ ପୁରସ୍କାର ଦେଲେ ସେମାନେ ଯିବା ପରେ ରାଜଗୁରୁ କହିଲେ, “ଦରିଦ୍ର ବ୍ୟକ୍ତିର ମାନବିକତା ସମ୍ପୂର୍ଣ୍ଣ ରୂପରେ ଅଛି; ନିଜର ଭଲ ଗୁଣ ଯୋଗୁଁ ସେ ଧନୀକର ମଧ୍ୟ ମନ ପରିବର୍ତ୍ତନ କରିପାରିଲା । ରାଜଗୁରୁଙ୍କ ଜ୍ଞାନପୂର୍ଣ୍ଣ ଉପଦେଶ ଯୋଗୁଁ ନୂଆ ରାଜା କ୍ରମେ ସଂସାର ଓ ମଣିଷ ସ୍ୱଭାବ ବିଷୟରେ ଜ୍ଞାନ ଅର୍ଜନ କଲେ ଓ ଜଣେ ସୁଶାସକ ହେଲେ ।”