ମଲ୍ଲିପୁର ଗାଁର ରମେଶ ବାବୁ ଜଣେ ବେଶ୍ ଥିଲା ବାଲା ଲୋକ ଥିଲେ । ସେ ଅତ୍ୟନ୍ତ ଭଦ୍ରଲୋକ ବିବେକୀ ଓ ବିଚାରବନ୍ତ । ଆଖପାଖର ଲୋକେ ତାଙ୍କୁ ଭାରି ସମ୍ମାନ କରୁଥିଲେ । ତାଙ୍କର ଦୁଇ ପୁଅ : ବିନୟ ଏବଂ ରବି । ସେମାନେ ବି ଖୁବ୍ ଭଦ୍ର ଓ ବୁଦ୍ଧିମାନ୍ ଥିଲେ । ତେଣୁ ରମେଶବାବୁ ସୁଖୀଲୋକଙ୍କ ଭିତରେ ଗଣ୍ୟ ହେବା ଉଚିତ୍ ।
କିନ୍ତୁ ଦୁର୍ଭାଗ୍ୟ! ତାଙ୍କ ସ୍ତ୍ରୀ କିଶୋରୀ ଦେବୀ ଅତ୍ୟନ୍ତ ମୁଖରା । ଅଭିଧାନରେ ଯେତେ କଡା ଶବ୍ଦ ଅଛି, ସେସବୁ ତାଙ୍କ ଜିଭ ଅଗରେ ଥାଏ । ଖାଲି ଯେ ସ୍ୱାମୀ ଓ ପୁଅମାନଙ୍କ ସାଙ୍ଗରେ କଥାକଥାକେ ସେ କଳି କରୁଥିଲେ, ସେତିକି ନୁହେଁ, ପାଖ ପଡୋଶୀରୁ କେହି ରମେଶବାବୁ ସହ ସାକ୍ଷାତ କରି ତାଙ୍କ ପରାମର୍ଶ ନେବାକୁ ଆସିଲେ ସେ ଉପରେ ପଡି ସେମାନଙ୍କୁ ଭୁଲ୍ ପରାମର୍ଶ ଦେଇ ରମେଶବାବୁଙ୍କୁ ମହା ଅଡୁଆରେ ପକାଉଥିଲେ । ପୁଣି କେହି ତାଙ୍କ ପରାମର୍ଶ ନ ମାନିଲେ ତାକୁ ସେ ସମାଲୋଚନା କରୁଥିଲେ ।
ରମେଶବାବୁଙ୍କ ବଡ ପୁଅ ବିନୟ ବାହା ହେଲା । ବୋହୁ କମଳା ବେଶ୍ ଭଲ ସ୍ୱଭାବର ଝିଅ । କିନ୍ତୁ ସେ ଘରେ ଗୋଡ ଦେବାର ସପ୍ତାହେ ଯାଇଛି କି ନାହିଁ କିଶୋରୀ ଦେବୀ ଖୋଳି ତାଡି ତା’ର ଦୋଷ ବାହାର କଲେ । ଥରେ ରାଗିଗଲେ ତ ତାଙ୍କର ଆଉ ଜ୍ଞାନ ରହେନାହିଁ । କମଳାର ନିର୍ଦୋଷ ବାପା ବୋଉଙ୍କର ବି ଶ୍ରାଦ୍ଧ କରିପକାନ୍ତି ।
କମଳା ଚୁପ୍ ଚାପ୍ ସବୁ ସହୁଥାଏ । କିନ୍ତୁ ଯେଉଁ ଦିନ କିଶୋରୀ ଦେବୀ ଖଶଲି ତା’ ବାପାବୋଉଙ୍କ ଶ୍ରାଦ୍ଧରେ ସନ୍ତୁଷ୍ଟ ନ ରହି ଆହୁରି ଦୁଇ ଚାରି ଉଦ୍ଧ୍ୱର୍ତନ ପୁରୁଷକୁ ମଧ୍ୟ କମଳା ବାବଦରେ ଅପରାଧୀ ବୋଲି ସାବ୍ୟସ୍ତ କଲେ; ଦିନେ କମଳା ହଠାତ୍ ତା’ ସ୍ୱାମୀଙ୍କୁ କହିଲା, “ଏଥର ମୁଁ ଚାଲିଲି । ଯେଉଁ ଦିନ ତମେ ଅଲଗା ଘର କରିବ, ସେହିଦିନ ଯାଇ ଫେରି ଆସିବି ।”
ଏହା ଶୁଣି ବିନୟ ସ୍ତବ୍ଧ ହେଲା । କମଳା ବାପଘରକୁ ଚାଲିଗଲା । ରମେଶ ବାବୁ ଗୋପନରେ ବିନୟକୁ କହିଲେ, “ବାପା, ଦ୍ୱିଧା ସଙ୍କୋଚ କରି କିଛିବି ଲାଭ ନାହିଁ । ତୁ ଅଲଗା ଘର କରି ରହ ।”
ବିନୟ ଅଗତ୍ୟା ତାହାହିଁ କଲା । କମଳା ଫେରି ଆସିଲା ।
ରମେଶ ବାବୁ ଦିନେ କେତକୀପୁର ଗାଁରେ ଥିବା ତାଙ୍କ ମିତ୍ର ରଘୁ ଚୌଧୁରୀଙ୍କ ଘରକୁ ବୁଲି ଯାଇଥାନ୍ତି । ଅନେକଦିନ ପରେ ସେ ଦୁଇ ବନ୍ଧୁଙ୍କର ମିଳନ ହେଲା । ଦୁହେଁ ଦୋଳିରେ ବସି ସୁଖ ଦୁଃଖ ହେଉଥାନ୍ତି, ଠିକ୍ ଏହି ସମୟରେ ଜଣେ ଫେରିବାଲା ଆସି ଚୌଧୁରୀଙ୍କୁ କହିଲା, “ଆଜ୍ଞା, ଆପଣଙ୍କ ଝିଅକୁ ଟିକିଏ ଡାକି ଦେବେ? ସେ ମୋତେ ଗତଥର ଜରି ସାଢୀ କଥା କହୁଥିଲେ । ଏଥର ଭଲ ଜରି ସାଢୀ ଆଣିଛି ।” ଏହା କହି ସେ ତା’ ଲୁଗା ଗଣ୍ଠିଲି ତଳେ ଥୋଇଲା ।
ଚୌଧୁରୀ ଡାକ ପକାଇଲେ, “ରତ୍ନା! ରତ୍ନା!” ରତ୍ନା ବାହାରିଆସି ପ୍ରଥମେ ପିତୃବନ୍ଧୁ ରମେଶବାବୁଙ୍କୁ ନମସ୍କାର କଲା । ରମେଶବାବୁ ତ ତାକୁ ବହୁ ଦିନରୁ ଦେଖିନଥିଲେ । ତେଣୁ ତାକୁ ଦେଖି ସେ ବଡ ଖୁସି ହେଲେ ।