ଦିନେ କିଶୋରୀ ତାଙ୍କ ବୋହୁକୁ କଡା ଭାବରେ ଶୁଣାଇଦେଲେ “ବୋହୁ! ଆମେ ଅଭିଆଡା ଥିଲାବେଳେ ଶାଶୁମାନଙ୍କ ଆଗରେ କୌଣସି ବୋହୁ ଅଂଟାରେ ହାତ ଦେଇଠିଆ ହେବାର କଥା ଆମେ ଜାଣି ନଥିଲୁ । ଆମେମାନେ ବି ବାହା ହେବା ପରେ ସେମିତି କିଛି କରି ନାହୁଁ ।”
ରମେଶବାବୁ ଆଶଙ୍କା କରୁଥିଲେ, ରତ୍ନା ନିଶ୍ଚୟ ରୋକ୍ଠୋକ୍ ସବୁକଥା କହିବ, “ଅଂଟା ମୋର ଏବଂ ହାତ ବି ମୋର । ମୁଁ ତ ଆଉ କାହା ଅଂଟାରେ ହାତ ଦେଇନାହିଁ ।” କିନ୍ତୁ ଇଏ କ’ଣ? ରତ୍ନା ଖାଲି ହସିଦେଲା ଓ ନିଜ ଅଂଟାରୁ ହାତ କାଢିନେଲା ।
ରମେଶ ବାବୁ ଲକ୍ଷ୍ୟ କଲେ, ଏହା ପରେ ପରେ କିଶୋରୀ ଦେବୀ କମଳା ପ୍ରତି ଯେମିତି ବ୍ୟବହାର କରୁଥିଲେ ରତ୍ନା ପ୍ରତି ମଧ୍ୟ ଠିକ୍ ସେମିତି ବ୍ୟବହାର ଦେଖାଇବାକୁ ଆରମ୍ଭ କଲେ । କ୍ରମେ ସେ ରତ୍ନାର ବାପା ମାଆଙ୍କୁ ଦୋଷ ଦେଲେ । ତା’ପରେ ଚଉଦ ପୁରୁଷ ଯାଏଁ ବଢିଯିବାକୁ ବିଶେଷ ବିଳମ୍ବ ହେଲା ନାହିଁ ।
ରମେଶବାବୁ ସବୁଦିନ ଭାବୁଥାନ୍ତି, ଆଜି ରତ୍ନା ଜବାବ୍ ଦେବ । କିନ୍ତୁ ରତ୍ନା ନୀରବରେ ସବୁ ସହିଯାଉଥାଏ ।
ଦିନେ କିଶୋରୀଦେବୀ ମନ୍ଦିରକୁ ଯାଇଥାନ୍ତି । ଠିକ୍ ଏତିକିବେଳେ ରମେଶ ବାବୁ ରତ୍ନାକୁ ଡାକି କହିଲେ, “ଝିଅ! ମୁଁ ବରାବର ଲକ୍ଷ୍ୟ କରଛି, ତୁ ତୋ ଶାଶୁର ଅନ୍ୟାୟ କଥାରେ କାହିଁ କିଛି ବି ହେଲେ ତ କହୁ ନାହୁଁ । କିନ୍ତୁ ଫେରିବାଲାକୁ ଦିନେ ମୁହେଁ ମୁହେଁ ଶୁଣାଇ ଦେଇଥିଲୁ । କଥା କ’ଣ?”
“ବାବା! ଶାଶୁ ତ ଆଉ ଫେରିବାଲା ନୁହଁନ୍ତି! ଫେରିବାଲାର ନିଜ ମଙ୍ଗଳ ପାଇଁ ସେଦିନ ତାକୁ ମୁଁ ସଚେତନ କରି ଦେଇଥିଲି । ସେ ଲାଭ ପାଇଁ ଠକୁଥିଲା । ନଠକିଲେହିଁ ଅଧିକ ଲାଭ ହେବ, ତାକୁ ଏକଥା ବୁଝାଇଥିଲି । ଶାଶୁ କ’ଣ ମୋତେ ଲାଭ ପାଇଁ ଗାଳିଗୁଲଜ କରନ୍ତି? ତାହା ନୁହେଁ । ଗାଳି ଗୁଲଜ କରିବା ତାଙ୍କର ଏକ ସ୍ୱଭାବ । ଏବେ ମୋ ଆଗରେ ତିନୋଟି ରାସ୍ତା । ହୁଏତ ମୁଁ ପ୍ରତିବାଦ କରିବି ଓ ଗାଳି ଦେବି । ହେଲେ ସେଥିରେ ତ ତାଙ୍କ କ୍ରୋଧ ଆହୁରି ଉତ୍କଟ ହେବ । ଦ୍ୱିତୀୟ ପନ୍ଥା ହେଲା, ମୁଁ ବି କମଳା ଅପାଙ୍କ ଭଳି ମୋ ସ୍ୱାମୀଙ୍କୁ ବୁଝାଇ ଅଲଗା ଘର କରିବି । ସେଥିରେ ମୁଁ ଶାନ୍ତି ପାଇପାରେ, କିନ୍ତୁ ଆପଣ ଅଶାନ୍ତି ପାଇବେ । ଜଣେ ପୁଅ ଅଲଗା ହୋଇ ଗଲେ ସମାଜରେ ଆପଣଙ୍କୁ ଭାରି ଅଡୁଆ ଲାଗିବ । ତେଣୁ ମୁଁ ଦ୍ୱିତୀୟ ପନ୍ଥା ମଧ୍ୟ ପରିହାର କରିବା ଉଚିତ୍ । ଆଉ ତୃତୀୟ ପନ୍ଥା ହେଲା ସବୁ ସହିଯିବା ।”
ରତ୍ନାର ଏଭଳି ଉତ୍ତରରେ ରମେଶ ବାବୁ ଖୁବ୍ ଆନନ୍ଦିତ ଓ ବିସ୍ମିତ ହେଲେ । ସେ କହିଲେ “ତୋ ଶାଶୁର ପରିବର୍ତ୍ତନ ହୁଅନ୍ତା-ହୁଏତ ତୁ ଯଦି କଡା କରି ଦୁଇ ପଦ ଶୁଣାଇ ଦିଅନ୍ତୁ ।”
ଏକଥା ଶୁଣି ରତ୍ନା ଉତ୍ତର ଦେଲା “ନା, ବାବା, ପରିବର୍ତ୍ତନ ସେଥିରେ ହୁଏ ନାହିଁ । ପରିବର୍ତ୍ତନ ନିଜ ଭିତରେ ହେବାର ଥିଲେ ହୁଏ ।”
“ଝିଅ! ତୁ ଖାଲି ବିବେକୀ ନୋହୁ, ତୁ ଜ୍ଞାନୀ ମଧ୍ୟ!” ଏତିକି କହିବାବେଳେ ରମେଶ ବାବୁ ନିଜ ଅଶ୍ରୁ ଆଉ ରୋକିପାରିଲେ ନାହିଁ ।
କିଛି ସମୟ ପରେ କିଶୋରୀ ଦେବୀ ଆସିଲେ । ଆଶ୍ଚର୍ଯ୍ୟର କଥା, ତାଙ୍କ ବ୍ୟବହାର ବଦଳି ଯିବାର ଜଣାଗଲା । ସେ ଗମ୍ଭୀର ହୋଇ ରହୁଥାନ୍ତି । ବୋହୁକୁ ଆଉ ପଦେ ହେଲେ ବି କଡା କଥା କୁହନ୍ତି ନାହିଁ ।
ଦିନେ ସେ ରମେଶବାବୁଙ୍କୁ କହିଲେ, “ଚାଲ, ଆମେ ଟିକେ ବିନୟ ଘରକୁ ଯିବା । ମୁଁ କମଳାକୁ ଅନୁରୋଧ କରି ଘରକୁ ନେଇ ଆସିବି ।”
ସ୍ତ୍ରୀ କଥା ଶୁଣି ରମେଶବାବୁ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ କହିଲେ, “ତୁମର କ’ଣ ହେଲା?”
ତା’ପରେ କିଶୋରୀ ଦେବୀ ହସି ହସି ଉତ୍ତର ଦେଲେ, “ସେଦିନ ରତ୍ନା ଯାହା କହୁଥିଲା, ମୋ ଭିତରେ ପରିବର୍ତ୍ତନ ହୋଇଯାଇଛି!”
ରମେଶ ବାବୁ ପଚାରିଲେ “ଓଃ, ତୁମେ ତେବେ ସେଦିନ ଆମ କଥାବାର୍ତ୍ତା ଶୁଣୁଥିଲ!”
କିଶୋରୀ ଦେବୀ କହିଲେ “ହଁ, ଶୁଣୁଥିଲି । ବାସ୍ତବିକ୍ ରତ୍ନା ମୋତେ ରୋକ୍ ଠୋକ୍ ଦୁଇପଦ ଶୁଣାଇଥିଲେ ମୁଁ ଆହୁରି ଉତ୍ୟକ୍ତ ହୋଇଥାନ୍ତି । ସେ ସହି ଯାଇ ମୋର ପରିବର୍ତ୍ତନ ଘଟାଇଛି । ସେଦିନ ତା’ର ସେଭଳି ଉତ୍ତର ଶୁଣି ମୋର ଜ୍ଞାନୋଦୟ ହେଲା ।” ଏହାପରେ କିଶୋରୀ ଦେବୀ ଆଉ ନିଜ ଅଶ୍ରୁ ରୋକିପାରିଲେ ନାହିଁ । ଏଥର ରମେଶବାବୁ ରତ୍ନାର ଗୁଣରେ ଆହୁରି ମୁଗ୍ଧ ହେଲେ ।