ନିଶା ଗରଜୁଥିଲା । ତୁହାକୁ ତୁହା ବର୍ଷା ସାଙ୍ଗକୁ ତୀବ୍ର ଶୀତଳ ପବନ ବହୁଥିଲା । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ସାଙ୍ଗକୁ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥିଲା । ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।
କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ନହୋଇ ପୁନର୍ବାର ସେ ପ୍ରାଚୀନ ବୃକ୍ଷ ଆରୋହଣ କଲେ ଓ ଶବଟିକୁ ଉତାରି ଆଣିଲେ । ତେବେ ସେ ତାକୁ ତାଙ୍କ କାନ୍ଧରେ ପକାଇ ଶୁନ୍ଶାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, “ରାଜା! ତମେ କି ପ୍ରକାର ସିଦ୍ଧିଲାଭ ଆଶାରେ ଏଭଳି ଦୁର୍ଯ୍ୟୋଗପୂର୍ଣ୍ଣ ରଜନୀରେ ପରିଶ୍ରମ କରୁଛ? ବେଳେବେଳେ ସିଦ୍ଧି ହାତରେ ପାଇ ମଧ୍ୟ ତାକୁ ପରିତ୍ୟାଗ କଲାଭଳି ଲୋକ ଥିବାର ମୁଁ ଜାଣେ । ଗୋଟାଏ ଦୃଷ୍ଟାନ୍ତ ଦେଉଛି । ମନଦେଇ ଶୁଣ । ଶୁଣିଲେ ଶ୍ରମଭାର ଲାଘବ ମନେ ହେବ ।”
ବେତାଳ ଗପିଲା: ଅନେକଦିନ ତଳର କଥା । ରାଜା ଶାନ୍ତଶୀଳ ସେତେବେଳେ କୁନ୍ତଳ ରାଜ୍ୟ ଶାସନ କରୁଥିଲେ । ସେ ଅତ୍ୟନ୍ତ ପ୍ରଜା ବତ୍ସଳ ରାଜା ଥିଲେ । ଶାସନ କାର୍ଯ୍ୟରେ ମଧ୍ୟ ସେ ତାଙ୍କ ଦକ୍ଷତାର ଯଥେଷ୍ଟ ପ୍ରମାଣ ଦେଇଥିଲେ । ସେ ଅସାଧୁ କର୍ମଚାରୀ ବା ବ୍ୟବସାୟୀଙ୍କ ପ୍ରତି କଡା ଆଇନ୍ ପ୍ରୟୋଗ କରୁଥିଲେ । ଦୁର୍ନୀତି କରୁଥିବା ଲୋକ ଯେତେ ପ୍ରଭାବଶାଳୀ ହୋଇଥାଉ ନା କାହିଁକି, ସେ ଆଇନ୍ କବଳରୁ କେବେବି ଖସି ଯାଇ ପାରୁ ନଥିଲା । ଅନ୍ୟଦିଗରେ ସାଧୁ ସଚ୍ଚୋଟ ଏବଂ ପରିଶ୍ରମୀ କର୍ମଚାରୀମାନଙ୍କୁ ସେ ପୁରସ୍କୃତ କରୁଥିଲେ ।
ରାଜ୍ୟରେ ଚୋରି ଡକାଏତି ପ୍ରାୟ ହେଉ ନଥିଲା କହିଲେ ଚଳେ । ତେବେ ସବୁ ପ୍ରକାର ସୁଶାସନ ସତ୍ତ୍ୱେ ପ୍ରାକୃତିକ ଦୁର୍ବିପାକରେ ପ୍ରଜାମାନେ ଅନେକ ସମୟରେ କଷ୍ଟ ପାଉଥିଲେ । ବାତ୍ୟା ଓ ବନ୍ୟା ଥିଲା କୁନ୍ତଳା ରାଜ୍ୟ ଉପରେ ସବୁଠାରୁ ବଡ ବିପଦ । କୌଣସି ସ୍ଥାନରେ ବାତ୍ୟା ହୋଇ ଘର ଦ୍ୱାର ଭାଙ୍ଗିଗଲେ ରାଜା ସ୍ୱୟଂ ସେଠାରେ ଯାଇ ପହଁଚି ଯାଉଥିଲେ ଓ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରୁଥିଲେ । ଏପରିକି ବନ୍ୟା ବିତ୍ପାତ ବେଳେ ସେ ନିଜେ ଡଙ୍ଗାରୁ ଡେଇଁ ପଡି ବିପଦାପନ୍ନ ଲୋକଙ୍କୁ ଉଦ୍ଧାର କରିବା ଭଳି ଘଟଣା ବି ଘଟିଥିଲା ।
ଥରେ ରାଜ୍ୟର ଉତରାଂଚଳରେ ଭୀଷଣ ଝଡ ବର୍ଷା ସାଙ୍ଗକୁ ବନ୍ୟା ବି ହେଲା । ରାଜା ଯାଇ ନିକଟବର୍ତ୍ତୀ ମନ୍ଦିର ହତାରେ ଥିବା ଗୋଟିଏ କୋଠରୀରେ ରହି ବନ୍ୟା ସାହାଯ୍ୟ କାମ ତଦାରଖ କଲେ । ତାଙ୍କର ଧାରଣା ହେଲା, କର୍ମଚାରୀମାନେ ଯଦି ଆହୁରି ନିଷ୍ଠା ଓ ପରିଶ୍ରମ ସହକାରେ କାମ କରନ୍ତେ, ତେବେ ଲୋକଙ୍କର ଆଶୁ ଉପକାର ହୁଅନ୍ତା ।