ସେଥର ବନ୍ୟା ସାହାଯ୍ୟ କାମ ଶେଷ ହେବା ପରେ ରାଜା ରାଜଧାନୀକୁ ଫେରୁଥାନ୍ତି । ସିଧା ରାସ୍ତା ଭାଙ୍ଗିଯାଇଥିବାରୁ ତାଙ୍କୁ ବୁଲାଣିଆ ବାଟରେ ଗୋଟିଏ ବଣ ଭିତର ଦେଇ ଯିବାକୁ ହେଲା । ସେ ବଣରେ ଜଣେ ଯୋଗୀ ରହୁଥିଲେ । ତାଙ୍କ ବିଭୁତି ବିଷୟରେ ରାଜା ଭଲଭାବରେ ଜାଣିଥିଲେ ଓ ତାଙ୍କ ପ୍ରତି ରାଜାଙ୍କର ଯଥେଷ୍ଟ ଶ୍ରଦ୍ଧା ମଧ୍ୟ ଥିଲା । ତେବେ ସେ ଅନେକ ବର୍ଷ ହେଲା ତାଙ୍କୁ ଦେଖି ନଥିଲେ ।
ଏଥର ସୁଯୋଗ ମିଳିବାରୁ ରାଜା ସେହି ଯୋଗୀଙ୍କୁ ଭେଟିଲେ । ଯୋଗୀ ଆନନ୍ଦିତ ହେଲେ ଓ କହିଲେ, “ବତ୍ସ! ତମର ସମସ୍ତ ମନଧ୍ୟାନ ପ୍ରଜାଙ୍କ ମଙ୍ଗଳ ଚିନ୍ତାରେ । ତେଣୁ ତମ ପ୍ରତି ମୋର କିଛି କର୍ତ୍ତବ୍ୟ ଅଛି । ଯଦି ମୋଠୁଁ କିଛି ବର ଚାହୁଁଛ, ତେବେ କୁହ । ମୋର ସାଧ୍ୟର ଅତୀତ ନହେଲେ ମୁଁ ତାହା ଅବଶ୍ୟ ଦେବି ।”
ରାଜା କହିଲେ, “ଯୋଗୀବର! ପ୍ରଜାଙ୍କ ବିପଦ ଘଟିଲେ ମୋ କର୍ମଚାରୀମାନେ ସେମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ଯଥେଷ୍ଟ କାମ କରନ୍ତି । କିନ୍ତୁ ମୋର ଧାରଣା, ସେମାନେ ଆହୁରି ବି ଅଧିକ ମାତ୍ରାରେ କାମ କରି ପାରନ୍ତେ । ଆପଣ ଯଦି ସେମାନଙ୍କ ପ୍ରକୃତି ବଦଳାଇ ଦେଇ ପାରନ୍ତେ, ତେବେ ମୁଁ ବଡ ଉପକୃତ ହୁଅନ୍ତି ।”
ଯୋଗୀ କିଛି ସମୟ ଧ୍ୟାନସ୍ଥ ରହି କହିଲେ, “ବତ୍ସ! ତମେ ଗୋଟିଏ ଦିନ ଏଠାରେ ଅପେକ୍ଷା କର ।”
ରାଜା ଉତ୍ସାହିତ ହୋଇ ବଣରେ ଡେରା ପକାଇ ରହିଲେ ।
ଯୋଗୀ ସାରା ରାତି ଧ୍ୟାନସ୍ଥ ରହିଲେ । ପରଦିନ ପ୍ରଭାତରେ ସେ ରାଜାଙ୍କୁ ଗୋଟିଏ ସୁନ୍ଦର ବାକ୍ସ ଦେଖାଇ କହିଲେ, “ବତ୍ସ! ସତ କଥା କହିଲେ, “ମଣିଷର ପ୍ରକୃତି ବଦଳାଇବାର ଶକ୍ତି ମୋର ନାହିଁ । କାହାର ବି ଥିବ କି ନା ତା’ମଧ୍ୟ ସନ୍ଦେହ । ପ୍ରତ୍ୟେକ ମଣିଷହିଁ ନିଜ ଚରିତ୍ର ନିଜେ ବଦଳାଇ ପାରିବ । ଭଗବାନଙ୍କ ଆଶୀଷ ସେଥିରେ ସହାୟତା କରେ । ଆଉ କିଛି ଶକ୍ତି କାମ ଦେବ ନାହିଁ । ତେବେ ତମେ ଏ ଉପହାର ନିଅ । ଏହା ଭିତରେ ଏକ ଅଳଙ୍କାର ଅଛି । ତମେ ସେ ଅଳଙ୍କାର ଧାରଣ କରି ତମ କର୍ମଚାରୀମାନଙ୍କୁ କିଛି କରିବାକୁ ହୁକୁମ୍ ଦେଲେ ସେମାନେ ସେ କାମ କରିବା ନିମନ୍ତେ ବିଶେଷ ଉତ୍ସାହ ପାଇବେ; ସଙ୍ଗେ ସଙ୍ଗେ ବଳ ମଧ୍ୟ ପାଇବେ ।”
ରାଜା ପଚାରିଲେ “ଯୋଗୀବର! ଏହା କ’ଣ ସବୁଦିନ ପାଇଁ କାର୍ଯ୍ୟକାରୀ ହେବ?”
“ନା । ମୁଁ ଆଉ ପାଞ୍ଚ ବର୍ଷ ପରେ ଦେହ ଛାଡିବି । ମୁଁ ଦେହ ଛାଡିବା ମାତ୍ରେ ଏଥିରେ ଥିବା ଶକ୍ତି ମୋ ଆତ୍ମା ପାଖକୁ ଫେରି ଆସିବ । କାରଣ ତାହା ମୋର ଯୋଗଶକ୍ତି ।”
ରାଜା ଏକଥା ଶୁଣି ମୁଣ୍ଡ ତଳକୁ କରି କିଛି ସମୟ ଛିଡା ହୋଇ ରହିଲେ ଓ ତା’ପରେ ଅତି ନମ୍ର କଣ୍ଠରେ ସେ କହିଲେ, “ମହାଭାଗ! ଆପଣ ମୋତେ କ୍ଷମା କରନ୍ତୁ । ଏହା ନେବା ମୋ ପକ୍ଷରେ ଠିକ୍ ହେବ ନାହିଁ ।”
ଯୋଗୀ ମୃଦୁ ହାସ୍ୟ ସହକାରେ କହିଲେ, “ବତ୍ସ! ମୁଁ ତୁମକୁ ଆଶୀର୍ବାଦ କରୁଛି । ତୁମ ଦୃଷ୍ଟାନ୍ତରେ ଅନୁପ୍ରାଣିତ ହେଲା ଭଳି ସୌଭାଗ୍ୟ ତୁମ କର୍ମଚାରୀମାନଙ୍କର ହେଉ!”
ରାଜା ଯୋଗୀଙ୍କୁ ପ୍ରଣାମ କରି ତାଙ୍କଠାରୁ ବିଦାୟ ନେଲେ ।
ବେତାଳ ଅଳ୍ପ ସମୟ ନୀରବ ରହି ଧମକ ଦେଲାଭଳି କଣ୍ଠରେ କହିଲା, “ରାଜା! ମୋର କିଛି ସନ୍ଦେହ ରହିଛି । ରାଜା ଶାନ୍ତଶୀଳ ବୋକା ନା ଯୋଗବିଦ୍ୟାରେ ଅବିଶ୍ୱାସୀ? ଯୋଗୀ ତାଙ୍କୁ ଯାଚୁଥିବା ମହାମୂଲ୍ୟ ଚିଜ ଗ୍ରହଣ ନ କରିବା ପଛରେ ଅନ୍ୟ କି କାରଣ ବା ଥାଇପାରେ? ପାରିଲେ ମୋ ପ୍ରଶ୍ନର ଉତ୍ତର ଦିଅ । ଆଉ ଉତ୍ତର ଦେବାର ଶକ୍ତି ଥାଇ ଯଦି ନୀରବ ରହିବ, ତେବେ ତମ ଶୀର ସ୍କନ୍ଧଚ୍ୟୁତ ହେବ ।”
ରାଜା ବିକ୍ରମାର୍କ ମୁହୂର୍ତ୍ତେ ମଧ୍ୟ ବିଳମ୍ବ ନକରି ଉତ୍ତର ଦେଲେ: “ରାଜା ଶାନ୍ତଶୀଳ ବିବେକୀ ଓ ବିଜ୍ଞ । ପାଞ୍ଚବର୍ଷ ପାଇଁ ସେ ଯେଉଁ ହୁକୁମ ଦିଅନ୍ତେ, ସେ ହୁକୁମ୍ ତାଲିମ୍ କରିବା ଦିଗରେ କର୍ମଚାରୀମାନେ ଉତ୍ସାହ ଓ ବଳ ପାଆନ୍ତେ । କ୍ରମେ ସେହି ସାମୟିକ ଉତ୍ସାହ ଓ ବଳ ଉପରେ ସେମାନେ ନିର୍ଭର କରିବାକୁ ଶିଖନ୍ତେ । ନିଜର ସ୍ୱାଭାବିକ ଶକ୍ତି ସେମାନେ ହୁଏତ ହରାଇ ବସନ୍ତେ । ପାଞ୍ଚବର୍ଷ ପରେ ରାଜା ଦେଖନ୍ତେ ସେମାନେ ନା ସେ ଯୋଗଶକ୍ତି ବଳରେ କାମ କରୁଛନ୍ତି ନା ନିଜର ସ୍ୱାଭାବିକ ଉତ୍ସାହରୁ କାମ କରୁଛନ୍ତି । ରାଜା ନିଜର ସେବା ପରାୟଣ ପ୍ରକୃତି ଯୋଗୁଁ ପରିଶ୍ରମ କରୁଥିଲେ । ତାଙ୍କ ପରିଶ୍ରମ ସ୍ୱତଃସ୍ଫର୍ତ । କର୍ମଚାରୀମାନେ କେବଳ କର୍ତ୍ତବ୍ୟ ଦୃଷ୍ଟିରୁ କାମ କରୁଥିଲେ । ତେଣୁ ରାଜାଙ୍କ କାମ ଓ ସେମାନଙ୍କ କାମ ଭିତରେ ଯଥେଷ୍ଟ ପାର୍ଥକ୍ୟ ରହିବା ତ ଅନିବାର୍ଯ୍ୟ । ଯଦି ରାଜାଙ୍କ ଦୃଷ୍ଟାନ୍ତ ଦେଖି ସେମାନେ ଭଲଭାବରେ କାମ କରିବାକୁ ପ୍ରେରଣା ପାଇବେ, ତେବେ ତାହାହିଁ ହେବ ସେମାନଙ୍କ ଚିରିତ୍ରରେ ସ୍ୱାଭାବିକ ବିକାଶ । ତାହାର ମୂଲ୍ୟ ସ୍ଥାୟୀ ।”
ରାଜାଙ୍କ ମୌନ ଭଙ୍ଗ ହେବା ମାତ୍ରେ ଶବସ୍ଥିତ ବେତାଳ ଯାଇ ପୁନର୍ବାର ସେ ବୃକ୍ଷ ଡାଳରେ ଝୁଲି ପଡିଲା ।