ରାମନଗର ଗ୍ରାମରେ ଦୁଇବନ୍ଧୁ ରହୁଥିଲେ, ସେମାନେ ହେଲେ ଧୀରଚନ୍ଦ ଓ ବୀରଚନ୍ଦ । ସେ ଦୁଇଜଣ ମିଶି ବଡ ବଗିଚାଟିଏ କିଣିଲେ । ଦୁହେଁ ମିଶି ନାନା ଫସଲ ଓ ଗଛ ସବୁ ଲଗାଇଲେ । ଧୀରଚନ୍ଦ ତ ତା’ପିଲାଟି କାଳରୁ ସେ ଭାରି ଅଳସୁଆ । ବସି ବସି ଭଜନ ଗାଏ । ଖଞ୍ଜଣୀ ବଜାଏ ଗୀତ ଗାଏ । କିନ୍ତୁ ବୀରଚନ୍ଦ ସାରାଦିନ ଖଟି ଖଟି ବଗିଚାଟିକୁ ସବୁଜ ସୁନ୍ଦର କରି ରଖିଥାଏ । କିନ୍ତୁ ଫଳ ହେବା ବେଳକୁ ଅଧା ଭାଗ ଧୀରଚନ୍ଦ ନିଏ ।
ଥରେ ବହୁତ ଫଳ ଫଳିଲା ଓ ବିକ୍ରି ହେଲା । ପଇସା ବାଂଟିବା ବେଳକୁ ବୀରଚନ୍ଦ କହିଲା, “ମୁଁ ସାରାଦିନ ପରିଶ୍ରମ କରିବାରୁ ଏପରି ହେଲା । ତେଣୁ ମୋତେ ବେଶି ଭାଗ ମିଳିବା ଉଚିତ୍ ।”
ତା’କଥା ଶୁଣି ଧୀରଚନ୍ଦ କହିଲା, “ମୁଁ ଭଗବାନ୍ଙ୍କୁ ଖୁସି କରି ରଖିବାରୁ ସେ ମଧ୍ୟ ଆମକୁ ବହୁତ ଖୁସି କଲେ । ତେଣୁ ମୋତେ ବଡଭାଗ ମିଳିବା ଉଚିତ୍ ।”
ଶେଷରେ ସେ ଦୁହେଁ ନିଷ୍ପତି କରିବା ପାଇଁ ଗ୍ରାମର ଅଧିକାରୀଙ୍କ ଘରକୁ ଗଲେ । ଅଧିକାରୀ ଦୁହିଁଙ୍କର ସବୁ ବିଷୟ ଶୁଣି କହିଲେ, “ଦେଖ, ମୁଁ ଏବେ ତୁମକୁ ଏକ ଛୋଟ କାମ ଦେଉଛି । ତା’ପରେ ଯାଇ ସବୁ କଥାର ସମାଧାନ କରାଯିବ । ଆଜି ତୁମେ ଦୁହେଁ ଦୁଇଟି ଲେଖାଏଁ ଧାନବସ୍ତା ନେଇଯାଅ କାଲି ଧାନ କୁଟି ଚାଉଳ ନେଇ ଆସିବ । ତା’ପରେ ଯାଇ ମୁଁ ତୁମ ଦୁହିଁଙ୍କ ସମସ୍ୟାର ସମାଧାନ କରିଦେବି ।” ତା’ପରେ ସେ ଦୁହେଁ ଧାନବସ୍ତା ଧରି ଯେ ଝା ଘରକୁ ଯିଏ ଗଲେ ।
ଧୀରଚନ୍ଦ ଧାନ ବସ୍ତା ଦୁଇଟି ନେଇ ଘରେ ରଖିଦେଇ ସବୁକଥା ଭୁଲିଗଲା ଓ ଆରାମରେ ବସି ସେ ଖଞ୍ଜଣୀ ବଜାଇ ଗୀତ ଗାଇଲା । ଭାବିଲା, “କିଏ ଯାଇ ଧାନକୁଟି ଚାଉଳ କାଢୁଛି । ଯାହା ହବ କାଲିକି ଦେଖାଯିବ ।”