ମାତ୍ର ବୀରଚନ୍ଦ ପରିଶ୍ରମ କରି କୁଟି କୁଟି ଗୋଟିଏ ବସ୍ତା ଧାନକୁ ଚାଉଳ କଲା ।
ଅର୍ଦ୍ଧରାତ୍ରିରେ ଅଧିକାରୀ ନିଜେ ସେ ଦୁହିଁଙ୍କ ଘରବାଟ ଦେଇ ଯାଉଥିଲେ । ଧୀରଚନ୍ଦ ଘରେ କିଛି ବି ସୋର୍ ଶବ୍ଦ ନାହିଁ । ସେ କେତେବେଳୁ ଶୋଇ ପଡିଲାଣି । ମାତ୍ର ବୀରଚନ୍ଦ ଘରୁ ସେମିତି ଧାନକୁଟା ଶବ୍ଦ ଆସୁଥାଏ । ଏସବୁ ଦେଖି ସେ ଅଧିକାରୀ ଅଳ୍ପ ହସି ନିଜ ରାସ୍ତାରେ ଚାଲିଗଲେ ।
ପରଦିନ ସେ ଦୁହେଁ ନିଜ ନିଜ ବସ୍ତା ଧରି ଅଧିକାରୀଙ୍କ ପାଖକୁ ଆସିଲେ । ଅଧିକାରୀ ପ୍ରଥମେ ଧୀରଚନ୍ଦଙ୍କ ବସ୍ତା ଖୋଲିଲେ । ଦେଖିଲେ ଯେମିତିକୁ ସେମିତି । ସେଥିରେ ଦାନାଟିଏ ବି ଚାଉଳ ନାହିଁ । କିନ୍ତୁ ବୀରଚନ୍ଦର ଗୋଟିଏ ବସ୍ତା ପୁରା ଚାଉଳ । ଅନ୍ୟଟି ଧାନ । ଧୀରଚନ୍ଦ କହିଲା ଯେ ସେ ଭାବିଥିଲା ଭଗବାନ୍ ରାତାରାତି ଆସି ଧାନ କୁଟିଦେଇ ନିଶ୍ଚୟ ଯିବେ ।
ଅଧିକାରୀ ବୁଝାଇଲେ, “ଦୁହେଁଯାକ ଶୁଣ । କାମ କରିବା ପରିଶ୍ରମ କରି ନିଜର ଭରଣପୋଷଣ ପାଇଁ ରୋଜଗାର କରିବା ଅତ୍ୟନ୍ତ ଭଲ କଥା । ପୁଣି ଭଜନ ବୋଲିବା ମଧ୍ୟ ଆହୁରି ଭଲ କଥା । ଗୋଟାଏ କଥାରେ ଲାଗିବା ଆଦୌ ଭଲ ନୁହେଁ । ବରଂ ଆଜିଠୁ ତୁମେ ଦୁହେଁ ପରିଶ୍ରମ କରିବ ଓ ଭଲ ଫସଲ ହେଲେ ଦୁହେଁ ଭଜନ ଗାଇ ଭଗବାନଙ୍କ ନିକଟରେ କୃତଜ୍ଞତା ଜଣାଇବ । ଅନ୍ଧଭାବରେ ଅଳସୁଆ ହୋଇ ପରିଶ୍ରମ ନ କରି ଶୋଇବ ଆଉ କହିବ ଯେ ସବୁ ଭଗବାନ୍ କରିଦେବେ ତାହା ଏକ ଭାଣ୍ଡାମୀ । ତେଣୁ ଦୁହେଁ ପରିଶ୍ରମ କରିବ, ଦୁହେଁ ଫସଲକୁ ବାଂଟିନେବ ।”
ତା’ପରଠାରୁ ସେ ଦୁହେଁ କାମ କରନ୍ତି, ଫସଲ ଲଗାନ୍ତି ଫଳାନ୍ତି ବିକ୍ରି କରି ପଇସା ବାଂଟି ନିଅନ୍ତି । ସଂଧ୍ୟାରେ ପିଣ୍ଡାରେ ବସି ଭଜନ ବି ବୋଲନ୍ତି । ଦୁହେଁ ସେହିଦିନଠୁଁ ଅଧିକ ଘନିଷ୍ଠ ଭାବରେ ପରସ୍ପରକୁ ଦେଖିଲେ ।