ବହୁତ ଦିନ ତଳର କଥା । ଗାନ୍ଧାର ଦେଶରେ ଜଣେ ଗରିବ କୃଷକ ଓ ତା’ର ପରିବାର ଏକ ପାହାଡ ଗୁମ୍ଫାରେ ରହୁଥିଲେ । ଗରିବ ହେଲେ ମଧ୍ୟ ସେ କୃଷକ ଜଣକ କର୍ମଠ, ଦାୟିତ୍ୱବାନ ଓ ପରିଶ୍ରମୀ ଥିଲା । ତା’ର ପାଖରେ ଦୁଇତିନି ଖଣ୍ଡ ପାହାଡିଆ ଜମି ଥିଲା । ପାହାଡିଆ ଜମି ଯୋଗୁଁ ମାଟି ଆଦୌ ଉର୍ବର ନଥିଲା । ସେଥିପାଇଁ ଫସଲ ବି ଭଲ ହଉନଥିଲା । ତେଣୁ ସେ ପରିବାରର ଅନ୍ୟ ସଦସ୍ୟମାନେ ଏହି ଦୁଃଖ ଦୁର୍ଦ୍ଦଶା ପାଇଁ କେବଳ ସେ କୃଷକଙ୍କୁ ହିଁ ବହୁତ ନିନ୍ଦା କରୁଥିଲେ । ସେ କୃଷକ ତା’ ଜମିରେ ପରିବା ଓ ଫଳମୂଳ ଚାଷ କରେ । ସେ କିଛି ଔଷଧ ଚାରା ସଂଗ୍ରହ କରି ସେସବୁ ମଧ୍ୟ ନିଜ ଜମିରେ ଲଗାଇ ଥିଲା ।
ଦିନକର କଥା । ସେ କୃଷକ ଜଣକ ନିଜ ପରିବାରର ଦୁଃଖକଷ୍ଟ ଆଉ ସହି ନପାରି ସିଧା ପାହାଡ ଉପରକୁ ଗଲା ଆତ୍ମହତ୍ୟା କରିବା ପାଇଁ । ମାତ୍ର ସେ ଯେତେବେଳେ ସେ ପାହାଡ ଉପରୁ ଡେଇଁବାକୁ ଉଦ୍ୟତ ହଉଥାଏ ସେତେବେଳେ କେହି ଜଣେ ତାକୁ ପଛରୁ ଟାଣି ଧରିଲା । କୃଷକ ବୁଲି ଚାହିଁ ଦେଖେ ତ ପାହାଡ ଦେବତା ତା’ ପଛରେ ଠିଆ ହୋଇଛନ୍ତି ।
ପାହାଡ ଦେବତା କହିଲେ – ‘କାହିଁକି ନିଜର ଜୀବନ ନଷ୍ଟ କରୁଛୁ । ତୋର ଜୀବନ ତ ଏ ରାଜ୍ୟ ପାଇଁ ଅତ୍ୟନ୍ତ ମୂଲ୍ୟବାନ । ଆଉ କିଛି ସମୟ ଅପେକ୍ଷା କର । ତୋର ସବୁକଷ୍ଟ ଚାଲିଯିବ । ମାତ୍ର ଗୋଟିଏ କଥା ସର୍ବଦା ମନେରଖିବୁ । ତୋ ପାଇଁ ଏ ସଂସାରରେ ସବୁଠାରୁ ଶ୍ରେଷ୍ଠ କାମ ହେଉଛି ପରିଶ୍ରମ । ପରିଶ୍ରମ ବିନା ତୋ ଜୀବନ ମୂଲ୍ୟ ହୀନ ।’ ଏକଥା ଶୁଣି କୃଷକ ତା’ ମନରୁ ଆତ୍ମହତ୍ୟା ଭଳି ପାପକୁ ପାଶୋରି ପକାଇଲା ।