ତାପରେ ସେ କୃଷକ ସିଧାସଳଖ ଯାଇ ରାଜ ଦରବାରରେ ପହଁଚିଲା । ରାଜାଙ୍କୁ ସବୁ କଥା କହିଲା । ରାଜା ଜାଣିଲେ ଯେ, କେବଳ ଏ ଗାଁ ଜମିଦାର କୃଷକକୁ ହଇରାଣ କରିବା ପାଇଁ ହିଁ ଏସବୁ କରିଛି । କିନ୍ତୁ ଯେହେତୁ ଏ କୃଷକ ମୂର୍ଖ ତେଣୁ ରାଜା ସେ ଜମିଦାର ବିରୋଧରେ କିଛି ବି ପ୍ରମାଣ ପାଇଲେ ନାହିଁ । ତାପରେ ରାଜା ସେ କୃଷକକୁ ଆଦେଶ ଦେଲେ ରାଜାଙ୍କ ଜମିରେ ଆଜିଠାରୁ କାମ କରିବା ପାଇଁ । ସେ ରାଜାଙ୍କ ଜମିରେ ତ ଆଦୌ ଭଲ ଫସଲ ହଉ ନଥାଏ । ତେଣୁ ସେହି କୃଷକ ପାଇଁ ଏହା ବଡ ଚିନ୍ତାର କାରଣ ଥିଲା । ସେ ଠିକ୍ ଜାଣିଥିଲା ଯେ, ଭଲ ଫସଲ ଅମଳ ନ ହେଲେ ରାଜା ଏ ରାଜ୍ୟରୁ ତାକୁ ନିଶ୍ଚିତ ବାହାର କରିଦେବେ । ସେତିକିବେଳେ ସେ କୃଷକଟିର ପାହାଡଦେବତାଙ୍କ କଥା ମନେପଡିଲା ।
ସେତେବେଳେ ତ ଖରାଦିନ ହୋଇଥାଏ । ପ୍ରଚୁର ଗରମ ଓ ତାତିରେ କାମ କରିବା ଅତ୍ୟନ୍ତ କଷ୍ଟକର ହଉଥାଏ । ସେଥିପାଇଁ ସେ କୃଷକଟି ଦିନରେ କାମ ନ କରି କେବଳ ରାତିରେ ହିଁ କାମ କରେ । ଏଣେ ସେ ରାଜାଙ୍କ କାନରେ ଯାଇ କଥା ପଡିଲା ଯେ କୃଷକ ଜଣକ ଭାରି ଅଳସୁଆ । ଦିନରେ ସେ ମୋଟେ ବି କାମ କରୁନାହିଁ । ଖାଲି ନିଜ ଘରେ ସେ ଶୋଉଛି । ଏସବୁ ଶୁଣି ରାଜା ସେ କୃଷକକୁ ତୁରନ୍ତ ଡକାଇ ପଠାଇଲେ । ତାପରେ ସେ କୃଷକଟି ରାଜ ଦରବାରରେ ଆସି ପହଁଚିଲା । ରାଜା କହିଲେ – ‘ଆଗାମୀ ପୂର୍ଣ୍ଣମୀରେ ମୋର ପଚାଣ ଶଗଡ ପନିପରିବା ନିହାତି ଦରକାର । କାହିଁକିନା ପଡୋଶୀ ରାଜ୍ୟରେ ଏକ ମହାଯଜ୍ଞ ଅନୁଷ୍ଠିତ ହେଉଛି ।’ ଏହି କଥା ଶୁଣି ସେ କୃଷକଟି ହସିଦେଲା ଓ କହିଲା – ‘ବେଶ୍ ତେବେ ଏକ ମହତ କାମରେ ମୋ ପରିଶ୍ରମ ଲାଗିବ ।’
ସେ କୃଷକର ଏଭଳି ହାବଭାବ ଦେଖି ରାଜା ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲେ । ସାମାନ୍ୟ ଗରିବ କୃଷକ ପଚାଶ ଶଗଡ ପନିପରିବା ଚାଷ କରିବ ବା କେମିତି । ଏସବୁ କାର୍ଯ୍ୟ ରାଜା ସେ କୃଷକ ଉପରେ ହିଁ ଛାଡିଦେଲେ । ମାତ୍ର ରାଜା ସେ କୃଷକର ଏପରି କଥାକୁ ଆଦୌ ବିଶ୍ୱାସ କଲେ ନାହିଁ । କିନ୍ତୁ ସେ କୃଷକଟି ପାହାଡ ଦେବତାଙ୍କୁ ସ୍ମରଣ କରି ରାତିରେ ତା କାର୍ଯ୍ୟ ଆରମ୍ଭ କଲା । ପଚାଶ ଶଗଡ ପରିବା ଯୋଗାଡ କରିବା ପାଇଁ ରାଜା ସେ ରାଜ୍ୟର କୋଡିଏ ଜଣ ଜମିଦାରଙ୍କୁ ମଧ୍ୟ କହିଲେ । ସେ ଜମିଦାରମାନେ ବି ଏହି ଛୋଟ କାର୍ଯ୍ୟ ସୂଚାରୁରୂପେ କରିବାର ପ୍ରତିଶୃତି ଦେଇ ଚାଲିଗଲେ ।
ପୂର୍ଣ୍ଣମା ଦିନ । ଏଣେ ସେ ରାଜା ପଚାଶ ଶଗଡ ପନିପରିବା ପାଇଁ ଅପେକ୍ଷା କରିଥାନ୍ତି । ତେଣୁ ସମସ୍ତ ଜମିଦାରମାନଙ୍କୁ ଖବର ଦିଆଗଲା । କୋଡିଏ ଜଣ ଜମିଦାର ମାତ୍ର କୋଡିଏ ଶଗଡ ପନିପରିବା ବି ଯୋଗାଡ କରିପାରିଲେ ନାହିଁ । ରାଜା ଏସବୁ ଦେଖି ଅତ୍ୟନ୍ତ ହତାଶ୍ ହୋଇଗଲେ । ଏବେ କ’ଣ ହେବ ତାଙ୍କର । ଇଏ କି ଲଜ୍ଜାର କଥା । ଜଣେ ରାଜା ନିଜ ପଡୋଶୀ ରାଜ୍ୟର ଏକ ମହତ୍ କାମରେ ମଧ୍ୟ ଅସଫଳ ହେଲେ ।