ଥରେ ସେ ଦେଶର ରାଜକୁମାର ଏକ ନୃତ୍ୟ ଗୀତର ଆସର ଆୟୋଜନ କରି ଦେଶରେ ଥିବା ବିଳାସୀ ଆଉ ସୁନ୍ଦରୀ କନ୍ୟାମାନଙ୍କୁ ସେଠାକୁ ନିମନ୍ତ୍ରଣ କଲେ । ଲାବଣ୍ୟମୟୀର ଭଉଣୀମାନଙ୍କୁ ମଧ୍ୟ ସେ ନୃତ୍ୟଗୀତ ଆସରକୁ ନିମନ୍ତ୍ରଣ କରା ଯାଇଥିଲା । ଦୁଇ ଭଉଣୀଙ୍କୁ ନିମନ୍ତ୍ରଣ କରାଯାଇଥିବାରୁ ସେମାନେ ଆନନ୍ଦରେ ସେମାନଙ୍କର ପୋଷାକପତ୍ର ପସନ୍ଦକରି ସେଗୁଡିକୁ ଲାବଣ୍ୟମୟୀକୁ ଇସ୍ତ୍ରୀ କରିବା ଓ ସଜାଡିବାକୁ ବରାଦ ଦେଲେ । ସେମାନେ ନୃତ୍ୟଗୀତ ଆସରକୁ କେଉଁ ପୋଷାକ ପତ୍ର ପିନ୍ଧି ଯିବାପାଇଁ କଥାବାର୍ତ୍ତା ହେଉଥିବାବେଳେ ଲାବଣ୍ୟମୟୀ ସେଗୁଡିକୁ ଇସ୍ତ୍ରୀ କରି ସଜାଡି ରଖୁଥିଲା ।
ବଡ ଭଉଣୀ କହିଲା ‘ମୁଁ ଫ୍ରାନ୍ସ ଦେଶୀୟ ମଖମଲି ପୋଷାକ ପିନ୍ଧି ଯିବି ।’
ସାନଭଉଣୀ କହିଲା ‘ଆଉ ମୁଁ? ମୁଁ ମୋର ରେଶମୀ ଜାମା ପିନ୍ଧି ଓ ତା ଉପରେ ସୁନାଫୁଲପକା ପାଇଜାମାଟି ପିନ୍ଧିବି ଏବଂ ପୃଥିବୀ ଶ୍ରେଷ୍ଠ ହୀରା ହାରଟି ବେକରେ ପିନ୍ଧିବି ।’ ସେମାନେ ତାଙ୍କର ଟୋପି ତିଆରି କରିବା ପାଇଁ ଟୋପି ତିଆରି ବାଲାକୁ ଡକେଇ ପଠେଇଲେ ଏବଂ ଓଠକୁ ଲାଲରଂଗରେ ରଞ୍ଜିତ କରିବାପାଇଁ ଲାଲ ପ୍ରଲେପ ଓ ପ୍ରସାଧାନ ସାମଗ୍ରୀ କିଣିବାକୁ ବରାଦ କଲେ ।
ଲାବଣ୍ୟମୟୀର ପ୍ରସାଧାନ ସଂପର୍କରେ ଭଲ ଧାରଣାଥିବାରୁ ସେମାନେ ତାକୁ ତାଙ୍କ କେଶବିନ୍ୟାଶ ପାଇଁ ନିୟୋଜିତ କଲେ । ସେମାନଙ୍କର କେଶବିନ୍ୟାଶ କରି ସାରିବାପରେ ଲାବଣ୍ୟମୟୀକୁ ସେମାନେ ପଚାରିଲେ ‘ଆଚ୍ଛା ଲାବଣ୍ୟମୟୀ ତୁ କ’ଣ ସେ ନୃତ୍ୟଗୀତ ଆସରକୁ ଯିବୁ ନାହିଁ?’
ତହୁଁ ସେ ଲାବଣ୍ୟମୟୀ ମନଦୁଃଖରେ କହିଲା ‘ନା ସେ ସବୁ ଆସର ଆମପାଇଁ ନୁହଁ ।’
ଏପରି କଥା ଶୁଣି ସେମାନେ କହିଲେ ‘ହଁ ତୁ ଠିକ୍ କହିଛୁ । ତୋ ଭଳି ପାଉଁଶ କାଢିବା ଲୋକକୁ ନୃତ୍ୟଗୀତ ଆସରରେ ଦେଖିଲେ ଲୋକେ ଓଲଟି ହସିବେ ।’
ନୃତ୍ୟଗୀତ ଆସରକୁ ଯିବାପାଇଁ ସେ ଦୁଇ ଭଉଣୀ ଆନନ୍ଦରେ ଏତେ ଅଧୀର ହୋଇ ଉଠିଲେ ଯେ ଦୁଇଦିନ ପର୍ଯ୍ୟନ୍ତ ଖିଆପିଆ ଭୁଲିଗଲେ । ସେମାନେ ନିଜର ପତଳା ଚେହେରାକୁ ସଜାଇବା ପାଇଁ ତତ୍ପର ହୋଇ ଆରିସି ଆଗରେ ଠିଆ ହୋଇ ନିଜକୁ ଚାହୁଁଥିଲେ ।
ଶେଷରେ ସେ ଆନନ୍ଦର ଦିନ ଆସିଲା । ସେମାନେ ରାଜସଭାକୁ ଗଲାବେଳେ ଲାବଣ୍ୟମୟୀ କେବଳ ତାଙ୍କ ଯିବା ବାଟକୁ ଚାହିଁରହିଲା । ସେମାନେ ଯେତେବେଳେ ତାର ଦୃଶ୍ୟ ଅନ୍ତରାଳରୁ ଚାଲିଗଲେ ସେ ଖାଲି ଭୋ ଭୋ ହୋଇ କାନ୍ଦି ଉଠିଲା ।
ଲାବଣ୍ୟମୟୀ ଭୋ ଭୋ ହୋଇ କାନ୍ଦି ଉଠିବାବେଳେ ଜଣେ ସ୍ତ୍ରୀ ଲୋକ ସେଠାରେ ଆସି ପହଁଚିଲା । ସେ ସ୍ତ୍ରୀଲୋକଟି ଲାବଣ୍ୟମୟୀକୁ ଘଟଣା ସଂପର୍କରେ ପଚାରିବାରୁ ଲାବଣ୍ୟମୟୀ କହିଲା ‘ମୁଁ ଚାହୁଁଥିଲି… ମୁଁ ଚାହୁଁଥିଲି…’ । ଏତିକି କହିଲାବେଳେ ସେ କଇଁ କଇଁ ହୋଇ କାନ୍ଦିଉଠି ଆଉ କିଛି ବି କହିପାରିଲା ନାହିଁ । ସେ ଆସିଥିବା ସ୍ତ୍ରୀଲୋକଟି ହେଉଛି ଜଣେ ପରୀ । ସେ କହିଲା ଝିଅ । ମୁଁ ତୋର ଜଣେ ଧରମ ମା’ । ତୁ କାହିଁକି କାନ୍ଦୁଛୁ ମୁଁ ଠିକ୍ ଜାଣେ । ତାପରେ ସେ ପରୀ କହିଲା ‘ତୁ ସେମାନଙ୍କ ସହିତ ରାଜସଭାକୁ ନୃତ୍ୟଗୀତ ଦେଖିବାକୁ ଚାହୁଁଥିଲୁ ନା- ଏଇ ଆ ନା?’
ଲାବଣ୍ୟମୟୀ ଦୀର୍ଘଶ୍ୱାସ ପକାଇ କହିଲା ‘ହଁ ।’
ତା ଧରମ ମା କହିଲା ‘ହଉ ଝିଅ । ତୋର ସେଠାକୁ ଯିବାପାଇଁ ସବୁ ବ୍ୟବସ୍ଥା ମୁଁ କରିଦେବି । ତୁ ବଜାରକୁ ଯାଇ ଗୋଟିଏ କଖାରୁ କିଣି ଆଣ ।’