ଲାବଣ୍ୟମୟୀ ଶୀଘ୍ରଯାଇ ବଜାରରୁ ଗୋଟିଏ କଖାରୁ କିଣି ଆଣିଲା । ଗୋଟିଏ କଖାରୁ କିଣିଆଣିଲେ ଯେ ତାକୁ କିପରି ନୃତ୍ୟଗୀତ ପାଖକୁ ଯିବାକୁ ତାହା ସାହାଯ୍ୟ କରିବ ତାହା ସେ ଆଦୌ ଜାଣି ପାରୁନଥାଏ ।
ଲାବଣ୍ୟମୟୀର ଧରମା ମା’ ସେ ପରୀଟି କଖାରୁ କଣା କରି ତା ଭିତରୁ ସବୁ ଶସତକ ଖୋଲି ବାହାର କରିଦେଲା । ସେ ଆଣିଥିବା ମନ୍ତ୍ରବାଡିରେ ସେ କଖାରୁ ଖୋଳପାଟାକୁ ବାଡେଇ ଦେବାରୁ ତାହା ଗୋଟିଏ ସୁନ୍ଦର ଘୋଡାଗାଡିରେ ପରିଣତ ହୋଇଗଲା । ସେଦିନ ତ ଲାବଣ୍ୟମୟୀଙ୍କ ଘରେ ମୂଷା ମାରିବା ପାଇଁ ବସାଯାଇଥିବା ଯନ୍ତାରେ ଛଟି ମୂଷା ପଡିଥିଲେ । ପରୀଟି ଲାବଣ୍ୟମୟୀକୁ ସେ ଯନ୍ତାର ଦୁଆର ତୁରନ୍ତ ଖୋଲି ଦେବାକୁ କହିଲା । ମୂଷାଗୁଡିକ ଯନ୍ତାରୁ ବାହାରି ଆସିବା ମାତ୍ରେ ସେ ପରୀଟି ତା ମନ୍ତ୍ର ବାଡି ଛୁଆଇଁ ଦେବା ମାତ୍ରେ ମୂଷାଗୁଡିକ ସୁବର୍ଣ୍ଣକେଶରଥିବା ଘୋଡାରେ ପରିଣତ ହୋଇଗଲେ ।
ଲାବଣ୍ୟମୟୀ ଏହା ଦେଖି ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲା ଓ ଘୋଡାଗାଡିର ଚାଳକର ଅଭାବ ଦେଖି ସେ ତା ଧରମ ମା’କୁ କହିଲା ‘ମୁଁ ଯାଇ ଦେଖେ ଯନ୍ତାରେ ଯଦି ଆଉ ଗୋଟିଏ ମୂଷାଥିବ ତାକୁ ଗାଡି ଚାଳକ କରି ଦେବା ।’
ଏକଥା ଶୁଣି ପରୀଟି କହିଲା ‘ହଁ ତୁ ଯାଇ ଦେଖ ।’ ଲାବଣ୍ୟମୟୀ ଯନ୍ତାଟିକୁ ଆଣି ଦେଖିଲାବେଳକୁ ସେଥିରେ ଆଉ ତିନୋଟି ବଡ ମୂଷା ଥିଲେ । ସେ ବଡ ମୂଷାଙ୍କମଧ୍ୟରୁ ଯେଉଁ ମୂଷାର ବଡ ବଡ ଖାଡା ନିଶଥିଲା ତାକୁ ପରୀଟି ମନ୍ତ୍ରବାଡି ଛୁଆଁଇ ଗୋଟିଏ ବଡ ବଡ ମୁଛ ଥିବା ଗାଡି ଚାଳକରେ ପରିଣତ କରି ଦେଲା । ସେ ଏପରି ଗୋଟିଏ ଗାଡିଚାଳକରେ ପରିଣତ ହୋଇଗଲା ଯେ ସେପରି ଜଣେ ଗାଡିଚାଳକକୁ ଆଗରୁ କେବେ କେହି ବି ଦେଖି ନଥିଲେ । ତାପରେ ସେ ପରୀଟି ଲାବଣ୍ୟମୟୀକୁ କହିଲା ‘ତୁଯାଇ ବଗିଚାରୁ ଛ’ଟି ଝିଟିପିଟି ଧରିଆଣ ।’
ଲାବଣ୍ୟମୟୀ ବଗିଚାରୁ ଛ’ଟି ଝିଟିପିଟି ଧରିଆଣିଲା ଏବଂ ତାକୁ ମନ୍ତ୍ରବାଡି ଛୁଆଁଇ ସେମାନଙ୍କୁ ଛ’ଟି ପଦାତିକ ସୈନ୍ୟରେ ପରିଣତ କରି ଦେଲା । ସେମାନେ ରୂପାଖଚିତ ନୀଳ ପୋଷାକ ପିନ୍ଧି ଗାଡି ପଛରେ ଠିଆ ହେଲେ । ପରୀଟି ଲାବଣ୍ୟମୟୀକୁ କହିଲା ‘ତୁ ଚାହିଁଲେ ଏଇ ସୈନ୍ୟ ଓ ପାରିଷଦମାନେ ତୋତେ ଗାଡିରେ ସେ ନୃତ୍ୟ ସଭାକୁ ନେଇଯିବେ ।’
ଲାବଣ୍ୟମୟୀ କହିଲା ‘ହଁ ସେମାନେ ମୋତେ ନେଇଯିବେ ଯେ ହେଲେ ଏଇ ମଇଳା ଓ ପୁରୁଣା ଚିରା ପୋଷାକ ପିନ୍ଧି ସେଠାକୁ ଯିବି କିପରି?’ ଏକଥା ଶୁଣି ଲାବଣ୍ୟମୟୀର ଧରମ ମା’ ତାର ମନ୍ତ୍ରବାଡିଟି ଲାବଣ୍ୟମୟୀର ପୋଷାକରେ ଛୁଆଁଇ ଦେବାମାତ୍ରେ ତାର ପୁରୁଣା ପୋଷାକ ସବୁ ସୁବର୍ଣ୍ଣ ଖଚିତ ରୂପା ପୋଷାକରେ ପରିଣତ ହୋଇଗଲା । ଧରମ ମା ଲାବଣ୍ୟମୟୀକୁ କାଚର ସୁନ୍ଦର ଚଟି ହଳେ ଦେଲା । ଏଇସବୁ ସୁନ୍ଦର ପୋଷାକ ଓ ଚଟି ପିନ୍ଧି ଲାବଣ୍ୟମୟୀ ଘୋଡା ଗାଡିରେ ଯାଇ ବସିଲା । ଧରମ ମା’ ଲାବଣ୍ୟମୟୀକୁ ଆଦେଶ ଦେଇ କହିଲା ‘ଦେଖ ଠିକ୍ ରାତି ବାରଟା ବାଜିବା ମାତ୍ରେ ତୁ ନୃତ୍ୟଗୀତ ଆସର ଛାଡି ଚାଲି ଆସିବୁ ନଚେତ୍ ଠିକ୍ ରାତି ବାରଟାପରେ ଏଇ ଘୋଡାଗାଡିଟି କଖାରୁ, ଘୋଡା ଗୁଡିକ ମୂଷା, ଗାଡଚାଳକଟି ମଧ୍ୟ ମୂଷା ଓ ସେନାଗଣ ଝିଟିପିଟି ଓ ତୋର ଏଇ ସୁନ୍ଦର ପୋଷାକ ପୁଣି ଚିରା ଓ ପୁରୁଣା ପୋଷାକରେ ପରିଣତ ହୋଇଯିବ ।’
ଲାବଣ୍ୟମୟୀ ତା ଧରମ ମା’ ଆଗରେ ଶପଥ କରି ମଧ୍ୟରାତି ବାରଟା ପୂର୍ବରୁ ଫେରିଆସିବାକୁ କହିଲା ।
ଲାବଣ୍ୟମୟୀ ଘୋଡାଗାଡିରେ ବସି ଯାଇ ରାଜଦରବାରରେ ନୃତ୍ୟଶାଳା ନିକଟରେ ପହଁଚିଗଲା । ତାପରି ଜଣେ ଅପରିଚିତା ନବାଗତା ରୂପସୀଙ୍କୁ ଦେଖି ନିଜେ ରାଜକୁମାର ତାଙ୍କୁ ସ୍ୱାଗତ କରିବାକୁ ନୃତ୍ୟଶାଳାରୁ ଦୌଡି ଆସିଲେ । ଲାବଣ୍ୟମୟୀର ହାତଧରି ଘୋଡାଗାଡିରୁ ତାକୁ ଓହ୍ଲାଇଦେଇ ନୃତ୍ୟଶାଳା ମଧ୍ୟକୁ ନେଇଗଲେ । ନୃତ୍ୟ ଶାଳାରେ ଏପରି ଜଣେ ରୂପସୀକୁ ଦେଖି ସେଠାରେ ପୂର୍ଣ୍ଣ ନୀରବତା ଖେଳିଗଲା । ନୃତ୍ୟକରୁଥିବା ଅତିଥିମାନଙ୍କର ନୃତ୍ୟ ଓ ବାଜୁଥିବା ବେହେଲା ଗୁଡିକ ମଧ୍ୟ ବନ୍ଦ ହୋଇଗଲା । ସମସ୍ତେ ଖାଲି ଏକ ଲୟରେ ଏହି ନବାଗତା ସୁନ୍ଦରୀଙ୍କୁ ଚାହିଁବାକୁ ଲାଗିଲେ । ନୃତ୍ୟଶାଳାରେ ଗୁଞ୍ଜରଣ ଶୁଣାଗଲା ‘ଆଃ କି ସୁନ୍ଦର, ଆଃ କି ସୁନ୍ଦର!’