ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ପରୀକନ୍ୟା

ସେ ଦେଶର ବୃଦ୍ଧରାଜା ମଧ୍ୟ ତାଙ୍କ ରାଣୀଙ୍କୁ କହିଲେ ଯେ ସେ ତାଙ୍କ ଜୀବନରେ ଏମିତିକା ସୁନ୍ଦରୀ ଆଦୌ ଦେଖିନାହାଁନ୍ତି । ସେଠାରେ ଉପସ୍ଥିତଥିବା ସମସ୍ତ ସ୍ତ୍ରୀ ଲୋକମାନେ ଲାବଣ୍ୟମୟୀର ପୋଷାକ, ଟୋପି ପ୍ରଭୃତିକୁ ଲକ୍ଷ୍ୟ କରୁଥାନ୍ତି ଯେପରିକି ସେହିପରି ସୁନ୍ଦର ପୋଷାକ ତିଆରି କରି ପିନ୍ଧି ତା ପରଦିନ ନୃତ୍ୟକୁ ଆସିବେ ବୋଲି ।

ରାଜପୁତ୍ର ଲାବଣ୍ୟମୟୀକୁ ସମ୍ମାନସହ ନେଇ ଗୋଟିଏ ଆସନରେ ବସାଇଲେ ଓ ତା ସହିତ ନୃତ୍ୟକଲେ । ଲାବଣ୍ୟମୟୀ ସେ ରାଜକୁମାରଙ୍କ ସହିତ ଏମିତି ନୃତ୍ୟ କଲା ଯେ ସମସ୍ତେ କେବଳ ତା ନୃତ୍ୟକୁ ହିଁ ପ୍ରଶଂସା କରିବାକୁ ଲାଗିଲେ । ସୁନ୍ଦର ଖାଦ୍ୟ ପରିବେଷଣ କରାଯାଉଥିଲେ ମଧ୍ୟ ରାଜକୁମାର ଖାଦ୍ୟ ନଖାଇ ଲାବଣ୍ୟମୟୀକୁ ନିବିଷ୍ଟ ଚିତ୍ତରେ ଚାହିଁ ରହିଥାନ୍ତି ।

ଲାବଣ୍ୟମୟୀ ଯାଇ ତାର ଭଉଣୀମାନଙ୍କ ପାଖରେ ବସିଲା ଏବଂ ରାଜକୁମାର ତାକୁ ଦେଇଥିବା କମଳା ଲେମ୍ବୁ ଓ ଅନ୍ୟାନ୍ୟ ସୁମିଷ୍ଟ ଫଳ ତା ଭଉଣୀଙ୍କୁ ଦେଲା ମାତ୍ର ତା ଭଉଣୀମାନେ ତାକୁ ମୋଟେ ଚିହ୍ନି ପାରିଲେ ନାହିଁ । ସେ ଲାବଣ୍ୟମୟୀ ତା ଭଉଣୀମାନଙ୍କ ସହିତ ଖୁସି ଗପ କରୁକରୁ ଘଂଟାରେ ରାତ୍ରି ଏଗାରଟା ପଇଁଚାଳିଶ ମିନିଟ୍ ବାଜିଲା ତେଣୁ ସେ ହଠାତ୍ ସମସ୍ତଙ୍କୁ ନମସ୍କାର କରି ଶୀଘ୍ର ସେଠାରୁ ଚାଲିଆସିଲା ।

ସେ ଲାବଣ୍ୟମୟୀ ଘରେ ପହଁଚି ତା ଧରମ ମା ପାଖକୁ ଯାଇ ତାଙ୍କୁ ଧନ୍ୟବାଦ ଦେଇ କହିଲା ଯେ ରାଜକୁମାର ତା ପରଦିନ ନୃତ୍ୟଶାଳାକୁ ଯିବାକୁ ତାକୁ ନିମନ୍ତ୍ରଣ କରିଛନ୍ତି ଏବଂ ସେ ମଧ୍ୟ ତାପରଦିନ ଯିବାକୁ ଇଚ୍ଛା କରୁଛି । ସେଦିନ ରାତିରେ ନୃତ୍ୟଶାଳାରେ ଯାହା ଯାହା ଘଟିଛି ତା ଧରମ ମା’ ଆଗରେ ବର୍ଣ୍ଣନା କରୁ କରୁ ତାର ଦୁଇ ଭଉଣୀ ଆସି କବାଟ ଠକ୍ ଠକ୍ କଲେ ଓ ଲାବଣ୍ୟମୟୀ ଦୌଡି ଯାଇ କବାଟ ଖୋଲିଦେଲା । ସତେ ଯେମିତି ନିଦରୁ ଉଠିଲା ଭଳି ଆଖି ମଳି ମଳି ଭଉଣୀମାନଙ୍କୁ ସେ ପଚାରିଲା ‘ସେଠାରେ ତମେ କେତେ ସମୟ ରହିଲ?’

ତାର ଜଣେ ଭଉଣୀ କହିଲା ‘ସେଠାକୁ ତୁମେ ଯାଇଥିଲେ ତୁମକୁ ଆଦୌ କ୍ଳାନ୍ତ ଲାଗି ନଥାନ୍ତା । ସେଠାରେ ଜଣେ ସୁନ୍ଦରୀ ରାଜକୁମାରୀ ଆକସ୍ମିକ ଭାବରେ ପହଁଚିଲେ ଏବଂ ଆମ ସହିତ ଖୁବ୍ଭଲ ବ୍ୟବହାର କରି ସେ ଆମକୁ କମଳାଲେମ୍ବୁ ଖାଇବାକୁ ଦେଲେ ।’

କିଛି ନଜାଣିଲାପରି ଲାବଣ୍ୟମୟୀ ସେ ରାଜକୁମାରୀର ନାଁ ପଚାରିଲା ହେଲେ ଦୁଇ ଭଉଣୀଯାକ ତା ନାଁ ଜାଣି ନାହାଁନ୍ତି ଏବଂ ରାଜକୁମାର ମଧ୍ୟ ତାଙ୍କ ନାଁ ଜାଣି ନାହାଁନ୍ତି ବୋଲି କହିଲେ । ଏକଥା ଶୁଣି ସେ ଲାବଣ୍ୟମୟୀ ଟିକିଏ ହସିଲା ଏବଂ କହିଲା ତାହେଲେ ସେ ତ ଦେଖିବାକୁ ଖୁବ୍ ସୁନ୍ଦର ହୋଇଥିବେ? ତମେ ସବୁ ଦେଖି କେତେ ଖୁସି ହୋଇନଥିବ । ମୁଁ କଣ ତାକୁ ଟିକିଏ ଦେଖି ପାରିବି ନାହିଁ ।’ ଲାବଣ୍ୟମୟୀ ତାର ଭଉଣୀ ମଧୁମୟୀକୁ କହିଲା, ଆଚ୍ଛା ପ୍ରିୟ ମଧୁମୟୀ ତୁମର ଏଇ ହଳଦୀ ରଙ୍ଗର ପୋଷାକଟିକେ ମୋତେ ପିନ୍ଧିବାକୁ ଦେବ କି? ମଧୁମୟୀ ତାକୁ ତାତ୍ସଲ୍ୟ କରି କହିଲା ‘ହଁ ହଁ ତା ନୁହେଁ ତ ଆଉ କ’ଣ?’ ମୁଁ ମୋ ପୋଷାକ ଗୋଟିଏ ପାଉଁଶ କାଢୁଥିବା ଝିଅକୁ ଦେବିନା କ’ଣ? ମୁଁ କ’ଣ ବୋକା ହୋଇଛି?

 ଲାବଣ୍ୟମୟୀ ମଧୁମୟୀଠାରୁ ଠିକ୍ ଏଇ ଉତ୍ତର ହିଁ ଆଶା କରୁଥିଲା ଏବଂ ତାର ଏଇ ମନା କରିବାରେ ସେ ଭାରି ଖୁସି ହେଲା କାରଣ ସେ ତା କଥାକୁ ପରିହାସ ବୋଲି ମନେ କଲା ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ