ତାପରଦିନ ନୃତ୍ୟ ଆସରେ ପୂର୍ବରାତି ଭଳି ଲାବଣ୍ୟମୟୀ ତା’ ଧରମ ମା’ର ସାହାଯ୍ୟ ପାଇ ଯାଇ ପହଁଚିଲା । ପୂର୍ବ ରାତି ଅପେକ୍ଷା ଏ ରାତିରେ ସେ ଆହୁରି ସୁନ୍ଦର ପୋଷାକ ମାନ ପିନ୍ଧି ଯାଇଥିଲା । ରାଜକୁମାର ତାର ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ତା ପାଖ ଛାଡୁନଥିଲେ ଏବଂ ତା ସହିତ ଖୁବ୍ ମଧୁର ଭାବରେ ଗପ କରୁଥିଲେ । ରାଜକୁମାରଙ୍କ ସହ ଗପ କରିବାରେ ତାକୁ ଆଦୌ କ୍ଳାନ୍ତି ଜଣା ପଡୁନଥିଲା । ଏମିତି ଗପ କରୁ କରୁ ଘଂଟାରେ ରାତ୍ରି ବାରଟା ବାଜିଗଲା ଏବଂ ଲାବଣ୍ୟମୟୀକୁ ଜଣାଗଲା ଯେମିତି ରାତ୍ରି ଏଗାରଟା ବାଜିଛି । ହଠାତ୍ ବାରଟା ବାଜିବା କଥା ଜାଣି ଧରମ ମା’ର ଶପଥ କଥା ମନେ ପକାଇ ସେ ଉଠିପଡି କ୍ଷିପ୍ରଗତିରେ ଦୌଡିବାକୁ ଲାଗିଲା ।
ଲାବଣ୍ୟମୟୀ ଦୌଡିବାକୁ ଆରମ୍ଭ କଲାମାତ୍ରେ ରାଜକୁମାର ମଧ୍ୟ ତା ପଛେ ପଛେ ଦୌଡିବାକୁ ଲାଗିଲେ ମାତ୍ର ଲାବଣ୍ୟମୟୀ ପାଖରେ ଆଦୌ ପହଁଚି ପାରିଲେ ନାହିଁ । ଲାବଣ୍ୟମୟୀ ଜୋର୍ରେ ଦୌଡିବା ବେଳେ ତାର କାଚଜୋତାରୁ ଗୋଟିଏ କେଉଁଠି ହଜିଗଲା ଏବଂ ସେ ଅଣନିଶ୍ୱାସୀ ହୋଇ ଆସି ଘରେ ପହଁଚିଲା ଏବଂ ଦେଖିଲା ବେଳକୁ ତାର ପୋଷାକ ସବୁ ପରିବର୍ତ୍ତନ ହୋଇ ପୁରୁଣା ଏବଂ ଚିରା ହୋଇଯାଇଛି ମାତ୍ର କାଚ ଜୋତାରୁ ପଟିଏ ମାତ୍ର ଅଛି । ଲାବଣ୍ୟମୟୀର ହଜିଯାଇଥିବା କାଚ ଜୋତାକୁ ରାଜକୁମାର ପାଇ ସେଇଟିକୁ ଯତ୍ନରସହ ରଖିଲେ । ଲାବଣ୍ୟମୟୀକୁ ରାଜକୁମାର ଖୋଜି ଖୋଜି ବ୍ୟସ୍ତ ହୋଇପଡିଲେ । ରାଜପ୍ରାସାଦର ଜଗୁଆଳିକୁ ରାଜକୁମାର ଲାବଣ୍ୟମୟୀ ସମ୍ପର୍କରେ ପଚାରିବାରୁ ସେ କହିଲା ଯେ ରାଜପ୍ରସାଦ ଦ୍ୱାର ଦେଇ ଏକ ମଇଳା ଓ ଚିରା ପୋଷାକ ପିନ୍ଧି ଥିବା ଗୋଟିଏ ଝିଅ ବାହାରି ଦୌଡି ପଳାଇଲା ।
ଲାବଣ୍ୟମୟୀର ଦୁଇ ଭଉଣୀ ସେଦିନ ନୃତ୍ୟରୁ ଫେରିବା ପରେ ସେ ତାଙ୍କୁ ପଚାରିଲା ଯେ ସେମାନେ ଠିକ୍ ଭାବରେ ଆତିଥ୍ୟ ପାଇଥିଲେ କି ନା ଓ ସେ ସୁନ୍ଦରୀ ତରୁଣୀ ନୃତ୍ୟଶାଳାକୁ ଆସିଥିଲା କି ନାହିଁ । ସେମାନେ କହିଲେ ‘ହଁ ସେ ଆସିଥିଲା ମାତ୍ର ଯେମିତି ରାତ୍ରି ବାରଟା ବାଜିଛି ସେ ନୃତ୍ୟଶାଳାରୁ ବାହାରି ଦ୍ରୁତଗତିରେ ଚାଲିଗଲା ଓ ତାର ପାଦରୁ ଗୋଟିଏ କାଚଜୋତା ଖସିପଡିଲା ଏବଂ ରାଜକୁମାର ସେ ଜୋତାକୁ ଖୁବ୍ ଯତ୍ନର ସହ ରଖିଛନ୍ତି । କାହିଁକିନା ରାଜକୁମାର ସେ ଝିଅଟିକୁ ଖୁବ୍ ଭଲ ପାଉଥିଲେ ।’
ଲାବଣ୍ୟମୟୀର ଦୁଇ ଭଉଣୀ ଯାହା କହିଥିଲେ ତାହା ଠିକ୍ ଥିଲା ଏବଂ ରାଜକୁମାର ରାଜ୍ୟସାରା ଡେଙ୍ଗୁରା ଦେଇ ଘୋଷଣା କଲେ ଯେ ରାଜ୍ୟରେ ଯେଉଁ ଝିଅର ପାଦକୁ ସେ ଜୋତାଟି ହେବ ତାକୁ ସେ ନିଶ୍ଚୟ ବିବାହ କରିବେ ।
ରାଜାଙ୍କ ଲୋକମାନେ ସେଇଜୋତା ପଟକ ନେଇ ପ୍ରଥମେ ନୃତ୍ୟଶାଳାରେ ଉପସ୍ଥିତ ଥିବା ରାଜକୁମାରୀମାନଙ୍କୁ ଓ ପରେ ସାମନ୍ତମାନଙ୍କ କନ୍ୟାଙ୍କୁ ନେଇ କାଚ ଜୋତାଟି ପିନ୍ଧିବାକୁ ଦେଲେ ମାତ୍ର କାହାରି ପାଦକୁ ସେ ଜୋତା ପଟଟି ମୋଟେ ହେଲା ନାହିଁ । ଶେଷରେ ଲାବଣ୍ୟମୟୀର ଯେଉଁ ଦୁଇଟି ଭଉଣୀ ନୃତ୍ୟଶାଳାକୁ ଯାଇଥିଲେ ରାଜାଙ୍କ ଲୋକମାନେ ତାଙ୍କ ନିକଟକୁ ସେଇ କାଚ ଜୋତା ପଟଟି ଆଣି ଆସିଲେ । ସେ ଦୁଇଭଉଣୀ ଯେତେ ଚେଷ୍ଟା କରି ସେ ଜୋତାରେ ପାଦ ପୂରାଇଲେ ମଧ୍ୟ ତାଙ୍କ ପାଦକୁ ସେଇ ଜୋତାଟି ମୋଟେ ହେଲା ନାହିଁ । ପାଖରେ ଥିବା ଲାବଣ୍ୟମୟୀ ଯେ କି ସେଇ କାଚ ଜୋତା ବିଷୟରେ ଜାଣେ ସେ ଟିକିଏ ମୁରୁକି ହସା ଦେଇ କହିଲା ‘ମୋତେ ସେ ଜୋତାଟି ଦେଲ ମୁଁ ମୋ ପାଦରେ ମାପ କରି ଦେଖେ?’