ଏଣେ ସେ ପରୀରାଣୀ ତା ପର ଦୁଇପଟକୁ ଝାଡିଦେଲେ । ସେଥିରୁ କେବଳ ନିଆଁ ଝଡି ପଡିଲା । ସେତେବେଳେ ତାଙ୍କ ଓଠରୁ ବି ମନ୍ତ୍ର ଉଚ୍ଚାରଣ ହେଉଥିଲା । ସେପଟେ ସେ ଅସୁରୁଣୀ ପଛେ ପଛେ ନିଆଁଗୁଡିକ ଗୋଡାଇ ଗୋଡାଇ ଖାଲି ତାକୁ ଆକ୍ରମଣ କରୁଥିଲେ । ଏହିପରି ଭାବେ ସେ ଅସୁରୁଣୀର ଶରୀର ଗୋଟିକ ଭୟଙ୍କର ନିଆଁରେ ଭରପୂର ହୋଇଗଲା । ତାପରେ ସେ ରଡି ଛାଡିଲା ଯେ ରଡି ଛାଡିଲା । ଯନ୍ତ୍ରଣାରେ ସେ ଅସୁରୁଣୀଟି ଅତ୍ୟନ୍ତ ଛଟପଟ ହୋଇଗଲା । ଏପଟେ ଏ ପରୀରାଣୀ ତା ମନ୍ତ୍ର ଉଚ୍ଚାରଣ ଯେତେ ଜୋର୍ରେ କରୁଥାଏ, ସେପଟେ ବି ସେତେ ଜୋର୍ରେ ନିଆଁ ବାହାରୁଥାଏ । ପରିଶେଷରେ ସେ ଅସୁରୁଣୀର ମୃତ୍ୟୁ ହେଲା ।
ତାପରେ ପରୀରାଣୀ ଧୂଳି ମନ୍ତୁରାଇ ତାକୁ ଉପରକୁ ଛାଡିଦେଇ ମଧୁର କଣ୍ଠରେ ଗୀତ ଗାଇଲେ । ସେହିକ୍ଷଣି ଶହ ଶହ ପରୀସୁନ୍ଦରୀମାନେ ଓହ୍ଲାଇ ଆସିଲେ ସେହି ସ୍ଥାନକୁ ସୁନ୍ଦର ପରିବେଶଟି ତାଙ୍କ ସୌନ୍ଦର୍ଯ୍ୟରେ ଆହୁରି ଝଲସି ଉଠିଲା । ଏସବୁ ଦେଖି ସେ ନାଗୁଣୀ ଅତି ଖୁସି ହୋଇଗଲା । ତାପରେ ସମସ୍ତଙ୍କ ଗୀତ ନାଚରେ ସେ ଦ୍ୱୀପ ରାଜ୍ୟଟି ଯେପରି ଝୁମି ଝୁମି ଆନନ୍ଦିତ ହେଊଥିଲା ପରି ଜଣାପଡୁଥିଲା ।
ସେହିଦିନଠାରୁ ସେହି ଦ୍ୱୀପର ନାମ ଦିଆଗଲା ପରୀଦ୍ୱୀପ । ପରୀମାନେ ଜଙ୍ଗଲସାରା ବୁଲି ଶାନ୍ତି ପାଉଥିଲେ । ନାଗୁଣୀ ମଧ୍ୟ ସେଠାରେ ଶାନ୍ତି ଅନୁଭବ କରୁଥିଲା । ମହାକ୍ଷତି କାରକ ସେ ଅସୁରୁଣୀର ସଂପୂର୍ଣ୍ଣ ବିନାଶ ହେବାରୁ ସେଠାକାର ପରିବେଶ ମଧ୍ୟ ଅତି ସନ୍ତୋଷ ଜନକ ଲାଗୁଥିଲା ।