ଏସବୁ କଥା ଶୁଣି ସୋମୁର ମନ ଅତ୍ୟନ୍ତ ଖୁସି ହୋଇଗଲା । ପରୀରାଣୀ ତାର ହାତଧରି ଉଠାଇଦେଲେ । ପରୀରାଣୀଙ୍କ ହାତସ୍ପର୍ଶରେ ସେ ସୋମୁ ପିଠିର ଦୁଇପଟେ ପକ୍ଷ ଦୁଇଟି ହୋଇଗଲା । ପରୀରାଣୀଙ୍କ ପଛେ ପଛେ ସେ ମଧ୍ୟ ଉଡି ଉଡି ଉପରକୁ ଉଠୁଥିଲା । ସୋମୁକୁ ଏ ସ୍ୱପ୍ନଟି ସତ ପରି ଲାଗୁଥିଲା । କିଛି ସମୟ ପରେ ସେ ପରୀରାଇଜରେ ଯାଇ ପହଁଚିଗଲା । ସତକୁ ସତ ସୁନ୍ଦର ସୁନ୍ଦର ହୀରାଲୀଳା ମୋତି ମାଣିକ୍ୟର ଘର ଗୁଡିକ ସେଠାରେ ଯେପରି ଝଲସି ଉଠୁଥିଲା । ନାନା ଫୁଲ ଓ ଫଳରେ ସେଠିକା ରାସ୍ତାର ଦୁଇପଟ ଖୁବ୍ ରମଣୀୟ ମଧ୍ୟ ଦିଶୁଥିଲା । ଏଣେ ସେ ସୋମୁକୁ ଲାଗୁଥିଲା ସବୁଗୁଡିକ ବିଚିତ୍ର ବିଚିତ୍ର । ସେ ସୋମୁ ମିଠା ମିଠା ଫଳ ଗୁଡିକୁ ଛିଣ୍ଡାଇ ହାତରେ ଆଉଁଷୁଥିଲା । ପାଟିରେ ପୂରାଇବାକୁ ନିଅନ୍ତେ, ପରୀରାଣୀ ସେ ସୋମୁକୁ କହିଲେ ହାତ ଧୋଇ, ଫଳ ଧୋଇ ଖାଇବା ଉଚିତ୍ । ନହିଲେ ରୋଗ ହୋଇଯିବ । ଖାଇବା ପୂର୍ବରୁ ମୁହଁ ଧୋଇ କୁଳି କରିବା ଉଚିତ୍ । ତୁମେ ବଡ ଭୁଲ୍ କରୁଛ । ଏହା କହି ପାଣି ଆଉ ଇଠା ଫଳ ହାତ ଧୋଇବାକୁ ଦେଲେ । ତାପରେ ସେ ସୋମୁ ନିଜ ହାତମୁହଁ ଧୋଇ ଫଳ ଧୋଇ ଖାଇଥିଲା । କୁନି କୁନି ସୁନ୍ଦରିଆ ଝିଅମାନେ ପକ୍ଷ ମେଲି ସୋମୁ ଆଡକୁ ଧାଇଁ ଆସିଲେ । ସେମାନଙ୍କୁ ଦେଖି ସୋମୁ ଟିକିଏ ହସିଦେଇ କହିଲା –
“କୁଆଡ଼େ ଯାଉଛ କୁନି ଝିଅମାନେ
ଚୁନି ଚୁନି ଗୀତ ଶୁଭେ ମୋର କାନେ ।
ମିଠାମିଠା କଥା ଶୁଭଇ ମଧୁର
କୋଇଲିଠୁ ବଳି ତୁମ କଣ୍ଠ ସ୍ୱର ।
ସୋମୁକୁ ସେ କୁନି ଝିଅମାନେ କହିଲେ – “ଆମେ ପରୀରାଇଜର ଝିଅ ସମୟକୁ ଚିହ୍ନି ସର୍ବଦା ସବୁ କାମ କରିଥାଉ, ଯାଉପଢି ବିଦ୍ୟାଳୟ ।
ପଢିବୁ, ଖେଳିବୁ, ନାଚିବୁ ଗାଈ
ଆମେ ପ୍ରତିଭାକୁ ଦେବୁ ବଢାଇ
ପରୀ ରାଇଜର ରଖିବୁ ନାଆଁ
ଗୌରବ ଆସିବ ଛାଆଁକୁ ଛାଆଁ
ସୋମୁ ଓଠରେ ହାତ ବୁଲାଇ ସେହି କୁନି ଝିଅମାନେ ନିଜ ନିଜ ପକ୍ଷ ହଲାଇ ବିଦ୍ୟାଳୟକୁ ଚାଲିଗଲେ ।