“ବ୍ୟସ୍ତ ହୁଅ ନାହିଁ ପୁତ୍ର, ତୁମ କଥା ମୁଁ ଜାଣିଛି,
ଘରକୁ ଘରଣୀ ନିଅ, ସବୁ ମୁଁ ଯୋଗାଡିଛି ।
ବାପା ବୋଉ ତୁମର, ତୁମ ଅନୁପସ୍ଥିତିରେ ଅତ୍ୟନ୍ତ ଦୁଃଖିତ,
ତୁମ ସହ ବୋହୂକୁ ଦେଖି, ହୋଇବେ ସେ ଆନନ୍ଦିତ ।”
ତା’ପରେ ସେ ପରୀ ସେଠାରୁ କୁଆଡେ ଉଭାନ୍ ହୋଇଗଲା । ସାତଦିନ ପରେ ରାଜା ତାଙ୍କ ଚାରିଝିଅକୁ ଘୋଡା ହାତୀ, ସୁନା, ରୂପା, ହୀରା, ନୀଳା, ମୋତି, ମାଣିକ୍ୟ ଇତ୍ୟାଦି ଦେଇ ଜ୍ୱାଇଁମାନଙ୍କ ସହ ବିଦା କରିଦେଲେ । ଗୋଟିଏ ଗାଁରେ ସେ ଚାରି ସାଙ୍ଗଙ୍କର ଘର । ସେମାନେ ଅତି ଜାକ ଜମକରେ ନିଜ ନିଜ ସ୍ତ୍ରୀଙ୍କୁ ଧରି ଯାଆନ୍ତେ, ସେ ଗାଁ ସାରା ଲୋକେ ରାସ୍ତାର ଦୁଇ କଡରେ ଜମା ହୋଇଗଲେ । ବାଇଦ ଶବଦରେ ଆକାଶ ଖାଲି କମ୍ପିଉଠୁଥାଏ । ଅକା, ଆକା, ଇକା ଓ ଉକାର ମାଆ ବାପାମାନେ ବହୁ ଆଗରୁ ସେ ପରୀରାଣୀର ସାଧାରଣ ବେଶ ରୂପୀଠାରୁ ସବୁ କଥା ବୁଝିଥିଲେ ଏବଂ ରାତି ରାତି କୋଠାବାଡି ଆଲୌକିକ ଭାବେ ନିର୍ମିତ ହୋଇଯାଇଥିଲା । ତେଣୁ ଏବେ ସେମାନଙ୍କ ବାପା ମା ମାନେ ନିଜ ନିଜ ପୁଅ ବୋହୂକୁ ଅତି ଖୁସିରେ ବନ୍ଦାପନା କରି ଯାନି ଯଉତୁକ ସହ ଘରକୁ ନେଇଥିଲେ । ରାଜାଝିଅକୁ ବୋହୂରୂପରେ ପାଇ ସେମାନେ ବି ଅତି ମାତ୍ରାରେ ଖୁସି ହୋଇଥିଲେ । ସେ ବୋକା ପୁଅ ମାନଙ୍କୁ ଯେଉଁମାନେ ଘୃଣା ଭାବରେ ଦେଖୁଥିଲେ, ତାହା ତାଙ୍କ ମନରୁ ଚାଲି ଗଲା, ଓଲଟି ସ୍ନେହ ଶ୍ରଦ୍ଧା ତାଙ୍କ ପ୍ରତି ଆହୁରି ଅଧିକ ଭରିଗଲା ।
ସେ ଗାଆଁର ଲୋକମାନେ ଏବଂ ଏ ଚାରିସାଙ୍ଗଙ୍କ ବୟସର ସାଥୀମାନେ ଏପରି ଈଶ୍ୱର ଦତ୍ତ ଆର୍ଶୀର୍ବାଦ ଦେଖି କେବଳ ଆଶ୍ଚର୍ଯ୍ୟ ହେଉଥିଲେ ।
ଏହି ସମୟରେ ସେମାନଙ୍କ ଭିତରୁ ଜଣେ ମୁଖିଆ ବୃଦ୍ଧ କହିଲେ:-
“ଯାହା ତ କରିବେ ହରି
ତାକୁ କିଏ ପାରିବ ଉତାରି?
ସିଏ ବୋକାଙ୍କୁ କରନ୍ତି ଜ୍ଞାନୀ
ଗର୍ବର କରନ୍ତି ହାନୀ ।
ଯିଏ ଯେଉଁମତେ ଡାକେ
ଭଲ ପାଆନ୍ତି ସେ ଭକ୍ତେ ।
ଭକ୍ତର ଅଧିନ ହରି,
କେବେ ଦେବେ ନାହିଁ ମାରି ।
ଏ ଚାରିଜଣଙ୍କର ଗାଆଁ ସାଥୀମାନେ ତାଙ୍କୁ ଉପହାର ପ୍ରଦାନ କରି କହୁଥିଲେ କେବେହେଲେ ବି ଆମକୁ ଭୁଲିଯିବନି ଟି, ଆମେ ତୁମର କ’ଣ ସାଥୀ ନୁହେଁ?