ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ପରୀ ରାଇଜର ପରୀରାଣୀ

ସେ ଚାଷୀ ପରିବାର କହିଲେ ଦୁଇଟି ଭାଇ । ବଡଭାଇଟି ବାହା ହୋଇଥାଏ । ତାଙ୍କର ସାମାନ୍ୟ କିଛି ଚାଷଜମି । ସେହି ଜମିରେ ଏ ଦୁଇଭାଇ ଦିନରାତି ଖୁବ୍ କାମ କରନ୍ତି । ଭାଉଜ ମଧ୍ୟ ସେମାନଙ୍କୁ ଏସବୁଥିରେ ସାହାଯ୍ୟ କରୁଥାଏ । ପରିବାରରେ ଚଳିବା ମୁତାବକ ସେ ପରୀ ଗାଈଟି ଦୁଧ ଦେଉଥାଏ । ଏଇମିତି ସେମାନେ ହସ ଖୁସିରେ ଚଳି ଯାଉଥାନ୍ତି ।

ସେ ଦୁଇ ଭାଇଙ୍କର ଭାରୀ ମନ ମିଳେ । ବଡଭାଇ ବି ତା ସାନଭାଇକୁ ଅତ୍ୟନ୍ତ ସ୍ନେହ କରୁଥାଏ । କିନ୍ତୁ ଭାଉଜଟା ଟିକିଏ ହିଂସକୁଡି । ସେ ତାର ଦିଅରଟାକୁ ମନେ ମନେ ମୋଟେ ସହିପାରେ ନାହିଁ । କାରଣ ସେ ଠିକ୍ ଜାଣିଥାଏ ଯେ, ଦିନେ ନା ଦିନେ ଏଇ ସବୁ ସମ୍ପତ୍ତି ଦୁଇଭାଇଙ୍କ ଭିତରେ ବଂଟୁରା ହେବ । ଦିଅର କାଳେ ତା ଭାଗ ନେଇଯିବ ଏଇ କଥାଟି ଯେପରି ସେ ଭାଉଜ ଆଦୌ ସହି ପାରୁ ନଥାଏ । ଭାଉଜର ଗୋଟିଏ ପୋଷା କୁକୁର ଥାଏ । ସେ ଭାଉଜ ଜଣକ ତାଙ୍କ କୁକୁରକୁ ଯେତିକି ଆଦରଯତ୍ନ କରି ଖାଇବାକୁ ଦିଏ, ଦିଅରକୁ କିମ୍ବା ସେ ପୋଷା ପରୀଗାଈଟିକୁ ସେପରି ସେ ମୋଟେ ଦିଏ ନାହିଁ । ଓଲଟି ସେ ପୋଷା କୁକୁରଟା ସବୁବେଳେ ଗାଈଟାକୁ କାମୁଡି ଗୋଡାଉଥାଏ । ତେଣୁ ସେ ଗାଈଟି ଅତ୍ୟନ୍ତ ଦୁଃଖରେ ଥାଏ ।

ଦିନକର କଥା । ବଡଭାଇ କିଛି କାମରେ ଆଠଦିନ ପାଇଁ ଟିକେ ସହରକୁ ଚାଲିଗଲା । ଭାଉଜ ତ ଏମିତି ଗୋଟିଏ ସୁଯୋଗକୁ ଖୋଜୁଥିଲା । ସେ ବିଚାରିଲା ଏଇ ମଉକାରେ ମୁଁ ଉପାୟଟାଏ କରିଦେବି ଯେ ଆଉ ତାର ଜମିତକ କେବେବି ଭାଗବଂଟୁରା ହେବନାହିଁ ।

ତେଣୁ ସେ ଭାଉଜ ଯାଇ ପାହାଡ ତଳୁ ବିଷମଞ୍ଜି ତୋଳି ଆଣିଲା । ତାକୁ ବାଟି ସେ ପିଠା ତିଆରି କଲା । ଦିଅର ଯେତେବେଳେ ତା ବିଲରୁ କାମ କରି ଫେରି ଆସିଲା, ସେତେବେଳେ ଭାଉଜ ସେହି ପିଠାତକ ଦିଅର ପାଇଁ ବାଢି ଦେଲା । ଦିଅର ବି କାହିଁକି ଏତେ ଛନ୍ଦକପଟ ଜାଣିବ । ତହୁଁ ସେ ଦିଅର ପିଠାତକ ହାତରେ ଧରି ବାରିଆଡେ ଚାଲିଲା ପିଣ୍ଡାରେ ବସି ଖାଇବ ବୋଲି । ପିଣ୍ଡା ତଳକୁ ତ ସେ ପରୀଗାଈଟି ବନ୍ଧା ହୋଇଥାଏ । କାଳେ କିଛି ଗୋଳମାଳ ହୋଇପାରେ ଭାବି ସେ ଭାଉଜ ପାଣି ଆଣିବା ବାହାନାରେ ନଈ କୂଳକୁ ଚାଲିଗଲା ।

ସେ ସାନଭାଇଟି ତ ପରୀଗାଈଟିକୁ ଭାରୀ ଭଲ ପାଉଥାଏ । ତେଣୁ ସାନଭାଇ ଗାଈକୁ ଆଦର କରି ପିଠାଟିଏ ଖାଇବାକୁ ଦେବାରୁ ସେ ଗାଈଟି ଅବିକଳ ମଣିଷ ପରି କଥା କହିଲା, “ମୋ କଥା ମାନି ତୁମେ ଏ ପିଠା ଯମା ଖାଅନାହିଁ ।”

ଗାଈଟି ମଣିଷ ପରି କଥା କହୁଛି ଶୁଣି ସାନଭାଇଟି ପ୍ରଥମେ ଟିକେ ଚମକି ପଡିଲା । ଭାବିଲା ଏ କି ଆଶ୍ଚର୍ଯ୍ୟ କଥା । ଗାଈଟା ପୁଣି କଥା କହୁଛି । ମାତ୍ର ତାର ତ ଆଉ କିଛିବି ସନ୍ଦେହ ନାହିଁ । ତେଣୁ ସାନଭାଇଟି ଓଲଟି ପଚାରିଲା, “ତେବେ ଏ ପିଠା ମୁଁ କ’ଣ କରିବି? ନ ଖାଇଲେ ତ ଭାଉଜ ମୋର ବିରକ୍ତ ହେବ ।”

ତାପରେ ଗାଈ କହିଲା, “ସେ ପିଠାତକ ତମେ ତମ ଭାଉଜର କୁକୁରଟାକୁ ଦେଇଦିଅ ।” ଗାଈଟିର କଥାମାନି ସାନଭାଇ କୁକୁର ଆଗରେ ପିଠାତକ ଅଜାଡି ଦେଲା । କୁକୁର ଯେମିତି ସେ ପିଠାତକ ଖାଇଦେଇଛି ସେହିକ୍ଷଣି ସେ ସେଇଠି ହିଁ ମରି ଶୋଇଲା । ନଈ କୂଳରୁ ଭାଉଜ ଫେରି ଆସି ଦେଖିଲା ଯେ, ତା ଦିଅର ବଦଳରେ ତାରି ପୋଷା କୁକୁରଟି ମରିଯାଇଛି । ଠିକ୍ ଏହି ସମୟରେ ବଡଭାଇ ମଧ୍ୟ ସହରରୁ ଫେରି ଆସିଲା ।

ତାପରେ ସେ ସାନଭାଇ ତା ଭାଉଜର ସମସ୍ତ କାର୍ଯ୍ୟ ନିଜ ଭାଇ ଆଗରେ ବର୍ଣ୍ଣନା କଲା । ଯେଉଁ ଘରେ ତାର ଜୀବନ ନିରାପଦ ନୁହେଁ, ସେଠାରେ ସେ ଆଦୌ ରହି ପାରିବ ନାହିଁ ବୋଲି ମଧ୍ୟ କହିଲା । ପରିଶେଷରେ ତା’ ଭାଗ ଜମିତକ ଅଲଗା କରିଦେଲେ ସେ ଯାଇ ଅଲଗା ରହିବ ବୋଲି ସଫା ସଫା ତା ଭାଇକୁ ଶୁଣାଇଦେଲା । ଏପରି କଥା ଶୁଣି ବଡଭାଇ ଓ ବଡଭାଉଜ ଖାଲି ରାଗରେ ପାଚିଗଲେ । ତହୁଁ ସେ ଦୁହେଁ କହିଲେ, “ତୋତେ ଜମିରୁ ଏକ ଛଦାମ ବି ମିଳିବ ନାହିଁ । ତୋତେ ଆଜିଯାଏଁ ମୁଁ ମଣିଷ କରିଆଣିଲି । ଆହୁରି ପୁଣି ତୁ ଜମିରୁ ଭାଗ ଖୋଜୁଛୁ?


ଗପ ସାରଣୀ

ତାଲିକାଭୁକ୍ତ ଗପ