ଯେତେବେଳେ ଇନ୍ଦୋର ରାଜ୍ୟରେ ରାଣୀ ଅହଲ୍ୟାବାଇ ରାଜୁତି କରୁଥିଲେ ସେତେବେଳେ ବିନାୟକ ରାଓ ମଧ୍ୟେକର ନାମକ ଜଣେ ପ୍ରସିଦ୍ଧ ସଙ୍ଗୀତଜ୍ଞ ସେଠାରେ ରହୁଥିଲେ । ସେ ଜଣେ ବହୁତ ବଡ କବି ଥିଲେ । ଭକ୍ତ ମଧ୍ୟ ଥିଲେ । ସେ ନିଜେ ଗୀତ ଲେଖୁଥିଲେ, ତାହା ସ୍ୱର ସଂଯୋଜନା କରୁଥିଲେ ଏବଂ ନିଜେ ବି ଗାଇ ଅନ୍ୟମାନଙ୍କୁ ଶୁଣାଉଥିଲେ ।
କବି ଏବଂ ଗାୟକ ଭାବରେ ସେ ମଧ୍ୟେକରଙ୍କର କୀର୍ତ୍ତି ସର୍ବତ୍ର ବ୍ୟାପି ଯାଇଥିଲା । ଭକ୍ତ ତ ସଙ୍ଗୀତର ପୃଷ୍ଠପୋଷକ, ଧନୀ ବ୍ୟକ୍ତି ଆଦି ସଦାସର୍ବଦା ତାଙ୍କ ଘରକୁ ଆସି ତାଙ୍କୁ ଅନେକ ଉପହାର ପ୍ରଦାନ କରୁଥିଲେ ।
ଏହିପରି ଭାବରେ ମିଳୁଥିବା ସମସ୍ତ ଧନକୁ ମଧ୍ୟେକର ଦରିଦ୍ର ବ୍ୟକ୍ତିମାନଙ୍କ ମଧ୍ୟରେ ବାଂଟି ଦେଉଥିଲେ । ଯେତେ ଧନ ଆସୁଥିଲା ସେସବୁ ଖର୍ଚ୍ଚ ହୋଇଯାଉଥିଲା । କିନ୍ତୁ ସେ ଯେତେ ସବୁ ଧନ ଖର୍ଚ୍ଚ କରୁଥିଲେ ତାହା ତାଙ୍କୁ ଉପହାର ସ୍ୱରୂପ ମିଳିଯାଉଥିଲା ।
ସନ୍ତାନସନ୍ତତିଙ୍କର ଅଭାବ ବ୍ୟତୀତ ମଧ୍ୟେକରଙ୍କର ଜୀବନରେ ଆଉ କୌଣସି ବି ଅଭାବ ନ ଥିଲା– ଶେଷରେ ସେ ନିଃସନ୍ତାନ ହୋଇ ନିଜର ପୂଜ୍ୟଦେବ ପାଣ୍ଡୁରଂଗାଙ୍କର ସହିତ ଲୀନ ହୋଇଗଲେ । ଶେଷ ସମୟରେ ସେ ତାଙ୍କ ପତ୍ନୀ ରୁକ୍ମାବାଇଙ୍କୁ ଡାକିଲେ ଓ କହିଲେ–
‘ରୁକ୍ମା ଆମର ତ କୌଣସି ସନ୍ତାନସନ୍ତତି ନାହାଁନ୍ତି । କିନ୍ତୁ ମନୁଷ୍ୟମାନଙ୍କ ପାଇଁ କେବଳ ପୁତ୍ର ହିଁ ସନ୍ତାନ ହୋଇ ନଥାଏ । ସାତ ସନ୍ତାନ ମଧ୍ୟରୁ କେବଳ ଏହି ଗୋଟିଏ ସନ୍ତାନ ପ୍ରାପ୍ତ କରିପାରିଲି ନାହିଁ । ତେଣୁ ମୋର ମୃତ୍ୟୁ ପରେ ମୋର ସମସ୍ତ ଧନ କୂଅ, ପୋଖରୀ, ମନ୍ଦିର ଏବଂ ଧର୍ମଶାଳା ଆଦି ନିର୍ମାଣ କାର୍ଯ୍ୟରେ ବ୍ୟୟ କରିବ । ଏହା ହିଁ ମୋର ଇଚ୍ଛା ।’
ପତିଙ୍କର ମୃତ୍ୟୁ ପରେ ରୁକ୍ମାବାଇ ତାଙ୍କର ସମସ୍ତ ଇଚ୍ଛା ପୂର୍ଣ୍ଣ କରିବା ପାଇଁ ନିଷ୍ପତି ନେଲେ । କିନ୍ତୁ ସେଥିରେ ଗୋଟିଏ ବାଧା ଦେଖାଦେଲା । ଦିନେ ଇନ୍ଦୋର ରାଜ୍ୟର ସେନାଧିପତି-ତୁକ୍କାଜୀ ଆସି କହିଲେ, ମଧ୍ୟେକରଙ୍କର କୌଣସି ସନ୍ତାନସନ୍ତତି ନ ଥିବାରୁ ନିୟମ ଅନୁଯାୟୀ ତାଙ୍କର ସମସ୍ତ ସମ୍ପତ୍ତି ରାଜ୍ୟର ହୋଇଯିବ । ତେଣୁ ତାଙ୍କର ସମସ୍ତ ସମ୍ପତ୍ତି ରାଣୀଙ୍କୁ ସମର୍ପି ଦିଆଯିବ । ରୁକ୍ମାବାଇ ନିଜର ଜୀବନ ନିର୍ବାହ କରିବା ପାଇଁ କିଛି ରଖିପାରନ୍ତି ।