ସାହସୀ ପର୍ସିଅସ୍ ମେଡୁସାକୁ ମାରି ତା’ର ମୁଣ୍ଡ ନିଜ ପାଖରେ ରଖିଥା’ନ୍ତି । ଫେରିବା ସମୟରେ ସେ ସୁନ୍ଦରୀ ରାଜକୁମାରୀ ଆଣ୍ଡ୍ରେମିଡାଙ୍କୁ ଭୟଙ୍କର ସାମୁଦ୍ରିକ ପଶୁ କବଳରୁ ରକ୍ଷା କରିବାରୁ ତାଙ୍କ ପିତାମାତା ଏଥିରେ ଅତ୍ୟନ୍ତ ଖୁସି ହୋଇ ପର୍ସିଅସ୍ଙ୍କ ସହିତ ତାଙ୍କ ଝିଅ ତଥା ଆଣ୍ଡ୍ରେମିଡାର ବିବାହ କରାଇ ଦେଲେ । ସେମାନଙ୍କ ବିବାହ ବଡ ଆଡମ୍ବର ସହକାରେ ଅନୁଷ୍ଠିତ ହେଲା । ସେ ବାହାଘରରେ ସମସ୍ତେ ଖୁସି ଥିଲେ ମଧ୍ୟ, ଫିନିୟସ୍ ନାମକ ଏକ ସଂପର୍କୀୟ ଯୁବରାଜ ଏଥିରେ ଆଦୌ ଖୁସି ନଥିଲେ । ଏଣୁ ସେ ଓ ତାଙ୍କ ସାଙ୍ଗମାନେ ଆଣ୍ଡ୍ରେମିଡାଙ୍କୁ ଅପହରଣ କରିବାକୁ ବହୁ ଚେଷ୍ଟା କରି ଶେଷରେ ଅସଫଳ ହେଲେ । ଅପହରଣକାରୀମାନଙ୍କୁ ଭୟ ଦେଖାଇବା ନିମନ୍ତେ ପର୍ସିଅସ୍ ମେଡୁସାର ମୁଣ୍ଡକୁ ସେମାନଙ୍କ ଆଗରେ ଉଠାଇ ଧରିଲେ, ସେ ଦୃଶ୍ୟ ଦେଖିବା ମାତ୍ରେ ଅପହରଣକାରୀମାନେ ହଠାତ୍ ପଥର ପାଲଟି ଗଲେ । ତା’ପରେ ପର୍ସିଅସ୍ ଆଣ୍ଡ୍ରେମିଡାଙ୍କୁ ନେଇ ନିଜ ମା’ଙ୍କ ପାଖକୁ ଗଲେ । ସେତେବେଳେ ସେଠାକାର ରାଜା ପର୍ସିଅସ୍ଙ୍କ ଅନୁପସ୍ଥିତିରେ ତାଙ୍କ ମା’ଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ । ସେଥିରୁ ମୁକ୍ତି ପାଇବାକୁ ସେ ପଳାଇ ଯାଉଥିବାବେଳେ ପର୍ସିଅସ୍ ଯାଇ ସେଠାରେ ପହଁଚିଲେ । ସେ ତାଙ୍କ ନିଜ ମା’ଙ୍କର ଏପରି ଦଶା ଦେଖି ମେଡୁସାର ମୁଣ୍ଡକୁ ରାଜା ଓ ଅନ୍ୟମାନଙ୍କୁ ଦେଖାଇଲେ । ଫଳରେ ସେମାନେ ସମସ୍ତେ ମଧ୍ୟ ପଥର ହୋଇଗଲେ ।
ଏଣିକି ସେ ଚାହିଁଲେ ମେଡୁସାର ମୁଣ୍ଡ ଦେବୀ ମିନର୍ଭାଙ୍କ ମନ୍ଦିରରେ ହିଁ ରଖିବେ । କାରଣ ନିଜ ବଳ ଉପରେ ସେ ପୁରା ନିର୍ଭର କରିବାକୁ ଚାହୁଁଥିଲେ । ଏହି କାରଣରୁ ସେ କିଛିଦିନ ଦେବୀ ମିନର୍ଭାଙ୍କ ମନ୍ଦିରରେ ତପସ୍ୟା କରିବା ପରେ ନିଜ ଦେଶ ଆର୍ଗୋସ୍କୁ ଫେରିଯିବାକୁ ମନସ୍ଥ କଲେ । ଏହିଭଳି ଭାବେ ମନ୍ଦିରରେ କିଛିଦିନ ତପସ୍ୟା କରିବା ପରେ ନିଜ ମା’ ଓ ପତ୍ନୀଙ୍କ ସହିତ ସେ ଆର୍ଗୋସ୍ ଯିବାକୁ ବାହାରିଲେ । ଶିଶୁ ଅବସ୍ଥାରେ ତାଙ୍କୁ ଓ ତାଙ୍କ ମା’ଙ୍କୁ, ତାଙ୍କ ଅଜା ଏକ ନୌକାରେ ବସାଇ ବିଶାଳ ସାଗରରେ ଭସାଇ ଦେଇଥିଲେ । ଏବେ ସେ ଏକ ସୁନ୍ଦର ବିରାଟ ଜାହାଜରେ ଫେରୁଛନ୍ତି । ପୁଣି ସେତେବେଳକୁ ତାଙ୍କ ବୀରତ୍ୱର କାହାଣୀ ସାରା ଦେଶରେ ପ୍ରଚାର ହୋଇ ଯାଇଥାଏ । ସେ ଜାହାଜଟି ଆସି ଲାରିସା ରାଜ୍ୟରେ ପ୍ରଥମେ ରହିଲା । ସେଠାକାର ରାଜା ଖୁବ୍ ଆନ୍ତରିକ ଭାବରେ ତାଙ୍କର ସ୍ୱାଗତ କଲେ । ଏହି ଖୁସିରେ ବହୁତ ଉତ୍ସବ କରାଗଲା । ଏସବୁ ଦେଖି ପର୍ସିଅସ୍ ଅତ୍ୟନ୍ତ ଆନନ୍ଦିତ ହେଲେ ଓ ସେଠାକାର ରାଜାଙ୍କ ସହିତ ତାଙ୍କର ମିତ୍ରତା ହେଲା ।
ସେହି ଉତ୍ସବରେ ନାନା ପ୍ରକାର କ୍ରୀଡା ପ୍ରତିଯୋଗିତାର ଆୟୋଜନ କରାହୋଇଥିଲା । ସେଥିରେ ପର୍ସିଅସ୍ଙ୍କର ଖେଳ ଥିଲା ଏକ ବଡ ଓଜନିଆ ପଥର ଚକକୁ ଦୂରକୁ ଫିଙ୍ଗିବା । ସେ ନିର୍ଦ୍ଧାରିତ ଦୂରତ୍ୱଠାରୁ ଏତେ ବେଶି ଦୂରକୁ ତାହା ଫିଙ୍ଗିଲେ ଯେ ତାହା ଜଣେ ଲୋକ ଉପରେ ଯାଇ ପଡିଲା । ସେ ପଥରଚକ ଏତେ ଓଜନ ଓ ଏତେ ବେଶୀ ଗତିଶୀଳ ଥିଲା ଯେ ତତ୍କ୍ଷଣାତ୍ ସେହି ଲୋକଟି ସେହିଠାରେ ହିଁ ମରିଗଲା । ସେହି ବ୍ୟକ୍ତି ଜଣକ ପର୍ସିଅସ୍ଙ୍କର ଅଜା ତଥା ଆର୍ଗୋସ୍ର ରାଜା ଅକ୍ରିସିଅସ୍ ଥିଲେ । ନିଜ ନାତି ଜୀବିତ ଅଛି ଜାଣି ତା’ ହାତରୁ ରକ୍ଷାପାଇବା ପାଇଁ ସେ ଗୁପ୍ତରେ ଲାରିସା ଆସିଯାଇଥିଲେ । କିନ୍ତୁ ନିୟତି ତ ପୁଣି ଅବଶ୍ୟ ଘଟିବ । ତାଙ୍କ ଜୀବନ ତାଙ୍କ ନାତି ହାତରେ ହିଁ ଯିବାର ଥିଲା ଓ ଗଲା ମଧ୍ୟ । ତା’ପରେ ପର୍ସିଅସ୍ ଲାରିସାରୁ ଯାଇ ଆର୍ଗୋସ୍ରେ ପହଁଚିଲେ । କିନ୍ତୁ ତାଙ୍କରି ଯୋଗୁଁ ତାଙ୍କ ଅଜା ପ୍ରାଣ ହରାଇଥିବାରୁ ସେ ଅତ୍ୟନ୍ତ ଦୁଃଖିତ ହେଲେ ଓ ସେହି ପାପର ପ୍ରାୟଶ୍ଚିତ କରିବାକୁ ଯାଇ ସିଂହାସନରେ ବସିବାକୁ ସେ ମୋଟେ ମଙ୍ଗିଲେ ନାହିଁ ।
କିନ୍ତୁ ଅଜାଙ୍କ ମୃତ୍ୟୁ ପରେ ସିଂହାସନର ଏକମାତ୍ର ଉତ୍ତରାଧିକାରୀ ଭାବରେ ସେ ମେସୈନଲ୍ ନାମକ ଏକ ନୂଆ ନଗରୀ ସ୍ଥାପନ କରି ସେଠାରେ ରହି ସମସ୍ତ ରାଜକାର୍ଯ୍ୟ ବୁଝିଲେ । ସେ ଓ ଆଣ୍ଡ୍ରେମିଡା ପ୍ରଜାଙ୍କୁ ଅତି ଆନ୍ତରିକତା, ଦୟା ଓ ସ୍ନେହ ସହିତ ଶାସନ କଲେ । ଅଳ୍ପଦିନରେ ସେମାନେ ପ୍ରଜାମାନଙ୍କର ଅତି ପ୍ରିୟ ହୋଇ ଉଠିଲେ । ଅନେକ ବର୍ଷ ଆନନ୍ଦରେ ବିତିଗଲା – ପର୍ସିଅସ୍ଙ୍କ ମୃତ୍ୟୁ ପରେ ପ୍ରଜାମାନେ ତାଙ୍କର ଏକ ସୁନ୍ଦର ପଥର ମୂର୍ତ୍ତି ସ୍ଥାପନ କରି ତାଙ୍କୁ ସେମାନେ ନିଜର ଦେବତା ପରି ପୂଜା କଲେ । ପର୍ସିଅସ୍ଙ୍କ ପୁତ୍ରମାନଙ୍କ ମଧ୍ୟରୁ ଜଣକ ନାମ ପେର୍ସସ୍ ଥିଲା । ସେ ହିଁ ପର୍ସିଆ ବା ପାରସ୍ୟ ଦେଶ ସ୍ଥାପନ କରିଥିଲେ । ଅନେକ କାବ୍ୟନାଟକ ଏହି ଗଳ୍ପକୁ ଆଧାର କରି ଲେଖା ହୋଇଛି । ସେଥିରେ ଏସବୁ ଘଟଣା ସୁନ୍ଦର ଭାବରେ ଉଲ୍ଲେଖ କରାଯାଇଛି । ସେହି ସବୁ ଗ୍ରନ୍ଥମାନଙ୍କ ମଧ୍ୟରେ ଶ୍ରୀ ଅରବିନ୍ଦଙ୍କ ଲିଖିତ ଇଂରେଜ ନାଟକ “ପର୍ସିଅସ୍ ଦ ଡେଲିଭରର୍” ଉଲ୍ଲେଖ ଯୋଗ୍ୟ ।