ଢେର୍ ବର୍ଷ ତଳର କଥା । ବାଲେଶ୍ୱର ସହର ଦକ୍ଷିଣାଧାର ସରଗଡିଆ ପଡାର ଉତ୍ତର-ଦକ୍ଷିଣ ଲମ୍ବା ସଡକର ଦୁଇ ତରଫ ଲମ୍ବାଲମ୍ବି ଦୁଇ ସାହାଲା ଘର । ସେ ସବୁଗୁଡିକ ଅମଲା ମୁକ୍ତାର ଓକିଲମାନଙ୍କ ବସା । ଗିରସ୍ତି ଘର ଗୋଟିଏ ହେଲେ ବି ସେଠି ନାହିଁ । କଟକ, ପୁରୀ, ଯାଜପୁରବାସିନ୍ଦା ବିଦେଶୀ ଅମଲାମାନେ ସେହି ପଡାରେ ହିଁ ବସା କରି ରହନ୍ତି ।
ମୁକ୍ତାରବାବୁ ଗୋପାଳଚରଣ ପଟ୍ଟନାୟକଙ୍କ ବସା ପଶ୍ଚିମପଟ ସାହାଲାର ମଝିରେ । ତାଙ୍କ ବସାରେ କୁଟୁମ୍ବ ବୋଇଲେ ସେ ଓ ତାଙ୍କ ବୁଢୀ ମାଆଟି, ଆଉ କେହି ବି ନାହିଁ । ପାଖ ପଡିଶା ପେସ୍କାର ରାଜକିଶୋରବାବୁ । ତାଙ୍କ ବସାରେ ବୁଢୀମା’, ସ୍ତ୍ରୀ ଆଉ ଆଠ ବର୍ଷର ଝିଅଟି ରାଧୀ । ପେସ୍କାର ଆଉ ମୁକ୍ତାରବାବୁଙ୍କ ମାଆମାନଙ୍କର ଖୁବ୍ ମନ ମିଳେ । ତାହା ତ ମିଳିବ, ଦୁହେଁ ଯେ ଏକବୟସୀ, ପୁଣି ବୁଢୀ । ତାଛଡା ବିଦେଶରେ ସାଙ୍ଗସୁଙ୍ଗା ବି ଆଉ କେହି ନାହିଁ । ଦୁଇ ବୁଢୀ ଭିତରେ ଏ ତା’ ବସାକୁ, ସେ ୟା ବସାକୁ ଦିନମାନରେ ଦୁଇ ତିନିଥର ଯିବାଆସିବା କରନ୍ତି । ପେସ୍କାର ମା’ କିନ୍ତୁ ମୁକ୍ତାର ବସାକୁ ଦିନ ଭିତରେ ଢେର୍ ଥର ଆସନ୍ତି । ବୋହୂଟା କିଛି ବି ପାଇଟି କରିବାକୁ ଦିଏ ନାହିଁ, ତୁଚ୍ଛା ବସାଟାରେ ବସି ସେ କ’ଣ ବା କରିବେ? ପଛ ବାଡିପଟ ଓଳିଏ ଓଳିଏ ବାଟ, ସେ ପଟରେ ମଣିଷ ନାହିଁ । ଯେତେବେଳେ ତାଙ୍କ ଇଚ୍ଛା ସେତେବେଳେ ସେ ଯା’ଆସ କରନ୍ତି । ଆଉ ବେଳେ ଯାହା ହେବ- ବେଳବୁଡ, ଚଉଦଘଡିଆ ବୁଢୀ ଦୁଇଟା ଚମ ଧୁଡୁଧୁଡୁ ହାଡୁଆ ଗୋଡ ପୁଞ୍ଜାକ ମେଲାଇ ଦେଇ ବସି ଢେର୍ ସୁଖଦୁଃଖ କଥାଭାଷା ହୁଅନ୍ତି । ଦିନେ ଏଣୁତେଣୁ କଥା କୁହାକୁହିଁ ହେଉଁ ହେଉଁ ସେମାନେ ପରସ୍ପରର ନାଁ’ ପଚରା ପଚରି ହେଲେ । ମୁକ୍ତାର ମା’ କହିଲେ, “ମୋ’ ନାଁ ପଦ୍ମା ।” ଏହା ଶୁଣି ପେସ୍କାର ମା’ ହସି ହସି କହିଲେ, “ମଲା ଯା – ମୋ ବଡଅପା ନାଁ’ ଯେ ପଦ୍ମାବତୀ । ତେଣୁ ଆଜିଠୁ ତୁମେ ଯେ ମୋ ଅପା ହେଲ, ମୁଁ ଏବେ ତୁମକୁ ଅପା ବୋଲି ଡାକିବି । ମୋ ନାଁ’ ସୀତା, ମତେ ତମେ ସୀତା ବୋଲି ଡାକିବ । କ’ଣ ଏଇ କଥା ହେଲା ନା?” ତହୁଁ ସେ ପଦ୍ମାଦେଈ ହସି ହସି କହିଲେ, “ହଉ, ହେଲା ଏଥର ତାହାହିଁ ହେବ ।”
ସେ ମୁକ୍ତାରବାବୁ ତ ପାଂଚବର୍ଷ କାଳୁ ବାପଛେଉଣ୍ଡିଆ । ତାଙ୍କ ବାପେ କମଳଲୋଚନ ପଟ୍ଟନାୟକେ ବରଷକୁ ଚାଳିଶ ଟଙ୍କା, ଦୁଇଯୋଡ ଖଦି, ଯୋଡାଏ ଗାମୁଛା ଦରମାରେ ଜଣେ କାପୁଡିଆର ଗୁମାସ୍ତା ଥିଲେ । ଯାହା ଦରମା ଗଣ୍ଡାକ ସେ ପାଉଥିଲେ; ସେସବୁ ତ ତାଙ୍କ ପେଟ ପିଠିକୁ ନିଅଂଟ, ବିଧବା ଲାଗି ସେ ଆଉ ସାଇତି ଯିବେ କ’ଣ ।