ତା’ପରେ ବିଧବା ପଦ୍ମାଦେଈ ଗ୍ରାମର ୟା’ ତା’ ଘରେ ଢେଙ୍କିମାଡି ପାଂଚପାଇଟି କରି ବଡ କଷ୍ଟରେ ପୁଅଟିକୁ ମଣିଷ କରାଇଲେ । ପିଲା ଗୋପାଳଟି ଖୁବ୍ ବୁଦ୍ଧିଆ ଥିଲା, ପାଠରେ ବେଶ୍ ମନ ସେ ରଖିଥାଏ, ଏଥିପାଇଁ ସେ ମଣିଷ ହୋଇଥିଲା । ପିଲାଦିନୁ ଆପଣା ଅବସ୍ଥା ସେ ଠିକ୍ ଭାବରେ ବୁଝିଲାଣି । ତେଣୁ ତା’ ମାଆର ଦୁଃଖ ଦେଖି ଉହାଡରେ ଯାଇ ସେ କାନ୍ଦେ । ମନରେ କହେ, “ମୁଁ ରୋଜଗାର କଲେ ମା’କୁ ଖୁବ୍ ସୁଖରେ ରଖିବି ।” ଗୋପାଳବାବୁ ମୁକ୍ତାରୀ ପାସ୍ କରି ବାଲେଶ୍ୱରକୁ ଆସିବେ, ସୁଖରେ ରଖାଇବେ ବୋଲି ମା’ଙ୍କୁ ଗାଁରୁ ଅଣାଇ ବସାରେ ସେ ରଖାଇଥିଲେ, ମାତ୍ର ପାରିଲେ ନାହିଁ । ବାବୁଙ୍କର ଇଚ୍ଛା ମା’ ଭଲ ଖାଇ ଭଲ ଖଣ୍ଡେ ପିନ୍ଧି ତାଙ୍କ ବସାରେ ସେ ତୁନି ହୋଇ ବସିଥାନ୍ତୁ । ହେଲେ ମା’ ସେ କଥା ଶୁଣିବେ କିଆଁ? ବସାରେ ସବୁ ପାଇଟି ସେ କରିବେ, ପିନ୍ଧିବାକୁ ସେଇ ମୋଟା ଖଦିଟାଏ । ଭଲ ଲୁଗା ଆଣିଲେ ସେ କହିବେ, “ଆରେ ଗୋପାଳ, ଏତେ ପାତଳ ଲୁଗା କିଆଁରେ- ମାସ ଚାରିଟାରେ ଏଇଟା ଚିରି ଫାଳ ଫାଳ ହୋଇଯିବ, ଦେହକୁ ତ ଏଇଟା କନା ପରି ଲାଗିବ, ଲୁଗା ପିନ୍ଧିଲା ପରି ଆଦୌ ଜଣାପଡିବ ନାହିଁ । ମଲା ଯା- କେତେ ଓସାର ମ! ଗୋଡରେ ଛନ୍ଦି ହେବ, ଚାଲିବି କିମିତିରେ?” ବୁଢୀର ଇଚ୍ଛା, ମୋ ଛୁଆଟା ତ ପିଲାଦିନେ ବଡ ଦୁଃଖ ପାଇଛି, ଭଲ ଖାଇ ନାହିଁ, କି ଭଲ ପିନ୍ଧି ନାହିଁ, ମୋର ତ ଯାହିତାହି ଚଳିଯାଉଛି, ତା’ ଅର୍ଜନରେ ଟଙ୍କାଗୁଡାକ ମୁଁ ଖର୍ଚ୍ଚ କରିବି କିଆଁ? ଯେତେ ଗୋଡ ହାତ ଧରି ନେହୁରା କଲେ ବି ପୁଅ ମୋଟେ ଶୁଣିବାକୁ ନାହିଁ । ‘ତୁ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡା କାଠ ।’ ଗୋପାଳବାବୁ କଚେରି ବାହୁଡା ସଞ୍ଜବେଳେ ମା’ ପାଖରେ ଘଡିଏ ବସି ଦୁଃଖସୁଖ କଥା କହନ୍ତି । ଯେଉଁଦିନ ଯେତେ ରୋଜଗାର ହୁଏ ମା’ ପାଖରେ ସେ ଥୋଇଦିଅନ୍ତି । ଏଣେ ଟଙ୍କା ଦେଖି ବୁଢୀ ଛାତି କୁଣ୍ଢେମୋଟ ହୋଇଯାଏ । ଭଲ କରି ଓଲଟା ଓଲଟି କରି ସେ ଦେଖେ, ଠାକୁର ଦେବତା ନାମ ଡାକି ଟଙ୍କାଗୁଡାକ ଛ’ଥର ମୁଣ୍ଡରେ ସେ ମାରେ; ଗଣିପୋଛି ଭଲ କରି ବାନ୍ଧି ସେସବୁକୁ ପେଡିରେ ରଖେ । ନିଜ ପାଇଁ ସେ ପଇସାଟାଏ ବି ଖରଚ କରେ ନାହିଁ । ପୁଅ ପାଇଁ ହେଲେ ପାଂଚଟା ଜିନିଷ ଅଣାଇ ସେ ପାଂଚ ତିଅଣ କରି ତାକୁ ହିଁ ଖୁଆଏ । ପୁଅ ବି ସେତିକିବେଳେ ଅଡି ବସେ, “ନା ମା’, ତୁ ନ ଖାଇଲେ ମୁଁ ବି ଆଦୌ ଖାଇବି ନାହିଁ ।”
ଗୋପାଳବାବୁ ଦିନେ ସଞ୍ଜବେଳେ ବହୁତ ସାକୁଲାସାକୁଲି କରି କହିଲେ, “ମା, ତୁ ତ ରାନ୍ଧିପାରିବୁ ନାହିଁ, ତେଣୁ ମୁଁ ଗୋଟିଏ ପୂଝାରୀ ଆଣି ରଖିବି ।”
ମା’ – ପୂଝାରୀ କ’ଣରେ? କି ବ୍ରାହ୍ମୁଣ ବୋଲି କି ବ୍ରାହ୍ମୁଣ – ସୂତା ଗୋଛାଏ ବେକରେ ପକାଇଲେ ହେଲା ପରା? ସେ ପୁଣି ମୋର ଈଶାଣରେ ପଶି ହାଣ୍ଡି ଛୁଇଁବ, ତା’ ହାତରୁ ମୁଁ କ’ଣ କେବେବି ଖାଇବି? ତିନିକାଳ ଗଲା, ଏବେ ଯଥାକାଳକୁ ବିଦେଶରେ ମୁଁ ମୋର ଜାତିପତି ହରେଇବି ପରା?
ମା’ କଥା ଶୁଣି ସେ ଗୋପାଳବାବୁ ତୁନି ହୋଇଗଲେ । ଆଉ ଦିନେ ଗୋଟାଏ ମାଇକିନିଆ ସେ ବସାରେ ଆସି ଉପସ୍ଥିତ ହେଲା ।
ମା’ – ଏ କିଏରେ ଗୋପାଳ?
ଗୋପାଳ – ମା’, ଏ ଗୋଟିଏ ଦାସୀ । ଆସିଛି ବାହାର ପାଇଟି କରିବ ।
ମା’- ବାହାର ପାଇଟି କ’ଣରେ? ଆରେ ଅଇଣ୍ଠା ବାସନ ଦି’ଖଣ୍ଡ ପିଛୁଳି ପକାଇଲେ ତ ଗଲା । ଘର ବାହାରଟା ଖର୍କାଖର୍କି କରିଦେଇ ଛୁଂଚକନାଟା ବୁଲେଇ ଆଣିଲେ ତ ପାଇଟି ଛିଡିଲା । ଦାସୀ କ’ଣରେ? ଦେ ଦେ, ତୁ ତାକୁ ବିଦାକରି ଦେ!
ଏକଥା ବି ସତ, ଏପରି ଅଭ୍ୟାସ ହୋଇଯାଇଛି ଯେ, ବୁଢୀ କାମ ପାଇଟିକୁ କଷ୍ଟ ମଣେ ନାହିଁ, କାମ ନ କରି ସେ ମୋଟେ ରହିପାରେ ନାହିଁ ।
ଗୋପାଳବାବୁଙ୍କର ବାଇଶ ତେଇଶ ବର୍ଷ ପାରି ହୋଇଗଲାଣି, ଏହି ତ ବିଭା ବୟସ । ତେଣୁ ମା’ ବିଭାକଥା କେତେଥର କହିଲାଣି । ମାଆଙ୍କ କୌଣସି କଥା ତଳେ ପଡେ ନାହିଁ, ହେଲେ ବିଭାକଥା ଶୁଣି ଗୋପାଳବାବୁ ଶୁଣି ନ ଶୁଣିଲା ପରି ପିଠେଇ ଚାଲିଯା’ନ୍ତି । ଶେଷକୁ ସେ ପୁତୁରା ପେସ୍କାରବାବୁଙ୍କୁ ଧରିଲେ, ତାଙ୍କ କଥା ବି ସେ ଆଦୌ ଶୁଣେ ନାହିଁ । ଗୋପାଳବାବୁ ମନରେ ସ୍ଥିର କରିଛନ୍ତି, ମା’ ତ ବୁଢୀ ହେଲାଣି, ବସାରେ ତ ଆଉ କେହି ବି ନାହିଁ । କଚେରି ଦରବାରରୁ ଆସି କାହା ସାଙ୍ଗରେ ବସି ସେ ଦି’ଟା କଥାଭାଷା ହେବେ? ବସାରେ ଖର୍ଚ୍ଚପତ୍ର ହିସାବ ବୁଝିପାରିବ, ଭାଷାପତ୍ର ଖଣ୍ଡେ ଲେଖି ପାରୁଥିବ, ଏପରି ପାଠୋଈ କନ୍ୟାଟିଏ ପାଇଲେ ଯାଇ ସେ ବିଭାହେବେ । ମୂର୍ଖ କନ୍ୟାଟିଏ ବିଭାହେଲେ କ’ଣ ହେବ?
ବୁଢୀ ଏବେ ଗୋଟିଏ ଫିକର ବାହାର କଲାଣି । ପୁଅକୁ ଶୁଣାଇ ଶୁଣାଇ ତୁଚ୍ଛାଟାରେ ହେଲେ ସେ କହେ, “ଓହୋ, ମୁଁ ଆଉ ମୋଟେ ଚାଲିପାରୁ ନାହିଁ, ପାଣି ବି ଆଣିପାରୁ ନାହିଁ, ଆଜି ରାତିରେ କିମିତା ଦି’ଟା ଫୁଟାଫୁଟି କରିଦେବି ।”
ଗୋପାଳ – ମୁଁ ତ ସେହି କଥା କହୁଛି ମା’, ଏବେହେଲେ ଗୋଟାଏ ରାନ୍ଧୁଣୀ ଆଣେ ।
ମା’ – କ’ଣ ଯଥାକାଳକୁ ମୁଁ ମୋ ଧର୍ମ ନଷ୍ଟ କରିବି?
ଗୋପାଳବାବୁ ଏବେ ଅଥୟ । ତେଣୁ ଲାଗିଲା କନ୍ୟା ଖୋଜାଖୋଜି । ଏ ବିଷୟରେ ପେସ୍କାରବାବୁଙ୍କର ଭାରି ତନାଘନା ଲାଗିଛି । ଢେର୍ ଖୋଜାଖୋଜିରେ କନ୍ୟାଟିଏ ଶେଷରେ ଠିକଣା ହେଲା, ନୀଳଗିରି ଇଲାକା ମୟୂରଭଞ୍ଜ ଦୋସମାଳି ଭାଲୁକପୋଷି ଗାଁରେ । ଭାଲୁକପୋଷି ଗୋଟିଏ ପାହାଡମୂଳିଆ ବଣ ଭିତରିଆ ଗାଁ, ତା ଆଖପାଖ ଦୁଇ ତିନି କୋଶ ଭିତରେ ଆଉ କିଛି ଗାଁ ହିଁ ନାହିଁ । ସେ ଗାଁରେ ସାନ୍ତାଳ ଚାଳିଶ ପଚାଶ ଘର । ବେପାରୀ ତେଲୀ ମହାଜନ ଦୋହରା ଘର ଯୋଡାଏ । ରାଜାଙ୍କ ଗଡ ପାଖରୁ ସେ ଗାଁଟା ଢେର୍ ଦୂର, ଖଜଣା ଅସୁଲ କରିବା ପାଇଁ ପିଆଦା ପଇଦଳ ବାଘ-ଭାଲୁ ଡରରେ ଏକୁଟିଆ ଯିବାକୁ ମୋଟେ ମଙ୍ଗନ୍ତି ନାହିଁ । ଦୁଇ ତିନିଜଣ ସାଙ୍ଗସୁଙ୍ଗା ହୋଇ ଗଲେ ସାନ୍ତାଳଗୁଡାକ ବଣରେ ପଶିଯାନ୍ତି । ପିଆଦାମାନେ ଆଉ ସେମାନଙ୍କୁ ଭେଟି ପାରନ୍ତି ନାହିଁ । ଦେବାକୁ ମରିବାକୁ କିଏ ବା ସହଜରେ ରାଜି ହୁଏ? ବଣୁଆଗୁଡାକ ଖଜଣା ଗଣ୍ଡାକ ଦେବାକୁ ବି ନାରାଜ, ଟିକିଏ ଟାଣ କଲେ ଗାଁ ଛାଡି ସେମାନେ ପଳାଇବେ, ନୋହିଲେ, ଅମାନିଆ ହୋଇ ଗଣ୍ଠି ଫେରାଇ ଦେବେ । ସେଗୁଡାଙ୍କୁ କରଗତ ରଖିବା ଲାଗି ରାଜାଙ୍କ ଛାମୁରୁ ଦଶମାଣ ହେତା ଜମି ଦେଇ ସେଇ ଗାଁରେ ସବୁଦିନେ ରହିବା ପାଇଁ ଜଣେ ପ୍ରଧାନ ରଖିଲେ । ସେହି ହେତା ଜମି ଲୋଭରେ ଏବକା ପ୍ରଧାନ ଘନଶ୍ୟାମ ମହାନ୍ତିଙ୍କ ବାପେ ରାମ ମହାନ୍ତିଏ ଦୋହରା ଘରୁ କରୁ କରୁ ସେ ଜାଗାରେ ରହିଯାଇଛନ୍ତି ।