ଏକଥା ଶୁଣି ସେ ସରସ୍ୱତୀଦେଈ ତ ଖୁବ୍ ଗୋଟାଏ ହସିଲେ । ଗୋପାଳବାବୁ ମନରେ କଲେ, ତାଙ୍କ କଥା ବୋଧେ ତାଙ୍କ ସ୍ତ୍ରୀର ମନକୁ ନ ପାଇବାରୁ ସେ ଅବଜ୍ଞା କରି ହସିଲେ । ହେଲେ ସେ ଗୋପାଳବାବୁଙ୍କର ଏରକମ ଭାବନାଟା ସମ୍ପୂର୍ଣ୍ଣ ଭୁଲ୍, ପୂରାପୂରି ଭୁଲ୍ । ଅସଲ କଥା କ’ଣ କି, ସରସ୍ୱତୀଦେଈ ତ ଭଲକରି ଜାଣନ୍ତି, ତାଙ୍କର ବୁଦ୍ଧି ଢେର୍ । ରୂପରେ ଗୁଣରେ ତାଙ୍କ କତିରେ ସେ ମୁଲକରେ ଆଉ କେହି ବି ନାହିଁ, ତେବେ ପୁଣି ସେ ପାଠ ପଢିବେ କିଆଁ? ତାଙ୍କର ଯେ ବୁଦ୍ଧି ଢେର୍, ତାହା ସେ ତାଙ୍କ ଗାଁ ସାନ୍ତାଳ ମାଇକିନିଆମାନଙ୍କ କତିରୁ କେତେଥର ଶୁଣିଛନ୍ତି, ତାଙ୍କ ବୋଉ ବି ଢେର୍ ଲୋକପାଖରେ କହିଛନ୍ତି, “ବୁଦ୍ଧିରେ ମୋ ଝିଅ ପଛରେ ଆଉ ଗୋଟାଏ ଝିଅ ଏ ମୁଲକରୁ କାଢିଲ ଭଲା । ଭାତରନ୍ଧାରେ ତାକୁ କିଏ ବାଛିବ? ଶାଗ ସନ୍ତୁଳିଲେ ଗାଁ ଗୋଟାଏ ମହକିଯାଏ । ସବୁ ଗୁଣରେ ମୋ ଝିଅ ଫରାକିତ । ଚିତଉପିଠା କରିବାରେ ତା’ ଆଗରେ କେଉଁ ଝିଅଟା ଠିଆହେବ ହେଉ ତ ମୁଁ ଟିକେ ତାକୁ ଦେଖେ । ଦୁଆରେ ଝୋଟି ଦେଇଥିଲେ ଦାଣ୍ଡଗଲା ଲୋକ ପରା ଖାଲି ଚାହିଁ ଚାହିଁ ଯା’ନ୍ତି ।” ତା’ପରେ ସେ ସରସ୍ୱତୀ ମନରେ କଲେ, “ବାବୁଙ୍କୁ ତ ମୋ ବୁଦ୍ଧି କଥା ଅଜଣା, ସେଇଥିଲାଗି ସେ ବୋଧେ ମୋତେ ପାଠ ପଢିବାକୁ କହୁଛନ୍ତି । ସବୁ କାମଦାମ ଛାଡି ମୁଁ ତ ଆଉ ହର୍ସଇ ହର୍ସଇ ଦି’ ଘଂଟା ବସି କହିପାରିବି ନାହିଁ ।”
ଏଣିକି ବାବୁ ପାଠ ପଢିବାଲାଗି ଡାକିଲେ, “ମୋ ହାତରେ ପାଇଟି ଅଛି” ବୋଲି କହି ସରସ୍ୱତୀ ମୁହଁ ବୁଲାଇ ଚାଲିଯା’ନ୍ତି । ଗୋପାଳବାବୁ ଏଥିପାଇଁ ବଡ ବିରକ୍ତ ।
ଗୋପାଳବାବୁ ମନରେ କଲେ, ଏଟା ତ ପଢିଲା ନାହିଁ, ତୁଚ୍ଛାଟାରେ ଏହି ବସାଟାରେ ବସି ବସି ମୁଁ କ’ଣ କରିବି? ଗାଁ ମୁଣ୍ଡରେ ରାଧେ ବାବାଜି ମଠ ଅମଲାମାନେ ମିଳି ସେଠାରେ ଗୋଟିଏ ସଭା କରିଛନ୍ତି, ତାର ନାମ ‘ଭକ୍ତିଦାୟିନୀ ସଭା’ । ସେ ସଭାରେ ପୁରାଣପାଠ ଓ ଧର୍ମ ବିଷୟ ଚର୍ଚ୍ଚା ହୁଏ । ସଞ୍ଜ ବାଜିଗଲେ ବାବୁ ସେହି ସଭାକୁ ଚାଲିଯାଆନ୍ତି ।
ସେ ସରସ୍ୱତୀଦେଈ ତ ପ୍ରଥମରୁ ବିରକ୍ତ ଥିଲେ । ସଞ୍ଜ ବାଜିଲା, ଖାଇ ପିଇ ଶୋଇପଡିବ, ୟାଙ୍କ ଘରେ ତ ରାତି ପହରକେ ଭାତ ଖାଇବେ, ଏଟା କ’ଣ ମ? ସରସ୍ୱତୀଦେଈଙ୍କର ଏଣିକି ମନ ମଧ୍ୟରେ ଭୟାନକ ଚିନ୍ତା ।
ପ୍ରଥମ ଚିନ୍ତା- ଗାଁରେ ତ ସମସ୍ତେ ତାଟିକବାଟ ଦେଇ ଶୋଇପଡିଲେଣି, ବାବୁ ଆଉ ଏକୁଟିଆ କୁଆଡେ ଯା’ନ୍ତି? ବାଘଟାଏ, ଭାଲୁଟାଏ ବାହାରି ପଡିଲେ କ’ଣ ଯେ ହେବ? ସବୁବେଳେ ଘୋଡିଘାଡି ହୋଇ ସେ କୋଣରେ ବସିଥିଲେ, କାହାରି ସଙ୍ଗରେ ତ ସେ କଥା କହିବେ ନାହିଁ । ଦାଣ୍ଡଲୋକେ ତ ଘର ଭିତରକୁ କେହି ବି ଆସନ୍ତି ନାହିଁ, ଗାଁ ହାଲ ସେ ବା କାହୁଁ ଜାଣିବେ?
ଦ୍ୱିତୀୟ ଚିନ୍ତା– ବାବୁ ଏଣିକି ମତେ ଆଉ ଭଲପାଉ ନାହାଁନ୍ତି- ନିଶ୍ଚେ ସେ ଆଉ କାହାକୁ ଭଲପାଉଛନ୍ତି – ସେ କିଏ?
ତୃତୀୟ ଚିନ୍ତା – କ’ଣ ସେ ରୋଜ ତାହାରି ପାଖକୁ ଯା’ନ୍ତି, ଅବଶ୍ୟ ତାହାରି ପାଖକୁ ଯା’ନ୍ତି ।
ସବୁବେଳେ ଏହି ଚିନ୍ତାରେ ତାଙ୍କ ଦେହ ଶୁଖିଗଲାଣି । ଶେଷରେ ସେ ସ୍ଥିର କଲେ, ବାବୁଙ୍କୁ ପଚାରିବେ, ସେ କୁଆଡେ ଯା’ନ୍ତି । ହେଲେ ସେକଥା ପଚାରିବାକୁ ତାଙ୍କ ଭରସା ଖଟୁ ନାହିଁ ।
ଶାଶୁ ମଲାଦିନ ପାଖରୁ ମାଉସୀଶାଶୁ ରୋଜ ବେଳବୁଡେ ସେ ବୋହୂକୁ ଦେଖିବାକୁ ଆସନ୍ତି । ଏବେ ରୋଜ ଥରେ ସେ ବୁଝାନ୍ତି, “ଶାଶୁ ଲାଗି ଏତେ ଚିନ୍ତା କରନା । ତୋ’ ଦେହ ଶୁଖିଗଲାଣି ରେ । ଶାଶୁ ବୁଢୀ ହୋଇଥିଲା, ମରିଗଲା, କ’ଣ କରିବୁ? ଶାଶୁ ଶଶୁରକୁ ଘେନି କ’ଣ ବୋହୂମାନେ ସବୁଦିନେ ଘର କରନ୍ତି? ଯା ମା, ତୁ ଆଉ ଚିନ୍ତା କରନା ।” ବୁଢୀ ମନରେ କଲା, ବୋହୂ ଶାଶୁ ଲାଗି ଭାଳି ଭାଳି ଶୁଖିଗଲାଣି ।
ଆଜି ମାସର ଶେଷ ଶନିବାର । ତେଣୁ ବାବୁ ଚଂଚଳ କଚେରିରୁ ଆସିଥିଲେ । ସଞ୍ଜ ନ ବାଜୁଣୁ ସଭାକୁ ବାହାରିଛନ୍ତି । ସରସ୍ୱତୀଦେଈ ଖୁବ୍ ହେମତ କରି ବାବୁଙ୍କ ପାଖକୁ ଯାଇ ତାଙ୍କୁ ପଚାରିଲେ, “ହୋଇ ହେ, ରୋଜ ରାତିରେ ତୁମେ କାହା ପାଖକୁ ଯାଅ?”