ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ପାଠୋଈ ବୋହୂ

ଅର୍ଜୁନା ଦୁଇ ହାତରେ ତା ମାଲିକାଣୀଙ୍କ ବାହୁଟା ଜାବୁଡି ଧରି ବସି ଡକାପାରୁଛି । ଘଡିଏ ଯାଏଁ ବାହୁନି ହାଲିଆ ହୋଇପଡିଲେଣି ସେ । ଟିକିଏ ଅଚେତ ହୋଇ ଯିମିତି ସେ ତଳେ ପଡି ଯାଇଛନ୍ତି, ଅର୍ଜୁନା ଧୀରେ ଧୀରେ ହାତ ଛାଡିଦେଇ ରାଧେ ବାବାଜି ମଠକୁ ଧାଇଁଲା । ଅଧ ବାଟରୁ ପାଟିକରି ସେ ଧାଇଁଛି- “ସା’ନ୍ତେ, ଦଉଡି ଆସ, ଘର ବୁଡିଲା, ଘର ବୁଡିଲା, ମା’ ସରିଗଲେଣି ।”

ସେତେବେଳେ ତ ସେ ସଭାରେ ପୁରାଣ ପାଠ ଚର୍ଚ୍ଚା ଲାଗିଛି । ଏଣେ ଏ ଅର୍ଜୁନାର ପାଟି ଖନି ବାଜିଗଲାଣି, ସେ ଆଉ ଭଲକରି କଥା କହିପାରୁ ନାହିଁ । ସମସ୍ତେ ବୁଝିଲେ ମୁକ୍ତାର ଘର ପୋଡିଗଲା, ସାଆନ୍ତାଣୀ ମରିଗଲେଣି । ମୁକ୍ତାରଙ୍କୁ ତ ଆଉ କିଛି ବାଟ ଦିଶୁ ନାହିଁ, ଧାଇଁଛନ୍ତି । ଆଉ ଅମଲା, ଓକିଲ, ମୁକ୍ତାର ଯେତେ ଥିଲେ ସମସ୍ତେ ଧାଇଁଛନ୍ତି, ପୁରାଣପଣ୍ଡା ବୁଢା ହରି ମିଶ୍ରେ ପୁରାଣ ଖେଦା ତଳେ ଫୋପାଡି ଦେଇ ସମସ୍ତଙ୍କ ପଛରେ ନସର ପସର ହୋଇ ଧାଇଛନ୍ତି । ଦଣ୍ଡକ ମଧ୍ୟରେ ବାଟୋଇ, ଆଉ ଆଉ ପାଖ ପାଡିଶା ଶ’କଡା ଲୋକ ଘରର ଚଉପିଠି ବେଢିଗଲେଣି । ସମସ୍ତେ ପଚାରୁଛନ୍ତି, “କଣ ହେଲା?” ହେଲେ ଭିତର କଥା ଜାଣୁଛି କିଏ, ଜବାବ ଦେଉଛି କିଏ?

ମୁକ୍ତାରବାବୁ ଘର ଭିତରକୁ ଯାଇ ଦେଖିଲେ, ସରସ୍ୱତୀଦେଈ ଭୂଇଁରେ ପଡି ଗଁ ଗଁ ଗର୍ଜୁଛନ୍ତି । ହାଣ୍ଡିଶାଳର ହାଲ ଦେଖିଲେ, ଅର୍ଜୁନାକୁ ବି ଢେର୍ କଥା ପଚାରିଲେ, ବସାକୁ କିଏ ଆସିଥିଲା, କିଏ କଣ କହିଲା, ସାଆନ୍ତାଣୀ କ’ଣ ଖାଇଲେ ଇତ୍ୟାଦି ଢେର୍ କଥା ପଚାରିଲେ । ମାତ୍ର ତା’ର ସେହି ଗୋଟିଏ ଉତ୍ତର, “ନା, ମୁଁ କିଛି ଜାଣେ ନାହିଁ ।”

ବାବୁ- ତୋତେ କିଛି କଥା କହିଥିଲେ?

ଅର୍ଜୁନା ଟିକିଏ ଛେପ ଢୋକି କହିଲା- ‘ନା’ । ଅର୍ଜୁନା କିନ୍ତୁ କଥାଟା ଜାଣୁ ଜାଣୁ ମିଛ କହିଲା, ଭଗବତୀ ଡାଆଣୀ କଥା, ସୁନା ଅଳକା କଥା କହିଲେ କେଜାଣି ଉପରକୁ କିଛି ବଟା ଆସିବ ।

ଗୋପାଳବାବୁ ବାହାରକୁ ବାହାରି ଯାଇ ଭିତରର ହାଲ୍ ସବୁ କହିଲେ । ବାବୁମାନେ ବିଚାର କରି ସ୍ଥିର କଲେ, ‘ଏଟା ଏକରକମ ବ୍ୟାଧି’ । ଚଂଚଳ ଚାରିଜଣ ଧାଅଁ, ଯେଉଁଠି ଯେଉଁ ଡାକ୍ତରକୁ ପାଇବ, ଧରିନେଇ ଆସ । ମାତ୍ର ଏହା ଶୁଣି ହରି ମିଶ୍ରେ ଟିକିଏ ଖପା ହୋଇ କହିଲେ, “କଣ ହେ, ଆମକୁ ନ ପଚାରି ଡାକ୍ତର ଆଣି ଧାଇଁଛ, ଏ ରୋଗକୁ ଡାକ୍ତର ତ ଡାକ୍ତର, ଡାକ୍ତରର ବାପା! ପିତାସୁଣୀ ପବନ ଲାଗିଛି । ଡାକ, ସେ ଗୁଣିଆ ଶୁକ୍ରିଆମୁଖୀକୁ; ସାଙ୍ଗେ ସାଙ୍ଗେ ସେ ତା କାନିରେ ବାନ୍ଧି ଘେନିଯିବ । ଦଶଜାଗା ଆମର ଏ ଅଙ୍ଗେ ନିଭେଇବା କଥା ।” ହରି ମିଶ୍ରେ ପୁରୁଣା ପୁରୁଖା ଲୋକ, ଭାଷା ଭାଗବତର ଭଲ ଅର୍ଥ ସେ ଜାଣନ୍ତି, ତାଙ୍କ କଥା କ’ଣ କେବେ ତଳେ ପଡିବ? କାହାରିକୁ କିଛି ବି ନ କହି ମୁକ୍ତାରବାବୁ ଗୁଣିଆକୁ ଡାକିବା ଲାଗି ଏକକାନିଆ ଆପେ ଧାଇଁଲେ । ଅନ୍ଧାର ରାତି, ଦଶ ଜାଗାରେ ହାବୁଡି ତାଙ୍କର ଆଣ୍ଠୁଗଣ୍ଠି ଛିଡି ଝରଝର ରକ୍ତ ବହିପଡୁଛି । ପଛସାଙ୍ଗ ମଣିଷ ଧରି ଉଠାଇ ନେଉ ନ ଥିଲେ କେଜାଣି କି ହାଲ ହୁଅନ୍ତା ତାଙ୍କର ।

ଶୁକ୍ରିୟାମୁଖୀ ସେ ଅଂଚଳରେ ଜଣେ ନାମଡାକ ଗୁଣୀଆ । ଲୋକଟା ଦେଖିବାକୁ ଟିକେ ବାଙ୍ଗରା; ଥୋଥମା ଥୁଥମୀ, ବାହୁ ଯୋଡାକ ତା’ର ଦେହକୁ ଚାହିଁ ବେଶି ଲମ୍ବା, ମୋଟା, ଖାଲି ଯାହା କହୁଣି କତିରୁ ହାତ ପାପୁଲି ଯାଏଁ କିଛି ସାନ ଜଣାଯାଏ । ମୁହଁଟି ତା’ର ଖୁବ୍ ଚେପ୍ଟା, ବସନ୍ତ ଦାଗ ଭରା, ନାକଟି ବେଶି ଚେପା ଆଉ ମୋଟା । ଚାଲିଲାବେଳେ ଜଙ୍ଘକୁ ଜଙ୍ଘ ତା’ର ଘଷିଯାଏ, ମୁଣ୍ଡରେ ଗୋଟିଏ ଅଧୁଲିଟା ପରି ସିନ୍ଦୂର ଟିପା । ଆଖିରେ ମନ୍ତ୍ରା କଜଳ କଳା, ହେଲେ ତାହା ଦେହ ରଙ୍ଗ ସହିତ ମିଶିଯାଇଛି, ମୋଟେ ଜଣାପଡେ ନାହିଁ । ମୁଣ୍ଡରେ ସାନ ପେଣ୍ଡା ବାଳରେ ଅଷ୍ଟଲୋହି ଚେରବୁଟି ପୂରା ପାଂଚଟା ଡେଉଁରିଆ । ଟାଣ ଗୁଣିଆ କି ନା, ଆଉ ଗୁଣୀଏ ସହି ନ ପାରି ବାଣ ମାରନ୍ତି, କେହି ଜଣେ ବାଣ ମାରିଲେ ଗୋଟାଏ ଡେଉଁରିଆ ଫଟ୍କରି ଫାଟିଯାଏ । ଶୁକ୍ରିୟା ମୁହଁରୁ ଏହା ଶୁଣିବା କଥା । ଖଣ୍ଡେ ମଇଳା କସ୍ତାଖଦି ପିନ୍ଧି ଅଂଟାରେ ମଇଳା ଗାମୁଛା ଭିଡି ବାନ୍ଧିଛି ସେ । ବାଁ କାନ୍ଧରେ ମୂଳମୂଳିକାପୂରା ଗୋଟାଏ ଲମ୍ବା  ମୁଣି; ଏଥିରେ ଖଣ୍ଡେ କାଉଁରୀ ହାଡ ଅଛି, ସେପରି ସେପରି ଟାଣ ଭୂତ ପ୍ରେତ ଡାଆଣୀ, ଚିରିଗୁଣୀ ବେଳକୁ କାଢେ, ହାତରେ ଗୋଟାଏ ମୋଟା ବାଉଁଶ ବାଡି ।


ଗପ ସାରଣୀ

ତାଲିକାଭୁକ୍ତ ଗପ