ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ପାଠୋଈ ବୋହୂ

ଶୁକ୍ରିୟା ଲୋକମାନଙ୍କୁ ଶୁଣାଇ ଖୁବ୍ ଟାଣରେ କହିଲା, “କିଛି ଚିନ୍ତା ନାହିଁ । ଦେଖନ୍ତୁ, ଏହିଲାଗେ ଡାଆଣୀ ଚିରିଗୁଣୀ ଯାହା ଥିବ, ବାନ୍ଧି ଘେନିଯିବି ।” ଏତିକି କହି ସେ ମୁଠାଏ ମନ୍ତ୍ରାବିରି ଘର ଚାରିପିଠି ବୁଣିଦେଇ ଘର ଚାରିକୋଣରେ ଚାରିଟା ଲୁହାକଂଟା ପୋତି ଦେଲା । ଫଳରେ ଅଧିକା ଆଉ କେହି ଭୂତ ପ୍ରେତ ସେ ଘର ଭିତରକୁ ପଶିପାରିବେ ନାହିଁ । “ଚାଲନ୍ତୁ, ଏବେ ରୋଗୀ ଦେଖାନ୍ତୁ ।”

ଘର ଭିତର ପିଣ୍ଡାରେ ପଣତ କାନିଟାରେ ଭଲ କରି ମୁଣ୍ଡପିଠି ଘୋଡାଇ ହୋଇ ଆଣ୍ଠୁଯୋଡିକ କୁଣ୍ଢେଇ ଆଣ୍ଠୁ ଉପରେ ମୁଣ୍ଡ ଥୋଇ ସରସ୍ୱତୀଦେଈ ବସିଛନ୍ତି, ଟିକିଏ ଛାଇନିଦ ଲାଗିଲା ପରି ଜଣାଯାଏ । ଅର୍ଜୁନା ଏକ ଧ୍ୟାନରେ ତାଙ୍କୁ ଅନାଇ ବସିଛି । ଗୁଣୀ ଯାଇ ପାଂଚହାତ ଦୂରରେ ଛିଡାହେଲା, ରୋଗିଣୀକୁ ତରାଟି ମରାଟି ଭଲ କରି ଦଣ୍ଡେଯାଏଁ ସେ ଅନାଇଲା, ଘର ଚାଳବାଡକୁ ବି ଅନାଇଲା, ତାହା ବାଦେ ଗୋପାଳବାବୁଙ୍କୁ ଚାହିଁ ଏଣ୍ଡୁଅ ପରି ଖୁବ୍ ଗର୍ବରେ ମୁଣ୍ଡ ହଲାଇ ସେ କହିଲା, “ହୁଁ, ଅନେଇ ଥାଆନ୍ତୁ ବାବୁ, ମୁଁ କ’ଣ କରୁଛି ଦେଖିବେ ।” ଜଣାଯାଏ କଥାଟା ଅଳ୍ପ ମାତ୍ର ସରସ୍ୱତୀଦେଈଙ୍କ କାନକୁ ବାଜି ଯାଇଥିବ । ଟିକିଏ ତାଙ୍କ ଦେହ ହଲିଗଲା । ତହିଁ ଉତାରେ ଗୁଣିଆ ପାଂଚହାତ ଦୂରରେ ବାଆଁ ଆଣ୍ଠୁମାଡି ବସି ଆଂଟରେ ମନ୍ତ୍ର ଡାକିଲା – “ବୀର ବୀର ହନୁମାନ ମହାବୀର ବୀର ତୁ ବୀର ଥିଲୁ କାହିଁ, ମୋ ଡାକ ଶୁଣି ଆଇଲୁ ଧାଇଁ, ବାନ୍ଧ ବାନ୍ଧ ଭୂତ ବାନ୍ଧ, ପ୍ରେତ ବାନ୍ଧ, ଡାହାଣୀ ବାନ୍ଧ, କାହାର ଆଜ୍ଞା କାଉଁରୀ କାମଚଣ୍ଡୀ, ଭଗବତୀ ବାଶୁଳୀଙ୍କ କୋଟି କୋଟି ଆଜ୍ଞା- । ଆ- ଫୁଃ, ଆ- ଫୁଃ, ଆ- ଫୁଃ” ତିନିଥର ଫୁଙ୍କି ମୁଠାଏ ମନ୍ତ୍ରାବିରି ସରସ୍ୱତୀଦେଈ ଉପରକୁ ଛାଟି ମାରିଲା ।

ସରସ୍ୱତୀ ସେ ମନ୍ତ୍ର ସବୁ ଶୁଣିଲେ । ଆଉ କିଛି ବି ବୁଝିଲେ ନାହିଁ, ନାମ ଶୁଣିଲେ ଭଗବତୀ ଡାଆଣୀ – ଆଉ ବିରିଗୁଡାକ ଝରଝର କରି ଉପରେ ପଡିବାରୁ ଚମକିପଡି ସେ ଚାହିଁଦେଲେ, ପାଖରେ ଭୂତଟାଏ ଠେଙ୍ଗାଟାଏ କାନ୍ଧରେ ପକାଇ ବାନ୍ଧିବ ବୋଲି କହୁଛି । ତହୁଁ ସେ ଭାରି ରଡିଟାଏ କଲେ, “ଆଲୋ ମୋ ବୋଉ ଲୋ, ଭୂତ ମୋତେ ଖାଇଗଲା ଲୋ, ଡାହାଣୀ ମୋତେ ବାନ୍ଧିବ କହୁଛି ଲୋ” ଏମିତି ରଡି ଛାଡି ସେ ପଡିଗଲେ । ଗୁଣିଆ ବାବୁଙ୍କୁ କହିଲା, “ଆଜ୍ଞା, ଭାରି ଛନ୍ଦୁ ଭୂତ, ଆଉ ଡାହାଣୀ ଯୋଡାଏ ବିଶ୍ରାମ କରିଛନ୍ତି । ଶୁଣିଲେ ନାହିଁ ସାଆନ୍ତାଣୀ ଭୂତ ଆଉ ଡାହାଣୀ ଯୋଡାଏ ନାମ କହିଲେ ।” ନିଶରେ ହାତବୁଲାଇ (ନିଶ କିନ୍ତୁ ନାହିଁ) ଖୁବ୍ ଆଂଟରେ ସେ କହିଲା, “ସା’ନ୍ତ କିଛି ଚିନ୍ତା ନାହିଁ; ଶୁକ୍ରିଆକୁ କ’ଣ ବଳେଇବ? ଯୋଡାକୁ ଯୋଡା ବାନ୍ଧି (ମୁଣ୍ଡଟେକି କହିଲା) ଏହା ଭିତରେ ପୂରାଇ ଘେନିଯିବ । ଆପଣ ଅଢେଇଟା ଅଫୁଟା ମନ୍ଦାର ଫୁଲ, ଗୋଟାଏ କଦଳୀ ମଞ୍ଜି, ଜିସୁ ପଂଚୁବର୍ଣ୍ଣି ଭୋଗ ବେଗି ବେଗି ଅଣାନ୍ତୁ । ମୁଁ ଯାଉଛି, ଅମୁହାଁ ପୋଖରୀରୁ ଲୋଟାଏ ପାଣି ଆଣିବି । ଦେଲେ ଦେଲେ, ପୁଞ୍ଜାଏ ପଇସା ଦେଲେ, ସେଇଆଡୁ ଯୋଡାଏ ଡାକୁଣୀ ଫଳ ଘେନିଆସିବି ।”

ସରସ୍ୱତୀଦେଈ ଏତିକି ଶୁଣିପାରିଲେ, ବାନ୍ଧି ମୁଣିରେ ପୂରାଇ ଘେନିଯିବ । ରଡିଟାଏ ଛାଡି ଝାମ ଯାଇ ପଡିଗଲେ, ଚେତା ମୋଷ ।

ଏତିକିବେଳେ ରାଧୀ ଦୀପଟାଏ ଧରିଛି, ପେସ୍କାରବାବୁଙ୍କ ବୁଢୀମା’ ନଇଁନଇଁ ବାଡି ପଛପଟରୁ ବାହାରି ପହଁଚିଗଲେ । ସରସ୍ୱତୀଙ୍କୁ ଭଲକରି ଅନାଇ ରଡିଟାଏ ଛାଡିଲେ, “ଆରେ ମୋ ଝିଅକୁ ସାରିଦେଲେଣି, ଆରେ ମୋ ଛୁଆଟାକୁ ମାରି ପକାଇଲେଣି ରେ ।” ବୁଢୀ ରଡିଛାଡି- “ଆରେ ଗୋପାଳ, ସବୁ ମିଣିପ ପିଲାଏ ବାହାରିଯାଅ- ଆରେ ଅର୍ଜୁନା କବାଟ କିଳି ଦେ ।”

ସରସ୍ୱତୀଙ୍କର ଚେତା ନାହିଁ । ପାଖରେ ବସି ପେସ୍କାରବାବୁଙ୍କ ବୁଢୀମା’ ଧୀରେ ଧୀରେ ତା’ମୁଣ୍ଡରେ ହାତ ବୁଲାଇଲେ । ହାତକୁ ଚଟ୍ ଚଟ୍ କ’ଣ ଲାଗୁଛି ରେ? ଆଲୋ ରାଧୀ! ଦୀପଟା ତେଜିଦେଲୁ । ଏଁ- ଏ କ’ଣ ଆରେ ରକ୍ତ ଭାସିଯାଉଛି ରେ? – ମଲା ମଲା ମଲା ମୁଣ୍ଡ ଫାଟିଯାଇଛି ରେ! ଚୂନ କନାପୋଡା ମୁଣ୍ଡରେ ଦେଇ ସେ ପଟି ବାନ୍ଧିଦେଲେ, ଏଁ- ଦେହଯାକ ଫୋଟକା କ’ଣ ରେ । ଫୋଟକା ସବୁରେ ଧୀରେ ଧୀରେ ନଡିଆତେଲ ଲଗାଇଦେଲେ । ଠାକୁମା କାନ୍ଦଣା ଦେଖି ରାଧୀ କାନ୍ଦି କାନ୍ଦି ଖୁଡୀ ଦେହରେ ହାତ ବୁଲାଉଛି । ଅର୍ଜୁନା ପଙ୍ଖା ପକାଉଥାଏ । ବୁଢୀ ଖଣ୍ଡେ ଭିଜା ଗାମୁଛାରେ ଦେହର ରକ୍ତ, ଧୂଳି, କାଦୁଅ ସବୁ ପୋଛି ପକାଇ, ରକ୍ତ ପେଜ ଲଗା ପିନ୍ଧିଲା ଲୁଗା ପାଲଟାଇ, ଖଣ୍ଡେ ବାସିକଚା ଶାଢି ତାକୁ ପିନ୍ଧାଇଦେଲେ । ଏଥର ସେ ସରସ୍ୱତୀଙ୍କର ଟିକିଏ ଚେତା ବସିଲାଣି । ଦେଖିଲେ, ମା’ ଶାଶୁ, ରାଧୀ, ଅର୍ଜୁନା ବେଢି ବସିଛନ୍ତି ତାକୁ । ଘରର ସବୁଆଡକୁ ଅନାଇ ଦେଖିଲେ ଭୂତ ପଳାଇଲାଣି ।


ଗପ ସାରଣୀ

ତାଲିକାଭୁକ୍ତ ଗପ