ବୁଢୀ- “ଆରେ ମୋ ମା’ରେ- ଆରେ ମୋ ସୁନାରେ- ଆରେ ମୋ ଚାନ୍ଦିରେ- ଆରେ ମୋ ମାଣିକରେ” ସାକୁଲେଇ ସାକୁଲେଇ ତାକୁ ଢେର୍ ଗେଲ କଲେ । ଥଣ୍ଡା ପବନ, ରାଧୀର ହାତବୁଲା ଓ ବୁଢୀର କଅଁଳ କଥାରେ ସରସ୍ୱତୀଙ୍କ ଚେତା ବସିଲାଣି, ଏଥର ଆଉ କିଛି ବି ଡର ନାହିଁ । ବୁଢୀ ଖାଲି ମନରେ ବିଚାରୁଛି, କଥା କ’ଣ? ବୁଢୀ ପଚାରିଲେ, “କହନା ରେ ମା’, କ’ଣ କହୁଛୁ?” ଶାଶୁ କଥାରେ କ’ଣ ଜବାବ ଦେବେ? ରାଧୀକୁ ପାଖକୁ ଟାଣିନେଇ ସରସ୍ୱତୀ ତା’କାନରେ ତୁନି ତୁନି କହିଲେ, “ମୁଁ ବୋଉ ପାଖକୁ ଯିବି ।”
ବୁଢୀ- ହଁ ଅବଶ୍ୟ ଯିବୁ । ମୋର ବି ତୋ ବୋଉକୁ ଦେଖିବାକୁ ବଡ ମନ ଅଛି । ଭାଲୁକପୋଷି ଗାଁଟା ବି ଦେଖିଆସିବି । କାଲି ସକାଳେ ଯୋଡାଏ ଡୋଲି କରି ଦୁଇଜଣ ବସି ଯିବା ।
ରାଧୀ- ଉଁ-ଉଁ ଠାକୁରମା’, ମୁଁ ବି ତୋ ସାଙ୍ଗରେ ଯିବି ।
ବୁଢୀ- ନାହିଁ ନାହିଁ, ମୋର ଡୋଲିରେ ଜାଗା ହେବ ନାହିଁ, ତୋ ଖୁଡୀ ତା’ ସାଙ୍ଗରେ ତୋତେ ନେବ କି ପଚାର ।
ରାଧୀ ନ ପଚାରୁଣୁ ଖୁଡୀ ତା ହାତ ଚିପିଦେଲେ- ଅର୍ଥାତ୍, ହଁ ସାଙ୍ଗରେ ନେବେ ।
ରାଧୀ- ଏଁ- ଏଁ ଖୁଡୀ । ତୁମ ଗାଁରେ କ’ଣ ଭାଲୁ ପୋଷା ଥା’ନ୍ତି, ମତେ କାମୁଡିବ?
ଖୁଡୀ ଝିଆରୀ ହାତଧରି ହଲାଇଦେଲେ- ଅର୍ଥାତ୍, ନା ନା ଭାଲୁ କାମୁଡିବ ନାହିଁ ।
“ଆରେ ଅର୍ଜୁନା, ବସାରେ କିଛି ଜଳଖିଆ ଅଛି?” ଏହା ଶୁଣି ସେ ଅର୍ଜୁନା ତାଟିଆଟିରେ ଯୋଡାଏ ମିଠାଇ, ଗିଲାସେ ପାଣି ପାଖରେ ଥୋଇଦେଲା । “ଆଲୋ ରାଧୀ, ଖୁଡୀକୁ ଖୁଆ” ଏତିକି କହି ସେ ମେଲାକୁ ଉଠିଗଲେ ।
ରାଧୀ- ଠାକୁରମା’, ଖୁଡୀ ଖାଉ ନାହାଁନ୍ତି ।
-“ଏଁ, କ’ଣ- ଖାଉ ନାହାଁନ୍ତି? ତେବେ ତ ତା ବୋଉକୁ ଦେଖିବାକୁ ମୁଁ ଯିବି ନାହିଁ । ଆଲୋ ରାଧୀ, ଖୁଡୀ ନ ଖାଇଲେ ତୁ ବି ଯିବୁ ନାହିଁ, ।” ଆଉ ଖୁଡୀ କୁଆଡେ ଯାଏ । ରାଧୀ ତ ଜୋକପରି ଲାଗିପଡି ହେଣ୍ଡେରେଇ ହେଣ୍ଡେରେଇ ତା’ ଖୁଡୀକୁ ମିଠାଇ ଯୋଡାକ ଖୁଆଇଲା, ଗିଲାସେ କ’ଣ, ଖୁଡୀ ଚଁ ଚଁ କରି ଏକ ନିଃଶ୍ୱାସକେ ତିନି ଆବୁଖୁରା ପାଣି ପିଇଗଲେ ।
ବୁଢୀ ପାଖରେ ବସି କଅଁଳେଇ କଅଁଳେଇ ଢେର୍ କଥା କହି ବୋହୂର ମନ ବହଲାଉଥାନ୍ତି । ଶେଷରେ ବେଳ ଉଣ୍ଡି ସେ କହିଲେ “ହଁ- ସତକଥା, ଆରେ ମା! ଗୋପାଳ ପଚାରିବ, କ୍ୟାଁ ଭାଲୁକପୋଷି ଯିବ? ସତ କଥାଟା, ତାକୁ ନ କହିଲେ ତ ସେ ଯିବାକୁ କେବେବି ଦେବ ନାହିଁ- କଥା କ’ଣ, କହିଲୁ ରେ ମା!” ସରସ୍ୱତୀ ତ ନିହାତି ସନ୍ତପନ୍ତରେ ପଡିଗଲେଣି- ସ୍ୱାମୀ କଥା- ଅସୁନ୍ଦର କଥା, ଶାଶୁଟାକୁ କିମିତି କହିବେ । ବୁଢୀ ବୁଝିପାରି ବାହାରକୁ ଉଠିଗଲେ- “ଆଚ୍ଛା ମା’, ତୁ ରାଧୀକୁ କହ ।”
ରାଧୀ- ଠାକୁରମା’, ଖୁଡୀ କିଛି ବି କହୁ ନାହିଁ ।
ବୁଢୀ- ତେବେ, କଥା ଫେଇ ନ କହିଲେ ଗୋପାଳ ତ ଛାଡି ଦେବ ନାହିଁ । ରାଧୀ, ତୁ ଆଉ ତୋ ଆଈକୁ ଦେଖିବାକୁ ଯାଇପାରିବୁ ନାହିଁ ।
ଏହା ଶୁଣି ସେ ରାଧୀ ତ ଚମଚଟାପରି ଖୁଡୀ ସାଙ୍ଗରେ ଲାଗିଛି- “ଖୁଡୀ, କହ- ହଁ କହ- ଦାଦା ପଠାଇବେ ନାହିଁ, ତୁ କହ ।”
ରାଧୀ ଡାକିଦେଲା- “ଠାକୁରମା’, ଖୁଡୀ କହୁଛି ଡାହାଣୀ ।”
ବୁଢୀ ପଚାରିଲେ- “କିଏ ଡାହାଣୀରେ?”
ରାଧୀ ବୁଝି କହିଲା- “ସେଇ ଭଗବତୀ ଡାହାଣୀ ।”
ବୁଢୀ ଅର୍ଜୁନାକୁ ପାଖକୁ ଡାକି ପଚାରିଲେ- ଢେର୍ କଥା ପଚାରିଲେ, ସବୁ କଥାର ଉତ୍ତର- ‘ନା’ । ସେ ଯେପରି ସନ୍ତପନ୍ତ ହୋଇ ‘ନା’ କରୁଥାଏ, ବୁଢୀ ବୁଝିଲେ ଏ ସବୁ କଥା ସେ ଠିକ୍ ଜାଣେ, ଖାଲି ଯାହା ସେ ଡରରେ କିଛି ବି କହୁ ନାହିଁ । ତେଣୁ ତାକୁ ଖୁବ୍ ଡରେଇଲେ, ଖୁବ୍ ଭରସା ଦେଲେ । ଅର୍ଜୁନା ଗୋଟାଏ ଗୋଟାଏ କଥା ଲୁଚାଉଥିଲା, ହେଲେ, ବୁଢୀ ଢେରାରେ ସେ ପଡିଗଲା ।
ସବୁ କଥା ମଧ୍ୟରୁ ବୁଢୀ ଏହି କେତୋଟି ସାରକଥା ବାଛିନେଲେ । ଗୋପାଳ ରୋଜ ସଞ୍ଜବେଳେ ଭଗବତୀ ଡାହାଣୀ ପାଖକୁ ଯାଆନ୍ତି, ବୋହୂକୁ ଆଗପରି ଭଲପାଆନ୍ତି ନାହିଁ, ସେଥିପାଇଁ ଏତେ କାଣ୍ଡ ।
ବୁଢୀ ଗୋପାଳବାବୁଙ୍କୁ ଦାଣ୍ଡପଟରୁ ଡାକି ପଠାଇଲେ । ପୁଅଟାକୁ ଏଡେ ଅସୁନ୍ଦର କଥା କିପରି କହିବ – ଟିକିଏ ଆଡେଇ ଛିଡାହେଲେ । ବୁଢୀ କହିଲାପରି ଅର୍ଜୁନା ବାବୁଙ୍କୁ ଏହିପରି କହିଲା-
“ଆପଣ ଆଗପରି ମା’ଙ୍କୁ ଭଲପାଉ ନାହାଁନ୍ତି, ରୋଜ ସଞ୍ଜବେଳେ ଭଗବତୀ ଡାହାଣୀ ପାଖକୁ ଯା’ନ୍ତି, ତାକୁ ସୁନା ଅଳକା ଦେଇଛନ୍ତି, ସେଥିପାଇଁ ମା’ ମନରେ ଦୁଃଖ, ଏତେ କାଣ୍ଡ ।”
ଗୋପାଳବାବୁ ଭଗବତୀ ଡାହାଣୀ ନାମ ଚଟ୍ ବୁଝିଗଲେ । ସେ ଏବେ ହସିବେ ନା ମୁଣ୍ଡ ବାଡେଇ ହେବେ? କି ବଣ ପଶୁଟାଏ- କି କଥାକୁ କ’ଣ ସେ କରି ପକାଇଲା! ଦଶ ଭଲଲୋକରେ କଥାଟା ହଟହଟା ହେଲା, ଏଥିଲାଗି ତାଙ୍କ ମନ ଭାରି ଦୁଃଖ ।
ବୁଢୀ ଆଉ ରାଧୀ ଦୁଇଜଣ ଦୁଇ ପାଖରେ ଶୋଇ ବୋହୂକୁ ମଝିରେ ଶୁଆଇଲେ । ସେ ରାତିରେ ଗୋପାଳବାବୁଙ୍କ ବସାରେ ସମସ୍ତଙ୍କର ନିଶାପାଳନ ।
ବୋହୂ ଭଲ ହୋଇଗଲାଣି ଶୁଣି ଦାଣ୍ଡ ଲୋକେ ସମସ୍ତେ ଖୁସି ହୋଇ ଆପଣା ଆପଣା ଘରକୁ ଚାଲିଗଲେ । ହେଲେ ଭିତର କଥାଟା କ’ଣ, କେହି ବି ଠିକ୍ରେ ବୁଝିଲେ ନାହିଁ । ଗୋପାଳବାବୁ ତ ଚାଣକ୍ୟରେ ପଢିଥିଲେ, ‘ଘର ଛିଦ୍ର କଥା ଦାଣ୍ଡରେ ପକାଇବ ନାହିଁ ।’
ପ୍ରଥମେ ଡାକ୍ତର ଡାକିବାର ପ୍ରସ୍ତାବ ହୋଇଥିଲା । ଶେଷରେ ଡାକ୍ତରକୁ ଆସିବାକୁ ହେଲା । ବୋହୂର ମୁଣ୍ଡ ଘା’ ଆଉ ଗୋଡହାତ ଫୋଟକା, ଆଉ ଗୋପାଳବାବୁଙ୍କ ଦୁଇ ଆଣ୍ଠୁ ଘା’ ଶୁଖାଇବାକୁ ଡାକ୍ତରବାବୁ ଊଣା ପୂରା କୋଡିଏଟା ଭିଜିଟ୍ ପକେଟରେ ପକାଇଲେ ।
ଗାଳ୍ପିକ – ଫକୀରମୋହନ ସେନାପତି