ବତ୍ସ ରାଜ୍ୟ ତ ଚମ୍ପାନଗରୀ ରାଜ୍ୟ ତୁଳନାରେ ଅତି ଛୋଟ ରାଜ୍ୟ । ରାଜା ଚନ୍ଦ୍ରଦେବ ତେଣୁ ଗର୍ବିତ ଭାବରେ ଆଗନ୍ତୁକଙ୍କୁ ପଚାରିଲେ, “ତମ ରାଜ୍ୟରେ ପଣ୍ଡିତ ଓ କବିଙ୍କ ପ୍ରତି ଯଥେଷ୍ଟ ସମ୍ମାନ ମିଳେଟି? ଆମ ଭଳି ତମ ରାଜା ସେମାନଙ୍କୁ ମୁକ୍ତ ହସ୍ତରେ ଦାନ କରନ୍ତିଟି?”
ଏହା ଶୁଣି ସେ ଆଗନ୍ତୁକ ଗଦ୍ଗଦ୍ କଣ୍ଠରେ କହିଲେ, “ମହାରାଜ! ଆପଣଙ୍କ ଦାନପଣ ସହ ଆଉ କାହାର ତୁଳନା ପୁଣି କିପରି ହେବ? ଆପଣଙ୍କ ବିଦ୍ବତା ସହ ଆଉ କେଉଁ ରାଜାଙ୍କର ତୁଳନା ହୋଇପାରେ? ସୂର୍ଯ୍ୟ ସହ ଚନ୍ଦ୍ରର ତୁଳନା ଯେପରି, ପଦ୍ମ ସହ ଘାସ ଫୁଲର ତୁଳନା ଯେପରି, ସମୁଦ୍ର ସହ ପୋଖରୀର ତୁଳନା ଯେପରି ଅସଙ୍ଗତ, ଠିକ୍ ସେହିପରି ଆପଣଙ୍କ ସହ ଅନ୍ୟ ଯେ କୌଣସି ରାଜାର ତୁଳନା ମଧ୍ୟ ଅସଙ୍ଗତ ।”
ରାଜା ଚନ୍ଦ୍ରଦେବ ମୃଦୁ ହସି ହସି ବୟସ୍ୟ ଆଡେ ଅନାଇଲେ ଓ ନିଜ ବେକରୁ ସୁନା ହାର ବାହାର କରି ସେ ଆଗନ୍ତୁକଙ୍କୁ ଦେବାକୁ ଉଦ୍ୟତ ହେଲେ ।
ବୟସ୍ୟ କିନ୍ତୁ ହଠାତ୍ ଉଠିପଡି ରାଜାଙ୍କ କାନ୍ଧରେ ଗୋଟିଏ ଅସରପା ଚଢିଛି ବୋଲି ସେହି ଅସରପାକୁ ଘଉଡାଇବା ଆଳରେ ରାଜାଙ୍କ କାନରେ କହିଦେଲେ, “ସବୁର୍ କରନ୍ତୁ!”
ତାଙ୍କ କଥା ଶୁଣି ରାଜା ତାଙ୍କ ହାର ନ କାଢି ସେଇଠି ଅଟକିଗଲେ ।
ବୟସ୍ୟ ସେ ଆଗନ୍ତୁକଙ୍କୁ ଅନାଇ କହିଲେ, “ଆପଣଙ୍କ ଦରବାରର ପଣ୍ଡିତ ରାମଶର୍ମା ମୋର ସଖା । ଅବଶ୍ୟ ଦଶବର୍ଷ ହେଲା ମୋର ତାଙ୍କ ସହିତ ଦେଖା ହୋଇ ନାହିଁ । ମାତ୍ର ଦଶବର୍ଷ ତଳେ ମୁଁ ଯେତେବେଳେ ବତ୍ସ ରାଜ୍ୟକୁ ଯାଇଥିଲି, ସେତେବେଳେ ସେ ଭରତଙ୍କ ଚରିତ୍ର ଅବଲମ୍ବନ କରି ଖଣ୍ଡିଏ କାବ୍ୟ ରଚନା କରୁଥିଲେ । ଶୁଣିଛି, କୁଆଡେ ତାହା ଯଥା ସମୟରେ ଶେଷ କରି ସେ ବିଶେଷ ଜନପ୍ରିୟ ହୋଇଛନ୍ତି । ଆପଣ ସେ କାବ୍ୟ ପଢିଛନ୍ତି ତ? କିପରି ହୋଇଛି?”
ତା’ପରେ ସେ ଆଗନ୍ତୁକ କହିଲେ “ପଢିଛି ମାନେ? ମୁଁ ତ ତାହା ତାଙ୍କ ଅନୁରୋଧରେ ସଂଶୋଧନ ବି କରି ଦେଇଛି । ବେଶ୍ ଭଲ ହୋଇଛି । ସେଥିଲାଗି ରାଜା ବି ତ ତାଙ୍କୁ ପୁରସ୍କାର ଦେଇଛନ୍ତି ।”
ବୟସ୍ୟ ପଚାରିଲେ “ବାଃ, ଏହା ଶୁଣି ମୁଁ ଅତ୍ୟନ୍ତ ଖୁସି ହେଲି । ଆପଣ ପଣ୍ଡିତ ରାମଶର୍ମାଙ୍କର ହିତୈଷୀ, ତାଙ୍କ କାବ୍ୟର ସଂଶୋଧକ, ଏହା ତ ଏକ ବିଶେଷ ସମ୍ବାଦ । ତେଣୁ ଆପଣ ଆମର ସମ୍ମାନର ଯୋଗ୍ୟ । ଆପଣ ଆମ ଅତିଥି ଭବନରେ ଆଉ ଦୁଇ ତିନିଦିନ ରହିବେ ତ?”
ଏକଥା ଶୁଣି ସେ ଆଗନ୍ତୁକ କହିଲେ, “ଆପଣ ଯଦି ଚାହିଁବେ ତେବେ ମୁଁ ଏଠାରେ କାହିଁକି ବା ରହିବିନି? ଚମ୍ପାନଗରୀ ରାଜାଙ୍କ ଅତିଥି ହୋଇ ରହିବା କ’ଣ କିଛି କମ୍ ସୌଭାଗ୍ୟର କଥା?”