ସୁରଦାସ ବହୁତ ବଡ ଦାନୀ ଥିଲେ । ଗଙ୍ଗା ନଦୀର ଉପତ୍ୟକାରେ ଥିବା ତାଙ୍କର ଜମି ବଡ ସରସ । ଦୂର ଗ୍ରାମରୁ ଲୋକେ ତାଙ୍କର ଜମିସବୁ ଚାଷ କରିବାକୁ ଆସନ୍ତି । ସେମାନଙ୍କର ଅଧିକ ଆକର୍ଷଣ କାମ ଓ ମଜୁରୀ ଅପେକ୍ଷା ସୁରଦାସଙ୍କ ଅନ୍ନଦାନ ପ୍ରତି ଥାଏ । କାହିଁକିନା ସୁରଦାସ ଗରୀବ, ଦୁଃଖୀ ଶ୍ରମିକ ମାନଙ୍କୁ ଅନ୍ନଦାନ ଦିଅନ୍ତି ।
ସେ ଶ୍ରମିକମାନଙ୍କୁ କହନ୍ତି, “ସଙ୍କୋଚ କର ନାହିଁ, ଆରାମ୍ରେ ଖାଅ; ଶ୍ରମ ତ ପେଟ ପାଇଁ କରୁଚ । ପେଟ ଭରି ଶାନ୍ତିରେ ଖାଅ । ତୁମମାନଙ୍କୁ ଖାଦ୍ୟ ଦେବାରେ ମୋର ଏମିତି କିଛି ନଷ୍ଟ ହୋଇଯିବ ନାହିଁ ।”
କେହି ତୀର୍ଥଯାତ୍ରୀ ବା ପଥିକ ରାତିରେ ହଠାତ୍ ଆସି ପହଁଚିଲେ ସୁରଦାସ ତାଙ୍କର ଅତି ଆଦରର ସହିତ ଯଥାର୍ଥ ସତ୍କାର କରନ୍ତି ।
ଦିନେ ନୀଳକଣ୍ଠ ନାମକ ଜଣେ ଧନୀ ବଳଦଗାଡିରେ ସେଇ ଗ୍ରାମ ମଧ୍ୟ ଦେଇ ଯାଉଥିଲେ । ବାଟରେ ସୂର୍ଯ୍ୟାସ୍ତ ହୋଇଗଲା, ଏଣେ ଲକ୍ଷସ୍ଥଳ ବହୁତ ଦୂର । ତେଣୁ ସେ ରାତିଟା ଏଠାରେ ରହିଯିବା ପାଇଁ ମନସ୍ଥ କଲେ । ସେ ଗାଡିବାଲାକୁ କହିଲେ, “ଯାଇ ବୁଝିଆସ, ଏଠାରେ ରହିବା ପାଇଁ ଓ ଖାଇବା ପାଇଁ କେଉଁଠି ବ୍ୟବସ୍ଥା କରାଯାଇ ପାରିବ ।”
ତହୁଁ ସେ ଗାଡିବାଲା କହିଲା, “ବାବୁ, ଯେଉଁ ଗ୍ରାମରେ ସୁରଦାସଙ୍କ ପରି ଦାନୀ ଅଛନ୍ତି, ସେଠାରେ ପୁଣି ଏସବୁ ଚିନ୍ତା କରିବାର କୌଣସି ପ୍ରୟୋଜନହିଁ ନାହିଁ । ଆମେ ତ ଏବେ ସେଇଠାକୁହିଁ ଯିବା ।”
ନୀଳକଣ୍ଠ ବାଧ୍ୟହୋଇ ସେଠାକୁ ଗଲେ । ସେତେବେଳେ କବାଟ ବନ୍ଦ ଥିଲା । ତେଣୁ ଦୁଆରରେ ପଡିଥିବା ଚଉକି ଉପରେ ଯାଇ ସେ ବସିପଡିଲେ । କିଛି ସମୟ ପରେ ସୁରଦାସ ବାହାରକୁ ଆସିବାରୁ, ତାଙ୍କୁ ନୀଳକଣ୍ଠ କହିଲେ, “ମୋ ପାଇଁ ଓ ମୋ ଗାଡିବାଲା ପାଇଁ, ଭୋଜନ ଦରକାର ଓ ରାତ୍ରିଟି କଟାଇବା ପାଇଁ ସ୍ଥାନ । ପଇସା ପାଇଁ ଭାବିବ ନାହିଁ । ସ୍ୱାଦିଷ୍ଟ ଖାଦ୍ୟ ଦରକାର । ମୋ ନାମ ନୀଳକଣ୍ଠ । ମୁଁ ବିଷ୍ଣୁପୂର ଜମିଦାରଙ୍କର ନିକଟ ସମ୍ପର୍କୀୟ; ଏଣୁ ଭୋଜନ ମୋର ଯୋଗ୍ୟ ହେବା ଦରକାର ।”
ସୁରଦାସ ନୀଳକଣ୍ଠଙ୍କ କଥାରେ ମନେ ମନେ ଅତ୍ୟନ୍ତ ଚିଡିଗଲେ କିନ୍ତୁ ବାହାରେ ସେ ଅଳ୍ପ ହସି କହିଲେ, “ମୋ ଦୃଷ୍ଟିରେ ତ ମୋ ଘରକୁ ଆସୁଥିବା ସବୁ ଅତିଥି ବିଷ୍ଣୁ ଭଗବାନଙ୍କ ସହ ସମାନ ଅଟନ୍ତି । ତେଣକି ସେ ଧନୀ ହେଉ ବା ଦରିଦ୍ର ହେଉ । ଏକାଠି ବସି ପରଂବ୍ରହ୍ମରୂପ ଅନ୍ନଭୋଜନ କରୁଥିବାର ଦେଖି ମୋର ଅପାର ଆନନ୍ଦ ହୁଏ । ମନେହୁଏ ମୋର ଜୀବନ ଧନ୍ୟ ହୋଇଗଲା । ମୋ ବାପା, ଜେଜେବାପା ମୋଲାଗି ବହୁତ ସମ୍ପତ୍ତି ରଖିଯାଇଛନ୍ତି । କିନ୍ତୁ ମୁଁ ଯେପରି ସମସ୍ତଙ୍କୁ ଖୁଆଏ, ଆପଣଙ୍କୁ ମଧ୍ୟ ମୁଁ ଠିକ୍ ସେହିପରି ଖୁଆଇବି ।”
କ୍ଷୁଧା ଆପଣଙ୍କର ଓ ଗାଡିବାଲାର ସମାନ ପ୍ରକାରର; କ୍ଷୁଧାରେ ଯଦି କୌଣସି ଉଚ୍ଚନୀଚ୍ଚ ନାହିଁ, ତେବେ ଖାଦ୍ୟରେ ମଧ୍ୟ ଭିନ୍ନତା ନାହିଁ । ମୋ ଘରେ ଅନ୍ନ ବିକ୍ରି କରାଯାଏ ନାହିଁ; ଅନ୍ନଦାନ ଦିଆଯାଏ । ନିଜର ଧନମାନ ଭୁଲି ସମସ୍ତେ ଏକାଠି ବସି ନିତ୍ୟ ଭୋଜନ କରନ୍ତି । ପାଦ ଧୋଇ ଭୋଜନ କରିବାକୁ ଆସନ୍ତୁ ।”