ସୁରଦାସଙ୍କର ଧର୍ମବୁଦ୍ଧି ଓ ଦାନଗୁଣକୁ ଦେଖି ନୀଳକଣ୍ଠ ନିଜର ଅହଙ୍କାରପୂର୍ଣ୍ଣ ବ୍ୟଙ୍ଗ ଯୋଗୁଁ ଲଜ୍ଜିତ ହୋଇ କହିଲେ, “ଆପଣଙ୍କ ପରି ଦାନୀଙ୍କର ମୁଁ କ’ଣ କେବେବି ସମକକ୍ଷ ହୋଇପାରିବି? ମୋତେ କ୍ଷମା କରନ୍ତୁ ।”
ପରେ ସେ ପେଟଭରି ଖାଇଲେ ଓ ସାଙ୍ଗରେ ଖାଇ ବସିଥିବା ଗାଡିବାଲାକୁ କହିଲେ, “କିଛି ସମୟ ପାଇଁ ଭୁଲିଯାଅ ଯେ ମୁଁ ମାଲିକ ଆଉ ତୁମେ ଗାଡିବାଲା ।” ଗାଡିବାଲାର ଖାଇବା ଶେଷ ନ ହେବା ପର୍ଯ୍ୟନ୍ତ ଧନୀ ମଧ୍ୟ ସେଠାରେ ସେମିତି ବସି ରହିଥା’ନ୍ତି ।
ପରଦିନ ସକାଳୁ ନୀଳକଣ୍ଠ ସୁରଦାସଙ୍କୁ ନିଜର କୃତଜ୍ଞତା ଜଣାଇଲେ ଓ ଗାଡିରେ ବସି ଲକ୍ଷ୍ୟ ସ୍ଥଳକୁ ବାହାରି ପଡିଲେ । ଗାଡି ଗ୍ରାମର ବାହାରେ ଆସି ନଦୀବନ୍ଧ ଉପରେ ଚାଲୁଥିଲା ବେଳେ ଗାଡିବାଲା ମୁଣ୍ଡରେ ଏକ ଦୁର୍ବୁଦ୍ଧି ଦେଖାଦେଲା, ସେ ଗାଡି ବନ୍ଦ କରି ନୀଳକଣ୍ଠଙ୍କୁ ଓହ୍ଲାଇବାକୁ କହିଲା । ନୀଳକଣ୍ଠ ଏହାର ଅର୍ଥ କିଛି ବି ବୁଝିପାରିଲେ ନାହିଁ; ତେଣୁ ଶେଷକୁ ବାଧ୍ୟ ହୋଇ ସେ ଓହ୍ଲାଇଲେ । ଗାଡିବାଲା ଗର୍ଜନ କରି କହିଲା, “ମୁଁ କାହାର ଚାକର ହୋଇ ରହିବାକୁ ଚାହେଁ ନାହିଁ, ତୁମ ପାଖରେ ଯେତେ ଧନ ଅଛି ଶୀଘ୍ର ବାହାର କର ।”
ନୀଳକଣ୍ଠ ଡରି ଡରି କହିଲେ, “ଚୋରୀ ଧନ ବହୁତ ଶୀଘ୍ର ଶେଷ ହୋଇଯାଏ । ଆଉ ତୁ ଯଦି ଏହି ଧନକୁ ନେଇ ଧନୀ ହୋଇଯିବାକୁ ଭାବୁଛୁ, ତେବେ ତାହା ତୋର ଭ୍ରମ । ତୁ ଘରକୁ ଫେରି ଧର୍ମମାର୍ଗରେ ଧନ ଉପାର୍ଜନ କର । ସେଥିପାଇଁ ତୁ ଯେତେ ଧନ ଚାହିଁବୁ ମୁଁ ଦେବି ।” କିନ୍ତୁ ସେତେବେଳକୁ ଦୁରାଶା ନାମକ ପିଶାଚ ଗାଡିବାଲା ଉପରେ ସବାର ହୋଇସାରିଲାଣି । ତେଣୁ ସେ ଏସବୁ କଥା ମୋଟେ ଶୁଣିଲା ନାହିଁ । ନୀଳକଣ୍ଠଙ୍କ ଠାରୁ ଜୋର୍ କରି ସମସ୍ତ ଧନ ଲୁଟି ନେଇ ତାଙ୍କୁ ସେ ନଦୀରେ ଠେଲି ପକାଇ ଦେଲା ।
କିଛି ଦିନ ପରେ ସେ ସହରକୁ ଯାଇ ଜଣେ ଜମିଦାରଙ୍କ ସହିତ ବ୍ୟବସାୟ କଲା । ଫଳରେ ଖୁବ୍ ଅଳ୍ପଦିନରେ ସେ ଧନୀ ହୋଇଗଲା । ସହରର ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ମଧ୍ୟରୁ ସେ ଜଣେ ହୋଇ ରହିଥାଏ ।
କିନ୍ତୁ ଧୀରେ ଧୀରେ ତା’ର କୃତକର୍ମ ପ୍ରତି ଭୟ ଆସିଲା । ତେଣୁ ପ୍ରତିଦିନ ସେ ଦୁଇଜଣ ଦରିଦ୍ର ଲୋକଙ୍କୁ ଡାକି ଖୁଆଏ । ସେ ଭାବୁଥାଏ ଯେ ଏଥିରୁ ଯେଉଁ ପୁଣ୍ୟ ହେବ ସେଥିରେ ମୋର କୃତ ପାପ କଟିଯିବ ।
ତେଣେ ନୀଳକଣ୍ଠ ନଦୀରେ ପଡି ମରିଗଲେ ଓ ପିଶାଚ ହୋଇଗଲେ । ସେ ସର୍ବଦା ଭାବୁଥାନ୍ତି କିପରି ଶୀଘ୍ର ଗାଡିବାଲା ଉପରେ ପ୍ରତିଶୋଧ ନେବେ । ପିଶାଚ ରୂପୀ ନୀଳକଣ୍ଠ ଆସି ସେହି ସହରରେ ପହଁଚିଲେ । ସେ ଦେଖିଲେ ଗାଡିବାଲା ବଡ ବୈଭବ ସହ ଜୀବନ ବିତାଉଛି । ତାକୁ ଦେଖି ସେ ଅତ୍ୟନ୍ତ କ୍ରୋଧରେ ଜଳିଗଲେ । ସେତେବେଳେ ସେ ଗାଡିବାଲା ମୂଲ୍ୟବାନ୍ ପୋଷାକ ପିନ୍ଧି ଜମିଦାରଙ୍କ ନିକଟରେ ଉଚ୍ଚ ଆସନରେ ବସିଛି । ଏବଂ ସମସ୍ତେ ମିଶି ପିଶାଚମାନଙ୍କ ଦୁଷ୍ଟାମୀ ବିଷୟରେ କଥା ହେଉଛନ୍ତି । ସେଠାରେ ଉପସ୍ଥିତ ଥିବା ଲୋକେ ସେମାନଙ୍କର ମତ ପ୍ରକାଶ କରୁଥିଲେ ।
ନୀଳକଣ୍ଠ ଦେଖିଲେ ଏହାହିଁ ଉପଯୁକ୍ତ ସମୟ । ଦେଖୁ ଦେଖୁ ସେ ଯାଇ ଗାଡିବାଲା ମଧ୍ୟରେ ପ୍ରବେଶ କଲେ । ଗାଡିବାଲା ହଠାତ୍ ଉଠି ପଡି ହାତ ପାଦ ଛିଂଚାଡି, ଚିତ୍କାର କରି କହିଲା, “ଦେଖ, ପିଶାଚ ଆସିଗଲା । ମୋତେ ତା’ଠାରୁ ରକ୍ଷାକର, ମରିଗଲି ରେ ।”
ପ୍ରଥମେ ଉପସ୍ଥିତ ଲୋକେ ଏହାକୁ ଅଭିନୟ ଭାବି ବଡ ଆନନ୍ଦ ଉପଭୋଗ କରୁଥିଲେ । କିନ୍ତୁ କିଛି ସମୟ ପରେ ସମସ୍ତେ ଡରିଗଲେ । ଛାନିଆ ବି ହୋଇଗଲେ । ଜମିଦାରଙ୍କର ଭୂତବୈଦ୍ୟଙ୍କୁ ଡକା ହେଲା । ସେ ଆସି ମନ୍ତ୍ର ପଢିଲେ ଓ ପିଶାଚରୂପୀ ନୀଳକଣ୍ଠଙ୍କ ସହିତ କଥାବାର୍ତ୍ତା କଲେ । ଏଥର ସମସ୍ତେ ଜାଣିଲେ କି ସେ ଗାଡିବାଲା ନୀଳକଣ୍ଠଙ୍କ ଉପରେ କେତେଯେ ଅକଥନୀୟ ଅତ୍ୟାଚାର କରିଛି ।
ଭୂତବୈଦ୍ୟ କହିଲେ, “ହେ ପିଶାଚ, ଏବେ ତ ସମସ୍ତକଥା ଜଣାପଡିଲାଣି । ତୁମେ ଗାଡିବାଲାକୁ ଛାଡିଚାଲିଯା । ଆମେ ତାକୁ ଦଣ୍ଡ ଦେବୁ ।”
ଏକଥା ଶୁଣି ପିଶାଚ ହସି ହସି କହିଲା, “ଏହି ଦୁଷ୍ଟର ଶରୀର ମୋତେ ଦରକାର ନାହିଁ । ପିଶାଚ କବଳରୁ ମୁକ୍ତ ହେବାର ମାତ୍ର ଗୋଟିଏ ମାର୍ଗ ଅଛି । ସୁରଦାସ ଏଠାକୁ ଆସି ଏହାକୁ ଅନ୍ନଦାନ କରି ସେହି କାର୍ଯ୍ୟର ପୁଣ୍ୟ ମୋତେ ଦାନ ଦେଲେ ଯାଇ ମୁଁ ମୋକ୍ଷ ପାଇବି ।”
ସୁରଦାସଙ୍କୁ ସେଠାକୁ ଅଣାଗଲା । ତାଙ୍କୁ ଦେଖିବା ମାତ୍ରେ ପିଶାଚ ବିନୟ ଭାବରେ କହିଲା, “ନମସ୍କାର, ମହାଶୟ, ଆପଣଙ୍କୁ ଏବେ ପ୍ରମାଣିତ କରିବାକୁ ହେବ ଯେ ଅପାତ୍ରକୁ ଅନ୍ନ ଖୁଆଇଲେ ମଧ୍ୟ ତାକୁ ଉତ୍ତମ ଦାନ ବୋଲି ଯେପରି ସମସ୍ତେ କହିବେ । ଗାଡିବାଲାକୁ ଅନ୍ନଦାନ କରିବାରେ ଯେଉଁ ପୁଣ୍ୟଫଳ ଆପଣଙ୍କୁ ମିଳିବ, ତାକୁ ମୋତେ ଦିଅନ୍ତୁ ଓ ଏହି ପିଶାଚ୍ ରୂପରୁ ମୋତେ ଯଥାଶୀଘ୍ର ମୁକ୍ତ କରାନ୍ତୁ ।”
ସୁରଦାସ କହିଲେ, “ମୁଁ ତ ଅନ୍ନଦାନର ମହିମା ବିଷୟରେ କିଛି ହେଲେ ମଧ୍ୟ ଜାଣେ ନାହିଁ । ସେ ଧନୀ ହେଉ ବା ଦରିଦ୍ର, ଚୋର ହେଉ ବା ଭିକାରୀ, କ୍ଷୁଧା ନିବୃତି କରିବା ଥିଲା ମୋର ପ୍ରଧାନ ଉଦ୍ଧେଶ୍ୟ । ଫଳର ପ୍ରତିକ୍ଷାରେ ମୁଁ କେବେହେଲେବି କାହାକୁ ଅନ୍ନଦାନ ଦେଇନାହିଁ । କିନ୍ତୁ ସତରେ ଯଦି ଅନ୍ନଦାନରେ କିଛିଟା ପୁଣ୍ୟ ଥାଏ, ତେବେ ତଦ୍ୱାରା ତମେ ନିଶ୍ଚୟ ମୁକ୍ତି ପାଇବ ।”
ତାଙ୍କ କଥା ଶୁଣିସାରି ସେ ପିଶାଚ ବିନୟପୂର୍ବକ କହିଲା, “ଧର୍ମାତ୍ମା, କ୍ଷୁଧା ବଡ ଖରାପ । ତାହା ମଣିଷକୁ ପୂର୍ଣ୍ଣ ମାତ୍ରାରେ ଅବିବେକୀ କରିଦିଏ । ଆପଣ ନିଜର ପୁଣ୍ୟ ମୋତେ ଦେଇ ମୋତେ ରକ୍ଷା କରିଛନ୍ତି । ଆପଣଙ୍କ ଦାନର ମହିମା ସଂସାରରେ ପ୍ରଚାର କରିବା ପାଇଁ ହିଁ ମୁଁ ଏହି ମନୁଷ୍ୟ ଦେହରେ ପ୍ରବେଶ କରିଥିଲି । ଏଥର ମୋର କାମ ହୋଇଗଲା । ଏବେ ମୁଁ ଯାଉଛି ।”
ପିଶାଚ ଚାଲିଯିବାରୁ ଗାଡିବାଲା ବେହୋସ ହୋଇ ତଳେ ପଡିଗଲା । କିଛି ସମୟ ପରେ ତା’ର ଚେତା ଆସିବାରୁ, ଯାହା ସବୁ ଘଟିଥିଲା ସବୁ କିଛି ଜଣା ପଡିଲା । ପଶ୍ଚାତାପରେ ସେ ଅତୀଶୟ ଭାଙ୍ଗିପଡିଲା; ସେ ନିଜର ସମଗ୍ର ଧନ ଜମିଦାରଙ୍କୁ ଦେଇ ଦେଲା ଓ ସୁରଦାସଙ୍କ ସହିତ ନିଜ ଗ୍ରାମକୁ ବାହୁଡି ଗଲା । ସେଠାରେ ଅନ୍ନଦାନରେ ସେ ସୁରଦାସଙ୍କୁ ସାହାଯ୍ୟ କଲା ।
ଯେଉଁମାନେ ଆସନ୍ତି, ସେ ସେମାନଙ୍କୁ ଅନ୍ନଦାନର ମହିମା କହିଥାଏ । ସେ କହେ, “କ୍ଷୁଧାର୍ତକୁ ଅନ୍ନ ଦିଅ ପରିଶ୍ରମ କର । ଅନ୍ନଦାନ କରି ତୁମ ଧନର ସଦୁପଯୋଗ କର ।”